ଓପିଏସ୍‌ସିରେ ଜୁନିଅର ଆସିଷ୍ଟାଣ୍ଟ ନିଯୁକ୍ତି ପାଇଁ କମ୍ପ୍ୟୁଟର୍ ସ୍କିଲ୍ ଟେଷ୍ଟ୍: ତାରିଖ ଘୋଷଣା ପରେ ଦ୍ବନ୍ଦ୍ବରେ ପରୀକ୍ଷାର୍ଥୀ

ଭୁବନେଶ୍ବର: ଓପିଏସ୍‌ସି ନିଜ କାର୍ଯ୍ୟାଳୟରେ ଜୁନିଅର ଆସିଷ୍ଟାଣ୍ଟ(ଗ୍ରୁପ୍-ସି) ପଦବିର ନିଯୁକ୍ତି ପାଇଁ କମ୍ପ୍ୟୁଟର୍ ସ୍କିଲ୍ ଟେଷ୍ଟ୍‌ର ତାରିଖ ଓ ବିବରଣୀ ନିଜ ୱେବ୍‌ସାଇଟ୍‌ରେ ଗତକାଲି ପ୍ରକାଶ କରିଛି। ଏଥିରେ ଚଳିତ ମାସ ୩୧କୁ ପରୀକ୍ଷା ତାରିଖ ଘୋଷଣା କରିବା ପରେ ପରୀକ୍ଷାର୍ଥୀ ଚିନ୍ତାରେ ପଡ଼ିଛନ୍ତି। ଗୋଟିଏ ପଟେ ମହାମାରୀ କରୋନାର ଭୟାବହତାକୁ ବିଚାର କରି କେନ୍ଦ୍ର ସରକାର ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌କୁ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ବେଳେ ଓପିଏସ୍‌ସି ମେ ୩୧ ତାରିଖରେ ପରୀକ୍ଷା କରିବାକୁ ଘୋଷଣା କରିଥିବାରୁ ପରୀକ୍ଷାର୍ଥୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଭୁବନେଶ୍ବର ଫୁଲନଖରାସ୍ଥିତ ପ୍ରାଚୀବିହାରର ଇଷ୍ଟ୍ କଲେଜ୍‌କୁ ପରୀକ୍ଷା କେନ୍ଦ୍ର ଭାବେ ଓପିଏସ୍‌ସି ସ୍ଥିର କରିଥିବା ବେଳେ ରିପୋର୍ଟିଂ ସମୟ ସକାଳ ୯ଟା ରଖାଯାଇଛି।

ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୬୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮ ଜଣ ଭୁବନେଶ୍ବର ଜୋନ୍‌ରୁ ଚୟନ ହୋଇଥିବା ବେଳେ ୧୨ ଜଣ କଟକ, ୫ ଜଣ ସମ୍ବଲପୁର ଓ ଜଣେ ବାଲେଶ୍ବର ଜୋନ୍‌ରୁ ପରୀକ୍ଷା ପାଇଁ ସ୍ବୀକୃତି ପାଇଛନ୍ତି। ଜଣେ ପରୀକ୍ଷାର୍ଥୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ ଭୁବନେଶ୍ବରକୁ ସେ ବାହାର ଜିଲ୍ଲାରୁ ପାଠ ପଢ଼ିବାକୁ ଆସିଥିଲେ। କରୋନା ପାଇଁ ସେ ବର୍ତ୍ତମାନ ନିଜ ଗାଁ’କୁ ପଳାଇଛନ୍ତି। ବସ୍ ଚଳାଚଳ ପାଇଁ ରାଜ୍ୟ ମଧ୍ୟରେ ଅନୁମତି ଦିଆଯାଇଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ କୌଣସି ବସ୍ ଚଳାଚଳ କରି ନାହିଁ କି ଗାଡ଼ି ଭଡ଼ା କରି ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ଚାହିଁଲେ ସୁଦ୍ଧା କରୋନାରୁ ନିଜସ୍ବ ସୁରକ୍ଷା ପାଇଁ କେହି ରାଜି ହେଉନାହାନ୍ତି। ଅପର ପକ୍ଷରେ ଯଦି ଏତେ ଦୂରରୁ ଆସିଲୁ ରହିବା ପାଇଁ କୌଣସି ହୋଟେଲ୍ ମଧ୍ୟ ଖୋଲିନାହିଁ। ଏପରି ସ୍ଥିତିରେ ଆମେ ଏତେ ଦୂରରୁ ଆସି ପରୀକ୍ଷା କେନ୍ଦ୍ରରେ ସକାଳୁ କେମିତି ପହଞ୍ଚିବୁ ବୋଲି ପ୍ରଶ୍ନ କରିଛନ୍ତି। ଏନେଇ ଓପିଏସ୍‌ସି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ଉତ୍ତର ମିଳିନାହିଁ।

ସୂଚନାଯୋଗ୍ୟ ଯେ ଓପିଏସ୍‌ସି ଚଳିତ ମାସ ୭ ତାରିଖରେ ନିଜ ୱେବ୍‌ସାଇଟ୍‌ରେ ଏହି ପରୀକ୍ଷା ପାଇଁ ମେ ୩୧କୁ ଘୋଷଣା କରି ବିଜ୍ଞପ୍ତି ଜାରି କରିଥିଲା।

ସମ୍ବନ୍ଧିତ ଖବର