ସମୂହ କପି ପାଇଁ ୩ କେନ୍ଦ୍ର‌ରେ ଇଂରାଜୀ ପରୀକ୍ଷା ବାତିଲ, ମୂଲ୍ୟାୟନ ହେବନି ଇଂରାଜୀ ଖାତା

୬୭୫ ପରୀକ୍ଷାର୍ଥୀଙ୍କ ଭାଗ୍ୟ ଅନିଶ୍ଚିତ

କଟକ: ମାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ବିଶୃଙ୍ଖଳା କରିବା ଘଟଣାକୁ ବୋର୍ଡ କର୍ତ୍ତୃପକ୍ଷ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। କାର୍ଯ୍ୟାନୁଷ୍ଠାନ ସ୍ବରୂପ ମାସ୍ କପି ଚାଲିଥିବା କାରଣରୁ ତିନିଟି କେନ୍ଦ୍ରର ଇଂରାଜୀ ପରୀକ୍ଷାକୁ ବୋର୍ଡ ପକ୍ଷରୁ ବାତିଲ କରାଯାଇଛି। ବାତିଲ କରାଯାଇଥିବା ପରୀକ୍ଷା କେନ୍ଦ୍ର ଗୁଡ଼ିକ ମଧ୍ୟରେ ବଲାଙ୍ଗୀର ଜିଲ୍ଲା ଘୁଣସର ସରକାରୀ ନୋଡାଲ ହାଇସ୍କୁଲ, ଢ଼େଙ୍କାନାଳ ଜିଲ୍ଲାର ପି.ଆର. ହାଇସ୍କୁଲ ଓ କଟକ ଜିଲ୍ଲା ବଡ଼ମ୍ବା କ୍ଲବ୍ ଗୋପୀନାଥପୁର କୃପାସିନ୍ଧୁ ନୋଡାଲ ହାଇସ୍କୁଲ ରହିଛି। ଏହି ତିନି କେନ୍ଦ୍ରର ତିନି ଜଣ ଯାକ କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏସବୁ କେନ୍ଦ୍ରର ଇଂରାଜୀ ପରୀକ୍ଷା ଖାତା ମୂଲ୍ୟାୟନ କରାଯିବ ନାହିଁ। ବୋର୍ଡ ପକ୍ଷରୁ ପରୀକ୍ଷା ପରିଚାଳନା ଗାଇଡ୍‌ଲାଇନ୍ ଭଙ୍ଗ କରି ମାସ୍ କପି କରୁଥିବା ଜଣାପଡ଼ିବା ପରେ ବୋର୍ଡ ପରୀକ୍ଷା ପରିଚାଳନା କମିଟି ଏପରି ଦୃଢ଼ ପଦକ୍ଷେପ ଗ୍ରହଣ କରିଛି। ଏହି ତିନି‌ଟି କେନ୍ଦ୍ରରେ ପରୀକ୍ଷା ଦେଉଥିବା ମୋଟ ୬୭୫ଜଣ ପରୀକ୍ଷାର୍ଥୀଙ୍କ ଫଳ ପ୍ରକାଶନ ‌ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି। ମାଟ୍ରିକ୍ ପରୀକ୍ଷାର ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ୮ଜଣ ଗିରଫ୍ ହୋଇଥିବା ବେଳେ ଦ୍ବିତୀୟ ଭାଷା ଇଂରାଜୀ ପରୀକ୍ଷାରେ ସମୂହ କପି ପରୀକ୍ଷା ପରିଚାଳନା ପ୍ରତି ଅଙ୍ଗୁଳି ନି‌‌ର୍ଦ୍ଦେଶ କରିଛି। ସମ୍ବେଦନଶୀଳ କେନ୍ଦ୍ରରେ ୧୪୪ଧାରା ଜାରି କରିବା ପାଇଁ ବୋର୍ଡ ପକ୍ଷରୁ ପୁଲିସ୍ ପ୍ରଶାସନକୁ ଚିଠି ହୋଇଥିଲେ ମଧ୍ୟ ଆଜି ଯାଏ କୌଣସି କେନ୍ଦ୍ରରେ ଏପରି ହୋଇନାହିଁ। ଯାହାର ପ୍ରତିଫଳନ ଗତକାଲି ଇଂରାଜୀ ପରୀକ୍ଷାରେ ଦେଖିବାକୁ ମିଳିଥିଲା। ଗତକାଲି ଇଂରାଜୀ ପରୀକ୍ଷା ଚାଲିଥିବା ବେଳେ ବଲାଙ୍ଗୀର ଜିଲ୍ଲା ଘୁଣସର ସରକାରୀ ନୋଡାଲ ହାଇସ୍କୁଲ, ଢେଙ୍କାନାଳ ଜିଲ୍ଲାର ପି.ଆର. ହାଇସ୍କୁଲ ଓ କଟକ ଜିଲ୍ଲା ବଡ଼ମ୍ବା କ୍ଲବ୍ ଅନ୍ତର୍ଗତ ଗୋପୀନାଥପୁର କୃପାସିନ୍ଧୁ ନୋଡାଲ ହାଇସ୍କୁଲରେ ଗଣ କପି ଚାଲିଥିଲା। ପରୀକ୍ଷା ଚାଲିଥିବା ବ‌େଳେ ପରୀକ୍ଷା କେନ୍ଦ୍ରରେ ବାହାର ଲୋକ ବଳପୂର୍ବକ ପ୍ରବେଶ କରି ପରୀକ୍ଷାର୍ଥୀଙ୍କୁ କପି କରିବାକୁ ସୁଯୋଗ ଦେଇଥିଲେ। ଘଟଣା ଜଣାପଡ଼ିବା ‌ପରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଘଟଣାର ତଦନ୍ତ ହୋଇଥିଲା। ସତ୍ୟାସତ୍ୟ ଜଣାପଡ଼ିବା ପରେ ଆଜି ପରୀକ୍ଷା ପରିଚାଳନା କମିଟି ନିଷ୍ପତ୍ତି ଓ ବୋର୍ଡର ପରୀକ୍ଷା ଗାଇଡଲାଇନ୍ ଅନୁସାରେ ଏହି ତିନି କେନ୍ଦ୍ରର ଇଂରାଜୀ ପରୀକ୍ଷା ବାତିଲ(କ୍ୟାନ୍‌ସଲ) ହୋଇଛି। ବଲାଙ୍ଗୀର ଜିଲ୍ଲା ଘୁଣସର ସରକାରୀ ନୋଡାଲ ହାଇସ୍କୁଲ କେନ୍ଦ୍ରରେ ୨୨୨ଜଣ, ଢ଼େଙ୍କାନାଳ ଜିଲ୍ଲାର ପି.ଆର. ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୨୨୬ଜଣ ଓ କଟକ ଜିଲ୍ଲା ବଡ଼ମ୍ବା କ୍ଲବ୍ ଅନ୍ତର୍ଗତ ଗୋପୀନାଥପୁର କୃପାସିନ୍ଧୁ ନୋଡାଲ ହାଇସ୍କୁଲ କେନ୍ଦ୍ରରେ ୨୨୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ଏମାନଙ୍କ ପରୀକ୍ଷାଫଳ ଅନିଶ୍ଚିତତା ମଧ୍ୟରେ ରହିଛି। ଏହି ପିଲାଙ୍କ ଖାତା ମୂଲ୍ୟାୟନ କରାଯିବ ନାହିଁ। ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଯେଉଁମାନେ ଇଂରାଜୀ ବ୍ୟତୀତ ଅନ୍ୟ ବିଷୟରେ ମୋଟ ନମ୍ବର ପାସ୍ ନମ୍ବରଠାରୁ ଅଧିକ ରଖିଥିବେ ସେମାନେ କମ୍ପାର୍ଟମେଣ୍ଟାଲ ଦେଇ ପାରିବେ ବୋଲି ବୋର୍ଡ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ପ୍ରଫେସର ଡକ୍ଟର ଜାହାନ ଆରା ବେଗମ୍ କହିଛନ୍ତି। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ଓ ‌ବୋର୍ଡ ସଂପାଦକ ରମାଶିଷ ହାଜରା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର