ପଞ୍ଚାୟତ ନିର୍ବାଚନ: ବିନା ଲଢ଼େଇରେ ଜିତିଲେ ୩୬୯୭୬ ପ୍ରାର୍ଥୀ; ଜଣେ ଜିଲ୍ଲା ପରିଷଦ, ୧୨୬ ସରପଞ୍ଚ ଆଗୁଆ ବାଜି ମାରିନେଲେ

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଫେବ୍ରୁଆରି ୧୬ରୁ ମତଦାନ ଆରମ୍ଭ ହେବାକୁ ଥିବା ବେଳେ ପ୍ରାର୍ଥୀମାନେ ଏବେଠୁ ଜୋରଦାର୍ ପ୍ରଚାର କଲେଣି। କେମିତି ନିର୍ବାଚନ ବୈତରଣୀ ପାର୍‌ ହେବେ ସେନେଇ ରାତି ଦିନ ଏକ କରିଦେଇଛନ୍ତି। ହେଲେ ୩୬୯୭୬ ପ୍ରାର୍ଥୀ ଏବେ ନିଶ୍ଚିନ୍ତ ହୋଇ ବୁଲୁଛନ୍ତି। ଭୋଟ୍‌ ହେବା ପୂର୍ବରୁ ସେମାନେ ବିଜୟ ମୁକୁଟ ପିନ୍ଧି ସାରିଲେଣି। କେଉଁଠି ତାଙ୍କ ବିରୁଦ୍ଧରେ କେହି ପ୍ରାର୍ଥିପତ୍ର ଦାଖଲ କଲେନି ତ କେଉଁଠି ପ୍ରାର୍ଥୀ ନାମାଙ୍କନପତ୍ର ପ୍ରତ୍ୟାହାର କରିଦେଇଛନ୍ତି।

ରାଜ୍ୟ ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ, ଏଥର ମୋଟ୍‌ ୯୧୮୯୦ଟି ୱାର୍ଡମେମ୍ବର ପଦବି ମଧ୍ୟରୁ ୩୬୫୨୩ଟିରେ, ୬୭୯୩ ସରପଞ୍ଚ ପଦବି ମଧ୍ୟରୁ ୧୨୬, ୬୭୯୩ ପଞ୍ଚାୟତ ସମିତି ପ୍ରାର୍ଥୀଙ୍କ ମଧ୍ୟରୁ ୩୨୬, ୮୫୩ଜଣ ଜିଲ୍ଲା ପରିଷଦ ପଦବି ମଧ୍ୟରୁ ଗୋଟିଏ ଆସନରେ ପ୍ରାର୍ଥୀ ବିନା ଲଢ଼େଇରେ ନିର୍ବାଚିତ ହୋଇଛନ୍ତି। ବରଗଡ଼ ଜିଲ୍ଲାର ଆମ୍ବଭୋରା ବ୍ଲକର ଜୋନ୍‌-୨ର ଜିଲ୍ଲା ପରିଷଦ ସଭ୍ୟ ଭାବେ ବିଜେଡି ପ୍ରାର୍ଥୀ କଳ୍ପନା ପ୍ରଧାନ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ ଏଥର ନାମାଙ୍କନପତ୍ର ଯାଞ୍ଚ ବେଳେ ୱାର୍ଡମେମ୍ବରରେ ୫୫୪୪ଜଣ, ସରପଞ୍ଚରେ ୧୭୫୩, ପଞ୍ଚାୟତି ସମିତିରେ ୧୧୧୯, ଜିଲ୍ଲା ପରିଷଦ ସଦସ୍ୟ ପଦବିରେ ୨୩୨ଜଣଙ୍କର ନାମାଙ୍କନ ପତ୍ର ନାକଚ ହୋଇଛି।

ସମ୍ବନ୍ଧିତ ଖବର