ପିପିଲି ଉପନିର୍ବାଚନ: ମତଦାନ ଅଧିକାର ସାବ୍ୟସ୍ତ କରିଲେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ

ପୁରୀ: ପିପିଲି ଉପନିର୍ବାଚନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ସକାଳେ ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୨୩୪ ନମ୍ବର ବୁଥର କମାକନ୍ତିଆ ସରକାରୀ ଉଚ୍ଚବିଦ୍ୟାଳୟର ମତଦାନ କେନ୍ଦ୍ରରେ ଭୋଟ୍ ଦେଇଥିଲେ। ସମର୍ଥକମାନଙ୍କ ସହ ଯାଇ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ଭୋଟ୍ ଦେବାକୁ ହ୍ୱିଲ୍ ଚେୟାରରେ ଯାଇଥିବା ଜଣେ ବୃଦ୍ଧାଙ୍କୁ ଭୋଟ ଗ୍ରହଣ କେନ୍ଦ୍ର ପର୍ଯ୍ୟନ୍ତ ନେଇ ଯାଇଥିଲେ ଆଶ୍ରିତ। ଭୋଟ୍ ଦେବାକୁ ଆସିବା ପୂର୍ବରୁ ସେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିବା କହିଛନ୍ତି।
ସେହିଭଳି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ତାଙ୍କ ପରିବାର ସହ ପିପିଲିର ପାଣିଦୋଳ ମତଦାନ କେନ୍ଦ୍ରରେ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ମତଦାନ କରିବାକୁ ତାଙ୍କ ସହ ଆସିଥିଲେ ସ୍ତ୍ରୀ, ମାଆ, ଭଉଣୀ ଓ ଭିଣୋଇ। ଠିକ୍ ସେହିପରି ପିପିଲି କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ଭୋଟ୍ ଦେଇଛନ୍ତି। ଡେଲାଙ୍ଗ ବେରବୋଇ ଅଞ୍ଚଳର ଏକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଭୋଟ୍ ଦେଇଛନ୍ତି ବିଶ୍ୱକେଶନ। ଡ଼େଲାଙ୍ଗ ପିପିଲି ଅଞ୍ଚଳରେ କିଭଳି ଶାନ୍ତିଶୃଂଖଳା ବଜାୟ ରହିବ, ତାହା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି କଂଗ୍ରେସ ପ୍ରାର୍ଥୀ।
ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନ ପାଇଁ ଆଜି କୋଭିଡ୍ କଟକଣା ମଧ୍ୟରେ ସକାଳ ୭ଟାରୁ ମତଦାନ ପକ୍ରିୟା ଆରମ୍ଭ ହୋଇ ଏବେ ବି ଜାରି ରହିଛି। ଏହା ସନ୍ଧ୍ୟା ୬ଟା ଯାଏଁ ଚାଲିବ।
ପିପିଲି ବ୍ଲକରେ ସମୁଦାୟ ୧୯୯ଟି ବୁଥ୍ ଓ ଡେଲାଙ୍ଗ ବ୍ଲକର ୧୪୯ଟି ବୁଥରେ ମତଦାନ ଜାରି ରହିଛି। ୧,୧୯,୨୦୬ ଜଣ ପୁରୁଷ ଭୋଟର ଓ ୧,୧୦,୭୯୦ଜଣ ମହିଳା ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ। ଏହାବାଦ୍ ୨ ଜଣ ତୃତୀୟ ଲିଙ୍ଗ ଓ ୩୨୧ଜଣ ସର୍ଭିସ୍ ଭୋଟର୍ ମଧ୍ୟ ଭୋଟ୍ ଦେବେ।

ସମ୍ବନ୍ଧିତ ଖବର