ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ସରିବା ପରେ ଶନିବାର ଯାଞ୍ଚ ହୋଇଛି। ଆଜି ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ଏହାସହ ୨୩ରୁ ୨୫ତାରିଖ ମଧ୍ୟରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିହେବ। ୨୫ତାରିଖ ଅପରାହ୍ନ ୩ଟା ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଏହାପରେ ଜଣାପଡ଼ିବ ନିର୍ବାଚନ ମଇଦାନକୁ କେତେ ପ୍ରାର୍ଥୀ ଓହ୍ଲାଇଲେ। ଏହିଠାରୁ ହିଁ ପ୍ରଚାର ଜୋର୍ ଧରିବ। ହେଲେ ନିର୍ବାଚନ କମିସନଙ୍କ ତଥ୍ୟକୁ ସମୀକ୍ଷା କଲେ ଜଣାପଡ଼ୁଛି ବହୁ ସ୍ଥାନରେ ୱାର୍ଡ ମେମ୍ବର ପ୍ରାର୍ଥୀମାନେ ଅପ୍ରତିନ୍ଦ୍ବନ୍ଦ୍ବୀ ଅଛନ୍ତି।
ରାଜ୍ୟରେ ୯୧୮୯୦ଟି ୱାର୍ଡ ପାଇଁ ୧,୬୨,୨୯୭ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ମୋଟ୍ ୱାର୍ଡ ସଂଖ୍ୟାକୁ ଦେଖିଲେ ଯଦି ପ୍ରତି ୱାର୍ଡରେ ଦୁଇ ଜଣ ପ୍ରାର୍ଥୀ ରହିଥାନ୍ତେ ତେବେ ୧,୮୩,୭୮୦ଜଣ ନାମାଙ୍କନ ପତ୍ର ଦାଖଲ କରିଥାନ୍ତେ। ହେଲେ ଏହାଠାରୁ ୨୧,୪୮୩ଜଣ କମ୍ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ବହୁ ସ୍ଥାନରେ ୱାର୍ଡମେମ୍ବର ପ୍ରାର୍ଥୀ ନିର୍ବାଚନ ପୂର୍ବରୁ ବିଜୟୀ ହେବେ। ଏଥର ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୧୨୨୭୯ଜଣ ୱାର୍ଡମେମ୍ବର ହେବା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ସେହିପରି ଚଳିତ ଥର ୬୭୯୩ଟି ସରପଞ୍ଚ ପଦବି ପାଇଁ ମୋଟ୍ ୩୪,୬୧୩ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ମୟୂରଭଞ୍ଜରେ ସର୍ବାଧିକ ୨୫୦୦ଜଣ ଅଛନ୍ତି। ୬୭୯୩ଟି ସମିତି ସଭ୍ୟ ପାଇଁ ୨୮୧୫୩ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ମୟୂରଭଞ୍ଜରେ ସର୍ବାଧିକ ୨୧୨୬ଜଣ ପ୍ରାର୍ଥୀ ଅଛନ୍ତି। କିନ୍ତୁ ଜିଲ୍ଲା ପରିଷଦ ପାଇଁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୬ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆବେଦନ ହୋଇଥିବା ପ୍ରାର୍ଥିପତ୍ର ସଂଖ୍ୟା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲା ସବୁଠୁ ଆଗରେ ଅଛି। ଏଠାରେ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ପାଇଁ ମୋଟ୍ ୧୫,୯୪୯ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ୨୫ତାରିଖ ଦିନ ଜଣାପଡ଼ିବ କେଉଁଠି କେତେ ପ୍ରାର୍ଥୀଙ୍କ ମଧ୍ୟରେ ଚୂଡ଼ାନ୍ତ ଲଢ଼େଇ ହେବ।