ଗଞ୍ଜାମ: ୧୬ ନମ୍ବର ଜାତୀୟ ରାଜପଥ ଗଞ୍ଜାମ ଥାନା ଅଧୀନ ପୁଇଁତୋଳା ଛକରେ ଆଜି ଭୋର୍ରେ ଚୋରା ଗଞ୍ଜେଇ ମାଫିଆ ଓ ପୁଲିସ ଟିମ୍ ମୁହାଁମୁହିଁ ହୋଇଛନ୍ତି। ଟ୍ରକ୍ରେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ଧରପଗଡ଼ ପାଇଁ ଯାଇଥିବା ପୁଲିସ ଟିମ୍ ଉପରକୁ ଗଞ୍ଜେଇ ବେପାରୀ ଖଣ୍ଡାରେ ପ୍ରାଣାନ୍ତକ ଆକ୍ରମଣ କରିଛି। ଏଥିରେ ଗଞ୍ଜାମ ଥାନାଧିକାରୀ ସୁମିତ୍ରା ପାତ୍ର, ଏଏସ୍ଆଇ ବି.ହନୁମନ୍ତ ରାଓ ଏବଂ ଦୁଇଜଣ କନଷ୍ଟେବଳ ନିତ୍ୟାନନ୍ଦ ଶବର ଏବଂ ଦୀନବନ୍ଧୁ ମଲ୍ଲିକ ଆହତ ହୋଇଛନ୍ତି। ଧସ୍ତାଧସ୍ତି ପରେ ଗଞ୍ଜେଇ ବେପାରୀ ନବଘନ ବିଶ୍ବାଳ (୩୪)କୁ ଗିରଫ କରାଯାଇଛି। ତେବେ, ଆଉ ୩ ଜଣ ଚାଲାଣ ହେଉଥିବା ଟ୍ରକ୍ ସହ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ବିଳମ୍ବିତ ରାତିରେ ନବଘନ ବାହାର ରାଜ୍ୟକୁ ଟ୍ରକ୍ ଯୋଗେ ଗଞ୍ଜେଇ ଚାଲାଣ କରୁଥିଲା। ପୁଇଁତୋଳା ଛକରେ ତା’ର ଏକ ଭେରାଇଟି ଷ୍ଟୋର୍ ରହିଛି। ଫଳରେ ତାକୁ କାବୁ କରିବାକୁ ଗଞ୍ଜାମ ଥାନା ପୁଲିସ କଡ଼ା ନଜର ରଖିଥିଲା। ଆଜି ଭୋର୍ ପ୍ରାୟ ୪ଟାରେ ପୁଲିସର ଏକ ଟିମ୍ ସାଦା ପୋଷାକରେ ପୁଇଁତୋଳା ଛକର ଦୋକାନ ସମେତ ବିଭିନ୍ନ ସ୍ଥାନରେ ଛକି ରହିଥିଲେ। ଏହିସମୟରେ ଏକ ଟ୍ରକ୍ ନବଘନର ଦୋକାନ ଆଗରେ ଅଟକିଥିଲା। ଚାଳକଜଣକ ଦୋକାନ ଭିତରକୁ ଯାଇ କିଛିସମୟ ପରେ ଟ୍ରକ୍ ନେଇ ଭୁବନେଶ୍ବର ଅଭିମୁଖେ ବାହାରିବାକୁ ପ୍ରସ୍ତୁତ ହୋଇଥିଲା। ଥାନାଧିକାରୀ ସୁମିତ୍ରାଙ୍କ ନେତୃତ୍ବରେ ଆସିଥିବା ଟିମ୍ ଅତର୍କିତ ଭାବେ ନବଘନର ଦୋକାନ ଉପରେ ଚଢ଼ଉ କରିଥିଲେ। ଅନ୍ଧାରର ସୁଯୋଗ ନେଇ ଦୁଇଜଣ ସେଠାରୁ ଚମ୍ପଟ ମାରିଥିଲେ। ନବଘନ ଦୋକାନ ଭିତରେ ରଖିଥିବା ପ୍ରାୟ ତିନିଫୁଟ ଲମ୍ବର ଏକ ଖଣ୍ଡା ବାହାର କରି ପୁଲିସ ଟିମ୍ ସଦସ୍ୟଙ୍କୁ ହାଣିବାକୁ ଉଦ୍ୟମ କରିଥିଲା। ତାକୁ କାବୁ କରିବାକୁ ଚେଷ୍ଟା କଲାବେଳେ ନବଘନ ଏଏସ୍ଆଇ ହନୁମନ୍ତଙ୍କ ଉପରକୁ ଖଣ୍ଡା ଚୋଟ ପକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ, ହନୁମନ୍ତ ଡାହାଣ ହାତ ଦେଖାଇ ଦେବାରୁ ଚୋଟ ବାଜି ଗୁରୁତର ହୋଇଥିଲେ। ସେହିପରି, କନଷ୍ଟେବଳ ନିତ୍ୟାନନ୍ଦଙ୍କ ଜଙ୍ଘ ଓ ଦୀନବନ୍ଧୁଙ୍କ ଅଣ୍ଟା ତଳଭାଗକୁ ସେ ଖଣ୍ଡାରେ ଆକ୍ରମଣ କରି ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲା। ଥାନାଧିକାରୀ ସୁମିତ୍ରା ପାତ୍ର ନିଜର ସର୍ଭିସ୍ ରିଭଲଭର୍ ଦେଖାଇ ନବଘନକୁ ଅଟକିବାକୁ କହିଥିବା ବେଳେ ସେ ଖଣ୍ଡାଟିକୁ ତାଙ୍କ ଉପରକୁ ଫୋପାଡ଼ିବାରୁ କାନରେ ଗଭୀର ଆଘାତ ଲାଗିଛି। ତଥାପି ଲହୁଲୁହାଣ ହୋଇଥିବା ପୁଲିସ ଟିମ୍ ନବଘନକୁ କାବୁ କରିବାରେ ସଫଳ ହୋଇଥିଲେ। ଥାନାଧିକାରୀଙ୍କ ସମେତ ଅନ୍ୟମାନଙ୍କୁ ଗଞ୍ଜାମ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଅନ୍ୟପକ୍ଷରେ ପୁଇଁତୋଳା ଛକରେ ଚାପା ଉତ୍ତେଜନା ଲାଗି ରହିଛି। ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ୨ ସେକ୍ସନ୍ ପୁଲିସ ଫୋର୍ସ ପହଞ୍ଚିଛନ୍ତି। ଅଭିଯୁକ୍ତ ନବଘନ ଅନ୍ତଃରାଜ୍ୟ ଗଞ୍ଜେଇ ବେପାର ଚଳାଉଥିବା ପ୍ରାଥମିକ ସୂଚନାରୁ ଜଣାଯାଇଛି। ଏ ସମ୍ପର୍କରେ ଗଞ୍ଜାମ ଏସ୍ପି ଜଗମୋହନ ମୀନା କହନ୍ତି, ଅଭିଯୁକ୍ତର ଆକ୍ରମଣରେ କେବଳ ଜଣେ ଏଏସ୍ଆଇ ଆହତ ହୋଇଛନ୍ତି। ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ସେହିପରି, ଅଭିଯୁକ୍ତ ଜଣଙ୍କ ବେଆଇନ ମଦ ବିକ୍ରି କରୁଥିବା ଖବର ପାଇ ଏହି ଚଢ଼ଉ କରାଯାଇଥିବା ପୁଲିସ ତରଫରୁ କୁହାଯାଇଛି।