କଂଗ୍ରେସ ଭବନରେ ଆଶାୟୀଙ୍କ ପ୍ରବଳ ଭିଡ଼

ଟିକେଟ୍‌ ପାଇଁ ସ୍କ୍ରିନିଂ କମିଟି ପ୍ରକ୍ରିୟା ଜାରି

ଭୁବନେଶ୍ବର : ଚଳିତ ମାସ ଶେଷ ସୁଦ୍ଧା ଓଡ଼ିଶା କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରଦାନ କରିବାକୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ନିର୍ଦେଶ ଦେଇଛନ୍ତି। ଏହି ନିର୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଗତକାଲିଠାରୁ ଏଆଇସିସି ସ୍କ୍ରିନିଂ କମିଟି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ କଂଗ୍ରେସ ଭବନରେ ବିଭିନ୍ନ ଆସନ ନିମନ୍ତେ ଆଶାୟୀମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ସେ ପଟେ ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ଓ ଜୟପୁରରେ ମଧ୍ୟ ସ୍କ୍ରିନିଂ କମିଟିର ପ୍ରକ୍ରିୟା ଜାରି ରହିଛି।

ଆଜି କଂଗ୍ରେସ ଭବନରେ ପୂର୍ବାହ୍ନ ୧୦ଟା ବେଳୁ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି.ଡି. ସଥୀସାନ୍‌ ଆଶାୟୀ ପ୍ରାର୍ଥୀମାନଙ୍କଠାରୁ ଆବେଦନପତ୍ର ଗ୍ରହଣ କରିବା ସହିତ ସେମାନଙ୍କର ସହିତ ଜଣ ଜଣ କରି ଆଲୋଚନା କରିଥିଲେ। ପରେ ପିସିସି କର୍ମକର୍ତାମାନଙ୍କ ସହିତ ସଂପୃକ୍ତ ଆଶାୟୀ ପ୍ରାର୍ଥୀମାନଙ୍କ ସଂପର୍କରେ ଆଲୋଚନା କରିଥିଲେ ଶ୍ରୀ ସଥୀସାନ୍‌। ଆଜି ପୁରୀ ଓ ଜଗତ୍‌ସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ସେଥି ଅନ୍ତର୍ଗତ ବିଧାନସଭା କ୍ଷେତ୍ରଗୁଡ଼ିକ ନିମନ୍ତେ ଆଶାୟୀ ପ୍ରାର୍ଥୀମାନେ ନିଜ ନିଜ ଆବେଦନପତ୍ର ଦାଖଲ କରିଥିଲେ।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ ପୁରୀ ଲୋକସଭା ଆସନ ନିମନ୍ତେ ପିସିସି କିଷାନ ସେଲ୍‌ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ସୁଚରିତା ମହାନ୍ତି ଓ ସିଦ୍ଧାର୍ଥ ମହାନ୍ତି ଆବେଦନ କରିଥିବା ବେଳେ ଜଗତ୍‌ସିଂହପୁର ‌େଲାକସଭା ଆସନ ପାଇଁ ବିଭୁପ୍ରସାଦ ତରାଇ, ପ୍ରଶାନ୍ତ ମଲ୍ଲିକ, ଦେବୀପ୍ରସାଦ ମଲ୍ଲିକ ଆବେଦନ କରିଛନ୍ତି। ପୁରୀ ଲୋକସଭା ଅନ୍ତର୍ଗତ ପୁରୀ ବିଧାନସଭା ନିମନ୍ତେ ବିନାୟକ ଦାସମହାପାତ୍ର, ଅରପ୍ରସାଦ ମିଶ୍ର, ବିଶ୍ବଜିତ୍‌ ମହାନ୍ତି, ସତ୍ୟବାଦୀ ପାଇଁ ପ୍ରସାଦ ହରିଚନ୍ଦନ, ବ୍ରହ୍ମଗିରି ପାଇଁ ଉମ‌ାକାନ୍ତ ବରାଳ, ବାନାମ୍ବର ବାରିକ ଓ ସଫିକ୍‌ଉଦ୍ଦିନ, ଚିଲିକା ପାଇଁ ପ୍ରଦୀପ ସ୍ବାଇଁ ଓ ମାନସୀ ପ୍ରଧାନ, ପିପିଲି ପାଇଁ ନିଶିକାନ୍ତ ମିଶ୍ର, ଅଜିତ ମଙ୍ଗରାଜ, ଯୁଧିଷ୍ଠିର ସାମନ୍ତରାୟ, ରଣପୁର ପାଇଁ ସତ୍ୟବ୍ରତ ନାୟକ ଓ ମିଲି ପଣ୍ଡା ପ୍ରମୁଖ ଆବେଦନ କରିଥିବା କୁହାଯାଉଛି। ତେବେ ନୟାଗଡ଼ ଆସନ ପାଇଁ ଆବେଦନକାରୀଙ୍କ ସଂପର୍କରେ ସୂଚନା ହସ୍ତଗତ ହୋଇନାହିଁ।

ଜଗତ୍‌ସିଂହପୁର ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା ଆସନ ମଧ୍ୟରୁ ରଘୁନାଥପୁର ପାଇଁ ବର୍ତମାନର ବିଧାୟକ ଚିରଞ୍ଜୀବ ବିଶ୍ବାଳ, ବାଲିକୁଦା ପାଇଁ ଡ. ଲଲାଟେନ୍ଦୁ ମହାପାତ୍ର, ସାରଦା ଜେନା, ଗଣେଶ୍ବର ମାଣିଆ, ସୁଶାନ୍ତ କାନୁନ୍‌ଗୋ, ଶିବବ୍ରତ ଦା‌ଶ, ତିର୍ତୋଲ ପାଇଁ ଆର.କେ‌.ବେହେରା, ପ୍ରତିମା ମଲ୍ଲିକ, ଦେବପ୍ରସାଦ ମଲ୍ଲିକ, ପାରାଦୀପ ପାଇଁ ବାପି ସର୍ଖେଲ, ପ୍ରମୋଦ ଜେନା ଓ ସୀତାକାନ୍ତ ମହାନ୍ତି, ନିମାପଡ଼ା ପାଇଁ ସତ୍ୟବ୍ରତ ପାତ୍ର, କାକଟପୁର ପାଇଁ ବି.ବି.ଦାଶ, ରବି ସେଠୀ, ନିଆଳି ପାଇଁ ପି.ମଲ୍ଲିକ ଓ ଅନ୍ୟ ୨ଜଣ ଆବେଦନ କରିଥିବା ସୂଚନା ମିଳିଛି। ସେ ପଟେ ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଓ ସେଥି ଅନ୍ତର୍ଗତ ବିଧାନସଭା ଆସନଗୁଡ଼ିକ ନିମନ୍ତେ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିଛନ୍ତି।

ଆସନ୍ତାକାଲି ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଶ୍ରୀ ସଥୀସାନ୍‌ କଂଗ୍ରେସ ଭବନରେ କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଲୋକସଭା ଓ ବିଧାନସଭା ଆସନଗୁଡ଼ିକ ନିମନ୍ତେ ପ୍ରକ୍ରିୟା ଜାରି ରଖିବେ। ସେ ପଟେ କମିଟି ସଦସ୍ୟ ନୌସାଦ ସୋଲାଙ୍କି କୋରାପୁଟ ଲୋକସଭା ଓ ତା’ ଅଧୀନ ବିଧାନସଭା ଆସନଗୁଡ଼ିକ ନିମନ୍ତେ ଆବେଦନକାରୀମାନଙ୍କ ସହିତ ଆଲୋଚନା କରିବେ। ଆସନ୍ତା ୧୭/୧୮ ତାରିଖରେ କମିଟି ପକ୍ଷରୁ ଅବଶିଷ୍ଟ ଆସନ ନିମନ୍ତେ ଦ୍ବିତୀୟ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହେବ। ପ୍ରଦେଶ ନିର୍ବାଚନ କମିଟି ପକ୍ଷରୁ ଏହି ଆବେଦନକାରୀମାନଙ୍କ ତାଲିକା ଏଆଇସିସିର କେନ୍ଦ୍ରୀୟ ନିର୍ବାଚନ କମିଟିକୁ ପଠାଯିବ। କେନ୍ଦ୍ରୀୟ କମିଟି ପ୍ରାର୍ଥୀମାନଙ୍କ ନାମ ତର୍ଜମା କରି ସଭାପତି ରାହୁଲଙ୍କ ଅନୁମୋଦନ ପାଇଁ ପଠାଇବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର