ବାଲିପାଟଣା : ପଶ୍ଚିମବଙ୍ଗରେ ଡାକ୍ତରୀ ଛାତ୍ରୀକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଅଭିଯକ୍ତକୁ ଆଇନଗତ ଦଣ୍ଡ ସହ ଫାଶୀ ଦେବା ଦାବିରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାରେ ଶନିବାର ସନ୍ଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଛାତ୍ର ନେତା ସନ୍ଦୀପ ରାଉତରାୟଙ୍କ ନେତୃତ୍ୱରେ କଳିଙ୍ଗ ଭାରତୀୟ ନାଗରିକ ଯୁବ ସଙ୍ଘ ପକ୍ଷରୁ ଶିଶୁ ଅନନ୍ତ ମହାବିଦ୍ୟାଳୟ ଫାଟକ ଠାରୁ ବାଲିପାଟଣା ବଜାର ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇଥିଲା। କର୍ମକର୍ତ୍ତାମାନେ ହାତରେ ବ୍ୟାନର ଓ ମହମବତୀ ଜାଳି ମହିଳାଙ୍କୁ ନ୍ୟାୟ ଦାବିରେ ସ୍ଲୋଗାନ ଦେଇଥିଲେ।
ମହିଳାମାନଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର କ୍ଷେତ୍ରରେ ସରକାର କଠୋର ଆଇନ ଲାଗୁ କରନ୍ତୁ ଏବଂ ଦୋଷୀଙ୍କୁ ଉଚିତ ଦଣ୍ଡ ପ୍ରଦାନ କ୍ଷେତ୍ରରେ ସ୍ୱତନ୍ତ୍ର ଆଇନ ଲାଗୁ କରିବା ପାଇଁ ଛାତ୍ର ସଙ୍ଘ ପକ୍ଷରୁ ଦାବି ଉଠିଛି। ଅନ୍ୟମାନଙ୍କ ମଧ୍ୟରେ ସ୍ମୃତି ରଞ୍ଜନ ସ୍ୱାଇଁ, ସୌମ୍ୟ ରାୟ, ଅମିତ କୁମାର ବାରିକ, ସୋମନାଥ ସାମଲ, ପ୍ରକାଶ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ। ବାଲିପାଟଣା ପୁଲିସ ସୁରକ୍ଷା ଦାୟିତ୍ୱ ତୁଲାଇ ଥିଲେ।