ଦ୍ବୈତ ଭୋଟରଙ୍କୁ ନେଇ ଅକଳରେ ପ୍ରାର୍ଥୀ

ଭୋଗରାଇ: ଆସନ୍ତା ୨୫ରେ ପଶ୍ଚିମବଙ୍ଗର କଣ୍ଟେଇ ଲୋକସଭା ଆସନ ଓ ଜୁନ୍ ୧ରେ ଓଡ଼ିଶାର ବାଲେଶ୍ବର ଲୋକସଭା ଆସନରେ ହେବ ମତଦାନ। ଏଭଳି ସମୟରେ ଶଙ୍ଖାମେଦୀ ଗାଁ’ର ଦ୍ବୈତ ଭୋଟରଙ୍କୁ ନେଇ ମୁଣ୍ଡବ୍ୟଥା ଆରମ୍ଭ ହୋଇଛି। ଗୋଟିଏ ପଟେ ଆଙ୍ଗୁଳିର ଭୋଟ୍‌ କାଳି ଲିଭିବା ଚିନ୍ତା, ଅନ୍ୟପଟେ ଭୋଟ୍‌ ବର୍ଜନ ଚେତାବନୀ ଭୟ ଘାରିଛି ଭୋଗରାଇ ନିର୍ବାଚନମଣ୍ଡଳୀର ପ୍ରାର୍ଥୀମାନଙ୍କୁ।

୧୯୨୭ ଭୂ-ବନ୍ଦବୋସ୍ତ ନକ୍ସା ଅନୁସାରେ ବାଲେଶ୍ବର ଜିଲ୍ଲା ଭୋଗରାଇ ତହସିଲ ଅନ୍ତର୍ଗତ ଅନଳିଆ ପଞ୍ଚାୟତ ଶଙ୍ଖାମେଦୀ ଗାଁ ଓଡ଼ିଶା ସରକାରଙ୍କ ଅଧୀନରେ ଥିଲା। ୧୯୫୬ ମସିହା ପର୍ଯ୍ୟନ୍ତ ଗ୍ରାମବାସୀ ଓଡ଼ିଶା ସରକାରଙ୍କୁ ଭୂ-ରାଜସ୍ୱ ପୈଠ କରୁଥିଲେ। ତେବେ ୧୯୬୦ ମସିହା ପରଠାରୁ ରାଜ୍ୟ ସରକାର ଗାଁରୁ ରାଜସ୍ୱ ନେବା ବନ୍ଦ କରିଦେଲେ। ଅନ୍ତଃରାଜ୍ୟ ସୀମାରେ ଥିବା ଉକ୍ତ ଗାଁ’ର ଲୋକମାନେ ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାରୁ ଲାଭ ପାଉଥିବା ବେଳେ ପଶ୍ଚିମବଙ୍ଗ ସରକାର ସେମାନଙ୍କୁ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଦେଇଛନ୍ତି। ଓଡ଼ିଶାରେ ମିଶିବା ପାଇଁ ଶଙ୍ଖାମେଦୀ ଗ୍ରାମବାସୀ ଓଡ଼ିଶା ସରକାରଙ୍କ ନିକଟରେ ବାରମ୍ବାର ଦାବି କରୁଛନ୍ତି, ହେଲେ ଏ ସମସ୍ୟାର ସମାଧାନ ହୋଇପାରୁନି।

ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ଗ୍ରାମବାସୀଙ୍କୁ ଭୋଟର୍‌ ପରିଚୟପତ୍ର ଦେଇଛନ୍ତି। ଫଳରେ, ନିର୍ବାଚନ ଆସିଲେ ଶଙ୍ଖାମେଦୀ ଗ୍ରାମବାସୀ ପଶ୍ଚିମବଙ୍ଗର କଣ୍ଟେଇ ଲୋକସଭା ଆସନ ସହିତ ରାମନଗର ବିଧାନସଭା କ୍ଷେତ୍ର ଓ ଓଡ଼ିଶାର ବାଲେଶ୍ବର ଲୋକସଭା, ଭୋଗରାଇ ବିଧାନସଭା ଆସନ ନିମନ୍ତେ ଭୋଟ୍‌ ଦିଅନ୍ତି। ଏଥର ଗାଁ’ର ପାଖାପାଖି ୪୦୦ ଭୋଟର୍ ଆସନ୍ତା ୨୫ରେ ପଶ୍ଚିମବଙ୍ଗ ଓ ଜୁନ୍ ୧ ତାରିଖରେ ଓଡ଼ିଶାରେ ଭୋଟ୍‌ ଦେବେ। ଯାହାକୁ ନେଇ ରାଜନୈତିକ ଦଳମାନଙ୍କ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଛି। ୨୫ ତାରିଖରେ ଗାଁ ଲୋକେ ଭୋଟ୍‌ ଦେଲେ ଅଙ୍ଗୁଳିରେ ଲାଗିବାକୁ ଥିବା କାଳି ୧ ତାରିଖ ସୁଦ୍ଧା ଲିଭିବ କି ନାହିଁ, ସେ ନେଇ ଭୋଗରାଇ ନିର୍ବାଚନମଣ୍ଡଳୀର ପ୍ରାର୍ଥୀମାନେ ଚିନ୍ତାରେ ପଡ଼ିଛନ୍ତି। କାରଣ କାଳି ଲାଗିଥିଲେ ସେମାନେ ଦ୍ବିତୀୟଥର ଭୋଟ୍‌ ଦେଇ ପାରିବେ ନାହିଁ। ଅନ୍ୟପଟେ କାଳି ଲିଭିଗଲେ ମଧ୍ୟ ସ୍ଥାୟୀ ବାସିନ୍ଦା ଦାବି ଦୋହରାଇ ରତନ ଜେନା, ପୁତୁଲ ଜେନା, ରୁମା ଜେନା, ଭାସ୍କର ଜେନା, ବିକାଶ ଜେନା, ନାରାୟଣ ଜେନା, ଗୌରୀରାଣୀ ଜେନା, ଅଜୟ ଜେନାଙ୍କ ସମେତ ଗ୍ରାମବାସୀ ଭୋଟ୍‌ ବର୍ଜନର ଚେତାବନୀ ଦେଇଛନ୍ତି। ଯାହାକୁ ନେଇ ପ୍ରାର୍ଥୀମାନେ ଅକଳରେ ପଡ଼ିଛନ୍ତି।

କେବଳ ଶଙ୍ଖାମେଦୀ ନୁହେଁ, ଭୋଗରାଇ ଓ ଜଳେଶ୍ୱର ନିର୍ବାଚନମଣ୍ଡଳୀ ଅଧୀନ ୮୨ଟି ଗାଁ ପଡ଼ୋଶୀ ପଶ୍ଚିମବଙ୍ଗ ରାଜ୍ୟ ସୀମାକୁ ଲାଗିରହିଛି। ବ୍ୟବସ୍ଥାଗତ ତ୍ରୁଟିର ଫାଇଦା ଉଠାଇ ସେଠାକାର ହଜାର ହଜାର ଲୋକ ଉଭୟ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଭୋଟ୍‌ ଦେଉଛନ୍ତି। ଏହାଛଡ଼ା ରାଜ୍ୟନ୍ତର ହୋଇଥିବା ବଙ୍ଗାଳୀ ଓ ଦେଶାନ୍ତର ହୋଇଥିବା ଅନେକ ବାଂଲାଦେଶୀ ମଧ୍ୟ ଭାରତର ଭୋଟର୍‌ ପରିଚୟପତ୍ର ହାତେଇ ଭୋଟ୍‌ ଦେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର