ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ବି ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବାବେଳେ ଏକ ସତ୍ୟପାଠ ଦେବେ। ଏଥିରେ ସେମାନେ ନିଜର ଶିକ୍ଷାଗତ ଯୋଗ୍ୟତା, ସମ୍ପତ୍ତି ତାଲିକା, କୌଣସି ଅପରାଧିକ ମାମଲା ଥିଲେ ସେ ସମ୍ବନ୍ଧୀୟ ସବିଶେଷ ତଥ୍ୟ ଆଦି ଦାଖଲ କରିବେ। ଏହାସହ ନିଜ ପରିବାର ଲୋକଙ୍କ ଗତ ୫ବର୍ଷର ଆୟକର ଦାଖଲ ରିପୋର୍ଟ ଦେବେ। ଇ-ମେଲ୍‌ ଆଇଡି, ଘର ଥିଲେ କେତେ ଅଞ୍ଚଳର, କେଉଁ ଉଦ୍ଦେଶ୍ୟରେ ବ୍ୟବହାର ହେଉଛି ଆଦି ଦେବେ। ପୂର୍ବରୁ ଯେଉଁ ଫର୍ମାଟରେ ସତ୍ୟପାଠ ଦେଉଥି‌େଲ ଏଥର ସେପରି ଦେବେନି। ଭାରତର ନିର୍ବାଚନ କମିସନଙ୍କ ପକ୍ଷରୁ ଜାରି ହୋଇଥିବା ଫର୍ମାଟରେ ସତ୍ୟପାଠ ଦେବେ। ୨୦୧୯ ସାଧାରଣ ନିର୍ବା‌ଚନବେଳେ ଯେଉଁ ଫର୍ମାଟରେ ସତ୍ୟପାଠ ‌ଦାଖଲ ହୋଇଥିଲା ସେହି ଫର୍ମାଟରେ ସତ୍ୟପାଠ ଦେବାକୁ ଗୁରୁବାର ଦିନ ନିର୍ବାଚନ କମିସନର ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ କହିଛନ୍ତି। ଯଦି ସତ୍ୟପାଠ ନଦେବେ ତେବେ ନାମାଙ୍କନପତ୍ର ନାକଚ ହେବ।

Advertisment

ହେଲେ ପରବର୍ତ୍ତୀ ସମୟରେ ସତ୍ୟପାଠ ଭୁଲ୍‌ ଥିବା ପ୍ରମାଣିତ ହେଲେ ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ ଲାଗୁ ହୋଇଥିବା ନିୟମ ଭଳି ପୌରାଞ୍ଚଳ ପ୍ରତିନିଧିଙ୍କୁ ୬ମାସ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ କିମ୍ବା ଆର୍ଥିକ ଜରିମାନା ବା ଉଭୟ ଦଣ୍ଡ ମିଳିବ ନାହିଁ। ଏନେଇ ରାଜ୍ୟ ସରକାର ଆବଶ୍ୟକୀୟ ଆଇନରେ ସଂଶୋଧନ କରିନଥିବାରୁ ଏହା ଲାଗୁ ହେବନି।

ଆସନ୍ତା ପୌର ନିର୍ବାଚନ ପାଇଁ ଆଜି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ଗୀତଗୋବିନ୍ଦ ସଦନରେ ସର୍ବଦଳୀୟ ବୈଠକ ଡାକି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟର ୪୮ଟି ମ୍ୟୁନିସପାଲଟି, ୫୯ଟି ବିଜ୍ଞପିତ ପରିଷଦ ଅଞ୍ଚଳ ଏବଂ ୩ଟି ମହାନଗର ନିଗମରେ ନିର୍ବାଚନ ହେବାକୁ ଥିବାରୁ ରାଜନୈତିକ ଦଳଗୁଡ଼ିକର ସହଯୋଗ ଲୋଡ଼ିବା ସହ ସେମାନଙ୍କର ଅଭିଯୋଗ ଓ ପ୍ରସ୍ତାବ ବିଚାର କରିବାକୁ କହିଥିଲେ। ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମାଠାରୁ ଆରମ୍ଭ କରି, ଏଥର ଇଭିଏମ୍‌ରେ ଭୋଟିଂ ହେବା, ଲାଗୁ ହେବାକୁ ଥିବା ଆଦର୍ଶ ଆଚରଣ ବିଧି ଏବଂ ଅନ୍ୟାନ୍ୟ ନିୟମାବଳୀ ବିଷୟରେ ଆଲୋଚନା କରିଛନ୍ତି।

ଏହି ବୈଠକରେ କଂଗ୍ରେସ ପକ୍ଷରୁ ଶିବାନନ୍ଦ ରାୟ, ବିଜେପି ପକ୍ଷରୁ ଦିଲ୍ଲୀପ କୁମାର ମଲ୍ଲିକ, ଜୟନ୍ତ ଜେନା, ବି‌େଜଡି ପକ୍ଷରୁ ସୁଲତା ଦେଓ, ରିପବ୍ଲିକ ପାର୍ଟିର ରମେଶ ରଥ, ସିପିଆଇର ରମେଶ ପାଢ଼ୀ, ସିପିଆଇ(ଏମ୍‌)ର ଦୁଷ୍ମନ୍ତ ଦାସ, କଳିଙ୍ଗ ସେନାର ହେମନ୍ତ ରଥ, ସମାଜବାଦୀ ପାର୍ଟିର ସୁଦର୍ଶନ ପ୍ରଧାନ, ସିପିଆଇର ରାଧାକାନ୍ତ ସେଠୀ, ଫରୱାର୍ଡ ବ୍ଲକର ଜ୍ୟୋତିରଞ୍ଜନ ମହାପାତ୍ର, ବିଏସ୍‌ପି ଓ ସୁପ୍ରିମ ପାର୍ଟି ଅଫ୍‌ ଇଣ୍ଡିଆର ପ୍ରତିନିଧିମାନେ ଯୋଗଦେଇଥିଲେ। ଏହାସହ ନିର୍ବାଚନ କମିସନଙ୍କ ପକ୍ଷରୁ ସଚିବ ରବୀନ୍ଦ୍ରନାଥ ସାହୁ, ଉପସଚିବ ଆଜାଦ୍‌ହିନ୍ଦ୍‌ ପାଣିଗ୍ରାହୀ ଓ ନିର୍ବାଚନ ଆୟୋଗର ଆଇନ୍‌ ଅଧିକାରୀ ମାଧୁରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ବିଜେପି ଏହି ବୈଠକରେ କହିଛି ଯେ, ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଥିବାବେଳେ କୌଣସି ତ୍ରୁଟି ଥିଲେ ଅଭିଯୋଗ ସମୟକୁ ୧୦ରୁ ୬ଦିନକୁ ହ୍ରାସ କରାଯାଇଛି। ସେହିପରି ଦାଖଲ ହୋଇଥିବା ଅଭିଯୋଗର ତଦନ୍ତ ଓ ଫଇସଲା ପାଇଁ ଧାର୍ଯ୍ୟ ୩ଦିନକୁ କମାଯାଇ ଗୋଟିଏ ଦିନ କରାଯାଇଛି। ଏହି ଅଳ୍ପ ସମୟରେ ଭୋଟର ତାଲିକାରେ ଥିବା ତ୍ରୁଟିକୁ ଅନୁଧ୍ୟାନ କରି ସଂଶୋଧନ କରିବା ସମ୍ଭବ ନୁହେଁ। ନିର୍ବାଚନ କମିସନ ଏହିଭଳି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବା ପଛରେ ରହସ୍ୟ କ’ଣ? ସେହିପରି ବିଜ୍ଞପ୍ତି ପ୍ରକାଶ ହୋଇଥିବା ଫେବ୍ରୁଆରି ୨ତାରିଖକୁ ଆଧାର କରି ନୂତନ ଭୋଟରମାନଙ୍କୁ ତାଲିକାଭୁକ୍ତ କରାଯାଉ। ନଚେତ୍ ୧୮ବର୍ଷ ବୟସ୍କ ବହୁ ନୂତନ ଭୋଟର ଭୋଟଦାନରୁ ବଞ୍ଚିତ ହେବେ। ସେହିପରି ଏଜେଣ୍ଟ ନିଯୁକ୍ତି ପ୍ରକ୍ରିୟାକୁ ବି ସରଳୀକରଣ କରାଯାଉ ବୋଲି ଦାବି କରାଯାଇଥିଲା।

କଂଗ୍ରେସ ବି ଭୋଟର ତାଲିକା ପ୍ରକାଶ ଏବଂ ସଂଶୋଧନ ପାଇଁ ଦିଆଯାଇଥିବା କମ୍‌ ଅବଧି ନେଇ ପ୍ରଶ୍ନ ଉଠାଇଥିଲା।

ଅପରପକ୍ଷେ କୌଣସି ରାଜନୈତିକ ଦଳ ଭୋଟ୍‌ ଦାନ ଅବଧି ବଢ଼ାଇବା, ପ୍ରାର୍ଥୀଙ୍କ ଖର୍ଚ୍ଚ ବଢ଼ାଇବା ନେଇ କୌଣସି ପ୍ରକାରର ପ୍ରସ୍ତାବ ଦେଇନଥିବା ଜଣାପଡ଼ିଛି।