ଆସନ୍ତା ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କର ସ୍ବଚ୍ଛତା ନିହାତି ଜରୁରୀ: ଦାମ ରାଉତ

ଭୁବନେଶ୍ବର : ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସନ ୬ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏଥିରେ ସବୁ ରାଜନୈତିକ ଦଳ ଯୋଗଦେଇପାରନ୍ତି। ଏହି ବୈଠକରେ ପଞ୍ଚାୟତ ନିର୍ବାଚନକୁ ଯଥାସମ୍ଭବ ଅବାଧ ଓ ନିରପେକ୍ଷ କରିବାକୁ ସମ୍ବେଦନଶୀଳ ସେବା ମନୋବୃତ୍ତି ସମ୍ପର୍କରେ ଆଲୋଚନା ହେଉ ବୋଲି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି।

ଶ୍ରୀ ରାଉତ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ କହିଛନ୍ତି ଯେ, ଗ୍ରାମାଞ୍ଚଳ ଓ ଗ୍ରାମାଞ୍ଚଳ ଲୋକମାନଙ୍କର ସାମାଜିକ ଏବଂ ଅର୍ଥନୈତିକ ବିକାଶ କ୍ଷେତ୍ରରେ ପଞ୍ଚାୟତ ପ୍ରତିନିଧିମାନଙ୍କର ଭୂମିକା ବହୁତ ଗୁରୁତ୍ବପୂର୍ଣ୍ଣ। ପଞ୍ଚାୟତର ଅନ୍ୟ ଅର୍ଥ- ଲୋକଙ୍କ ହାତକୁ କ୍ଷମତା। ହେଲେ ବିତ୍ତଶାଳୀ, ବାହୁବଳୀ ସ୍ବାର୍ଥପର ପଞ୍ଚାୟତ ପ୍ରତିନିଧି ଲୋକମାନଙ୍କର ପ୍ରକୃତ ଆଶା ଆକାଂକ୍ଷା ପୂରଣ କରିବେ ବୋଲି ଆଶା କରାଯାଇନପାରେ। ସେହିପରି ଆମ ରାଜ୍ୟର ପଞ୍ଚାୟତ ନିର୍ବାଚନ ନିର୍ଦ୍ଦଳୀୟ ହେବ। ଏହାକୁ ନଜରରେ ରଖି ଦଳୀୟ ନେତାମାନେ ନିର୍ବାଚନ କମିସନଙ୍କ ସହ ଆଲୋଚନା କରିବାବେଳେ ପନ୍ଥା ନିର୍ଦ୍ଧାରଣ କରିବେ ବୋଲି ଲୋକ ଆଶା କରନ୍ତି। ଏବେ ଗ୍ରାମ ବିକାଶ ଓ ଗ୍ରାମାଞ୍ଚଳ ଲୋକଙ୍କର କଲ୍ୟାଣ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିପୁଳ ପାଣ୍ଠି ଯୋଗାଉଛନ୍ତି। ତାହା ଯେପରି ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ଏବଂ ପଞ୍ଚାୟତ ପ୍ରତିନିଧିମାନେ ସଫଳତାର ସହ ଏହାର ବିନିଯୋଗ କରିବେ ତାହା ହିଁ ଗୁରୁତ୍ବପୂର୍ଣ୍ଣ ବୋଲି ଶ୍ରୀ ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର