ମାଲକାନଗିରି: ମାଲକାନଗିରି ନିକଟସ୍ଥ ଏମ୍ଭି-୩ ଗ୍ରାମରେ ଥିବା କେନ୍ଦୁପତ୍ର ଗୋଦାମରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। କୋଟିକୋଟି ଟଙ୍କାର କେନ୍ଦୁପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି। ସୂଚନା ଅନୁଯାୟୀ, ଗତକାଲି ରାତିରେ କେନ୍ଦୁପତ୍ର ଗୋଦାମ ହଠାତ୍ ହୁତ୍ହୁତ୍ ହୋଇ ଜଳିବା ଆରମ୍ଭ କରିଥିଲା। ଶୁଖିଲା ପତ୍ର ରହିଥିବାରୁ ନିଆଁର ପ୍ରକୋପ ବଢ଼ିବା ସହ ଚାରିଆଡ଼କୁ ବ୍ୟାପିବା ଆରମ୍ଭ କରିଥିଲା। ଏହା ଦେଖିବା ପରେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ହେଁ ସୁଫଳ ମିଳିନଥିଲା। ଅଗ୍ନିଶମ ବିଭାଗ ଓ ଗୋଦାମ ମାଲିକ ଗୋପାଳ ସିକଦାରଙ୍କୁ ସୂଚନା ଦିଆଯାଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ନିଆଁ ଲିଭାଇବା ପାଇଁ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ଅକ୍ଳାନ୍ତ ପରିଶ୍ରମ ପରେ ଆଜି ସକାଳେ ନିଆଁକୁ ଆୟତ୍ତ କରାଯାଇଥିଲା। ଆଜି ସକାଳୁ ମଧ୍ୟ ଅଗ୍ନିଶମ କର୍ମଚାରୀ କେନ୍ଦୁପତ୍ର ବିଡ଼ାକୁ ଓଲଟାଇ ପାଣି ସିଞ୍ଚନ କରୁଥିବା ଦେଖିବାକୁ ମିଳିଥିଲା।
ଅନ୍ୟପଟେ କେନ୍ଦୁପତ୍ର ଗୋଦାମରେ ଥିବା କୋଟି କୋଟି ଟଙ୍କାର କେନ୍ଦୁପତ୍ର ପୋଡ଼ିଯିବା ପରେ ଗୋଦାମ ମାଲିକ ଶ୍ରୀ ସିକଦାର ଚିନ୍ତାରେ ପଡ଼ିଛନ୍ତି। ଗୋଦାମରେ କିଏ ନିଆଁ ଲଗାଇଲା ନା ଅନ୍ୟ କୌଣସି କାରଣରୁ ନିଆଁ ଲାଗିଛି ତାହା ଅସ୍ପଷ୍ଟ ରହିଛି। ଏହା କୌଣସି ଦୁର୍ବୃତ୍ତଙ୍କ କାମ ହୋଇଥାଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି। ରାତିରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସର ତଦନ୍ତ ପରେ ହିଁ ନିଆଁ ଲାଗିବାର କାରଣ ସ୍ପଷ୍ଟ ହେବ। ଅଗ୍ନିକାଣ୍ଡ ପରେ ଜିଲ୍ଲାରେ ଥିବା ଅନ୍ୟ କେନ୍ଦୁପତ୍ର ଗୋଦାମର ମାଲିକମାନେ ସତର୍କ ହୋଇଯାଇଛନ୍ତି।