ଭୁବନେଶ୍ବର : ଆସନ୍ତାକାଲିଠାରୁ ଓପିଜିସିର ଅଚଳ ୟୁନିଟ୍ କାର୍ଯ୍ୟକ୍ଷମ ହେବ। ପାଖାପାଖି ଅତିକମରେ ୪ଶହ ମେଗାଵାଟ୍ ବିଦ୍ୟୁତ୍ ଏଥିରୁ ମିଳିବ ବୋଲି ଲକ୍ଷ୍ୟ ରଖାଯାଇଛି। କେବଳ ସେତିକି ନୁହେଁ, ଘରୋଇ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା (ଆଇପିପି) ବେଦାନ୍ତ ଠାରୁ ସଂପ୍ରତି ଦୈନିକ ୫୦୦ ମେଗାଵାଟ୍ ବିଦ୍ୟୁତ୍ ଅଣାଯାଉଥିବା ବେଳେ ଗ୍ରିଡ୍କୋ ପାଦେ ଆଗକୁ ଯାଇ ଆସନ୍ତା ତିନିମାସ ପାଇଁ ବିଦ୍ୟୁତ୍ ଯୋଗାଣ ଲାଗି ଆଗୁଆ ଆବେଦନ କରିସାରିଛି। ଏହାଠାରୁ ଆହୁରି ବଡ କଥା ହେଲା, ଦୀର୍ଘ ତିନିବର୍ଷ ଧରି ଜିନ୍ଦଲ ଓଡ଼ିଶାକୁ ବିଦ୍ୟୁତ ଦେଉନଥିଲା। ଗୋଟିଏ ମାମଲା ରୁଜୁ କରି କଂପାନି ଓଡ଼ିଶାର ପ୍ରାପ୍ୟକୁ ଟାଳି ଆସୁଥିଲା। ଏହି ମାମଲା ଏବେ ବି ସେହି ଅବସ୍ଥାରେ ରହିଛି; ଅଥଚ ଜିନ୍ଦଲ ଠାରୁ ଏବେ ୬୫ ମେଗାଵାଟ୍ ବିଦ୍ୟୁତ ଆଣିଲାଣି ଗ୍ରିଡ୍କୋ। ଖୁବ୍ ଶୀଘ୍ର ଏହା ୧୦୦ ମେଗାଵାଟ୍କୁ ବୃଦ୍ଧି ପାଇବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ରାଜ୍ୟରେ କୃତ୍ରିମ ବିଦ୍ୟୁତ୍ ସଙ୍କଟ ସୃଷ୍ଟି କରି ଯେଉଁ ବିଦ୍ୟୁତ୍ କାଟ ଭେଳିକି ସୃଷ୍ଟି କରାଯାଇଥିଲା, ତା’ର ପର୍ଦାଫାଶ ପରେ ଗ୍ରିଡ୍କୋ କର୍ତ୍ତୃପକ୍ଷ ଏବେ ଏଭଳି ଢଙ୍ଗରେ ଚେତିଛନ୍ତି। ଯଦିଓ ଦର୍ଲିପାର୍ଲି ପ୍ରକଳ୍ପ ଏଯାଏ ସଚଳ ହୋଇନାହିଁ ତଥାପି ପିକ୍ ସମୟରେ ବିଦ୍ୟୁତ୍ର ଯେତିକି ଚାହିଦା ରହିଛି, ତାହା ଯୋଗାଇବା କ୍ଷେତ୍ରରେ କୌଣସି ସମସ୍ୟା ନାହିଁ। ଅର୍ଥାତ୍ ରାଜ୍ୟରେ ବିଜୁଳି ଅଭାବ କହି ଘନ ଘନ ବିଦ୍ୟୁତ୍ କାଟ୍ ଲାଗି ଆବଣ୍ଟନ କଂପାନିମାନଙ୍କ ବାହାନା ଆଉ କେହି ଗ୍ରହଣ କରିବେ ନାହିଁ।
୫୦୦ ମେଗାଓ୍ୱାଟ୍ ଯାଏ ବିଦ୍ୟୁତ୍ ଦେଲାଣି ବେଦାନ୍ତ, ଆଉ ୩ ମାସ ପାଇଁ ମାଗିଲେ
ମାମଲା ଯେମିତିକୁ ସେମିତି ରହିଛି, ଏବେ ଜିନ୍ଦଲ୍ ବି ବିଦ୍ୟୁତ୍ ଦେଲା
ଶେଷରେ ସଚଳ ହେଲା ଓପିଜିସିର ମରାମତିରେ ଥିବା ୟୁନିଟ୍
/sambad/media/post_attachments/wp-content/uploads/2022/02/electric-300x175.jpg)
ଗୋଟିଏ ଚିତ୍ର ସାମ୍ନାକୁ ଆସୁଛି ଯେ ଗତକାଲି (ରବିବାର) ଆବଣ୍ଟନକାରୀ କଂପାନି ୪୭୮୬ ମେଗାଵାଟ୍ ବିଦ୍ୟୁତ୍ ମାଗିଥିଲେ। କିନ୍ତୁ ପାଗରେ ପରିବର୍ତ୍ତନ ହେଉ କିମ୍ବା ଆବଣ୍ଟନକାରୀ କଂପାନି ଘନ ଘନ ବେଆଇନ ବିଦ୍ୟୁତ୍ କାଟ୍ କରନ୍ତୁ ଅଥବା ଚାହିଦା କମିଥାଉ ମାତ୍ର ୪୪୮୫ ମେଗାଵାଟ୍ ବିଦ୍ୟୁତ୍ ଉଠାଣ ହୋଇଥିଲା। ଜଳବିଦ୍ୟୁତ୍ କ୍ଷେତ୍ରରୁ ୩୫୩ ମେଗାଵାଟ୍, ତାପଜ ବିଦ୍ୟୁତ୍ କ୍ଷେତ୍ରରୁ ୯୧୬ ମେଗାଵାଟ୍, ବେଦାନ୍ତ ଏବଂ ଜିଏମ୍ଆର୍ ଭଳି ଆଇପିପିରୁ ୮୨୭ ମେଗାଵାଟ୍, ସିଜିପିରୁ ୩୯୭ ମେଗାଵାଟ୍ ଏବଂ କେନ୍ଦ୍ରୀୟ ସୂତ୍ରରୁ ୧୯୮୪ ମେଗାଵାଟ୍ ବିଦ୍ୟୁତ୍ ସଂଗ୍ରହ କରି ଚାହିଦା ମେଣ୍ଟାଇଥିଲା ଗ୍ରିଡ୍କୋ।
ମିଳିଥିବା ସୂଚନା ମୁତାବକ, ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ସହିତ ବିଦ୍ୟୁତ୍ ଚାହିଦା ବହୁ ପରିମାଣରେ ବଢ଼ିଯାଇଥିଲା। ଘନ ଘନ ବିଦ୍ୟୁତ୍ କାଟ୍ ସତ୍ତ୍ବେ ବିଜୁଳି ଭରଣା କରିବା ସମ୍ଭବ ହେଉନାହିଁ ବୋଲି ଗୋଟିଏ ଧାରଣା ସୃଷ୍ଟି କରାଯାଇଥିଲା। ଏହାକୁ ଆଳ କରି ଗ୍ରିଡ୍କୋ ଗତ ସପ୍ତାହେ ହେଲାଣି, ଦୈନିକ ୫୦ରୁ ୧୦୦ ମେଗାଵାଟ୍ ବିଦ୍ୟୁତ୍ ଅତି ଉଚ୍ଚା ଦରରେ କିଣିବା ସହିତ ଚାହିଦାର ମୁକାବିଲା କରୁଛି। ଏପଟେ ମାମଲା କରି ଜିଦରେ ଥିବା ଜିନ୍ଦଲକୁ ସରକାର ଜାଲରେ ଛନ୍ଦିଛନ୍ତି। ସଂପ୍ରତି ଜିନ୍ଦଲର କୋଇଲା ସଙ୍କଟ ହେବାରୁ ରାଜ୍ୟ ସରକାରଙ୍କ ଶରଣକୁ ସେ ଆସିଛି ଏବଂ ଗ୍ରିଡ୍କୋ ଏହାର ମଉକା ନେଇ ତା’ଠାରୁ ବିଜୁଳି ଆଦାୟ କଲାଣି। ସେହିଭଳି ଆଇପିପି ବେଦାନ୍ତ ସହିତ ଭିତିରି ବୁଝାମଣା କାରଣରୁ ଶସ୍ତା ବିଦ୍ୟୁତ ହାତଛଡ଼ା ହେଉଥିବା ଅଭିଯୋଗ କ୍ରମଶଃ ସାଧାରଣରେ ଦାନା ବାନ୍ଧିବାରୁ ଗ୍ରିଡ୍କୋର ମୋହଭଙ୍ଗ ହୋଇଛି।
/sambad/media/post_attachments/wp-content/uploads/2022/02/grid-300x192.jpg)
ଶକ୍ତି ସମୀକ୍ଷକଙ୍କ ହିସାବ ଅନୁସାରେ, ଏବେ ରାଜ୍ୟ ପାଖରେ ଦୈନିକ ପାଖାପାଖି ୫୫୦୦ ମେଗାଵାଟ୍ ବିଦ୍ୟୁତ୍ ଉପଲବ୍ଧ ରହିଛି। ଜଳବିଦ୍ୟୁତ୍ କ୍ଷେତ୍ରରେ ଯଦିଓ ଓଡ଼ିଶାର କ୍ଷମତା ପାଖାପାଖି ୨୧୦୦ ମେଗାଵାଟ୍ରୁ ଅଧିକ ତଥାପି ଏବେ ୧୪୫୦ ମେଗାଵାଟ୍ ବିଦ୍ୟୁତ୍ ଉତ୍ପାଦନ ହୋଇପାରିବ। ସେହିଭଳି ଓପିଜିସିରୁ ୮୨୫ ମେଗାଵାଟ୍, ଆଇପିପିରୁ ୯୭୦ ମେଗାଵାଟ୍, କେନ୍ଦ୍ରୀୟ ଜଳବିଦ୍ୟୁତ୍ କ୍ଷେତ୍ରରୁ ୨୦୫ ମେଗାଵାଟ୍, କେନ୍ଦ୍ରୀୟ ତାପଜ ବିଦ୍ୟୁତ କ୍ଷେତ୍ରରୁ ୧୧୦୦ ମେଗାଵାଟ୍, ସୌର ଶକ୍ତି ଆଦିରୁ ୪୫୦ ମେଗାଵାଟ୍ ଓ ସିଜିପିରୁ ୫୫୦ ମେଗାଵାଟ୍ ବିଜୁଳି ରାଜ୍ୟ ପାଖରେ ଉପଲବ୍ଧ। ଯେତେବେଳେ ଦୈନିକ ହାରାହାରି ୪୭୫୦ ମେଗାଵାଟ୍ ବିଜୁଳି ଆବଶ୍ୟକ ହେଉଛି, ସେବେ କର୍ତ୍ତୃପକ୍ଷ କେଉଁଭଳି ଭାବେ ବିଜୁଳି ସଙ୍କଟ କଥା କହୁଛନ୍ତି ତାହା ବୁଝାପଡୁନାହିଁ। ବାସ୍ତବିକ କଥା ହେଲା, ଆଇପିପି ଠାରୁ ଆରମ୍ଭ କରି ସିଜିପି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପାଇବାକୁ ଥିବା ବିଦ୍ୟୁତ୍କୁ ହାତଛଡା କରାଯିବା ଏବଂ ଚଢ଼ା ଦରରେ ବିଜୁଳି କିଣି ଉପଭୋକ୍ତାଙ୍କ ଉପରେ ଆର୍ଥିକ ଚାପ ସୃଷ୍ଟି ଲାଗି ଘରୋଇ କଂପାନି-ଗ୍ରିଡ୍କୋ-ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଯେଉଁ ଷଡ଼୍ଯନ୍ତ୍ର୍ ଚଳାଇଛନ୍ତି, ତାହା ଧରାପଡ଼ିଗଲାଣି।
ଏହି ମହଲର ଅଭିଯୋଗ ହେଉଛି, ବିଦ୍ୟୁତ୍ ବଳକା ଥିବା ସତ୍ତ୍ବେ ରାଜ୍ୟରେ ଘନ ଘନ ବିଦ୍ୟୁତ୍ କାଟ୍ ଗୋଟିଏ ପରମ୍ପରା ପାଲଟିଛି। ଚଳିତ ଗ୍ରୀଷ୍ମରେ ସେଥିରେ ପରିବର୍ତ୍ତନର ଧାରା ପରିଲକ୍ଷିତ ହୋଇନି। ହେଲେ ଏହି ପ୍ରସଙ୍ଗରେ ସରକାର ଅକଳରେ ପଡ଼ିବାର କାରଣ ହେଲା, ବିଦ୍ୟୁତ୍ ବ୍ୟାପାରରେ କ୍ରମଶଃ ଜନ ସଚେତନତା ସୃଷ୍ଚି ହେଲାଣି ଏବଂ ଏ କ୍ଷେତ୍ରରେ ଗ୍ରିଡ୍କୋ-ଆବଣ୍ଟନକାରୀ କଂପାନି ପ୍ରମୁଖଙ୍କ ଫନ୍ଦି ଧରାପଡିଯାଇଛି। ଏଣୁ ଏବେ ଗ୍ରିଡ୍କୋର ଆଭିମୁଖ୍ୟରେ ଆକସ୍ମିକ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି।
ଏହାବ୍ୟତୀତ ଚଳିତବର୍ଷ ବିଦ୍ୟୁତ୍ କାଟ୍ ସହରାଞ୍ଚଳରେ ଉତ୍କଟ ଆକାର ଧାରଣ କରିଥିଲା। ଜାତୀୟସ୍ତରରେ ଏହାକୁ କୋଇଲା ସଙ୍କଟର ରୂପ ଦିଆଯାଉଥିବା ବେଳେ ଓଡ଼ିଶାରେ ସେହିଭଳି ସଙ୍କଟ ନାହିଁ ବୋଲି ମୁଖ୍ୟସଚିବ ସିଧାସଳଖ ବିବୃତି ଦେଲେ। ଏଣୁ ଏହାକୁ ଆଳ କରି ବିଦ୍ୟୁତ୍ ସଙ୍କଟ ବା ବିଦ୍ୟୁତ୍ କାଟ୍ କଥା କହିବା ଲାଗି ମଧ୍ୟ ଆବଣ୍ଟନକାରୀ କଂପାନି ପାଖରେ କୌଣସି ସୁଯୋଗ ନାହିଁ।
/sambad/media/post_attachments/wp-content/uploads/2022/01/electric-300x165.jpg)
ସେହିଭଳି ବିଦ୍ୟୁତ କାଟ୍ର ଦ୍ବାହି ଦେଇ ଗ୍ରିଡକୋ ବିଭିନ୍ନ ସୂତ୍ରରୁ ଚଢା ଦାମରେ ବିଦ୍ୟୁତ୍ କିଣିବାର ଯେଉଁ ପରମ୍ପରା ଜାରି ରଖିଥିଲା, ଏବର୍ଷ ଆରମ୍ଭରୁ ତାହାକୁ ନେଇ କର୍ତ୍ତୃପକ୍ଷ ସମାଲୋଚିତ ହେଲେଣି। ଆଉ କାହାକୁ ଅନୁକମ୍ପା ଦେଖାଇବା ଲାଗି ଗ୍ରିଡ୍କୋ ଅବାଞ୍ଚିତ ଆର୍ଥିକ ବୋଝ କାହିଁକି ମୁଣ୍ଡାଇବ ବୋଲି ପ୍ରଶ୍ନ ଉଠିବା ପରେ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିବା ସ୍ବାଭାବିକ।
ଇତିମଧ୍ୟରେ ବିଦ୍ୟୁତ ବଳକା ଓଡ଼ିଶାରେ ବିଦ୍ୟୁତ୍ ପରିଚାଳନାରେ ଗୁରୁତର ତ୍ରୁଟି ପାଇଁ ଉପଭୋକ୍ତାଙ୍କ ସମେତ ସଚେତନ ନାଗରିକମାନେ ମୁଖ୍ୟତଃ ଗ୍ରିଡକୋର ନୀତି ଓ ନିୟାମକ ଆୟୋଗଙ୍କ ବିବାଦୀୟ ରାୟକୁ ଦାୟୀ କରିଛନ୍ତି। କାରଣ ବିଭିନ୍ନ ଆଇପିପି ସହ ସ୍ବାକ୍ଷରିତ ବିଦ୍ୟୁତ୍ କିଣା ଚୁକ୍ତି ଅନୁଯାୟୀ ରାଜ୍ୟ ପାଇଁ ଉଦ୍ଦିଷ୍ଟ ବିଦ୍ୟୁତ୍ କୋଟାକୁ ଗ୍ରିଡକୋ ନ ଆଣିବା ଫଳରେ ବିଦ୍ୟୁତ୍ ବିଲ୍ ବର୍ଷ ବର୍ଷ ଧରି ଅନିୟନ୍ତ୍ରିତ ହେବାରେ ଲାଗିଛି। ଏହି କାରବାରରେ ଆଇପିପିମାନଙ୍କ ସ୍ବାର୍ଥର ସୁରକ୍ଷାକୁ ଉଭୟ ସରକାର ଏବଂ ଗ୍ରିଡ୍କୋ ଗୁରୁତ୍ବ ଦେଉଥିବା ବେଳେ ନିୟାମକ ଆୟୋଗ ମଧ୍ୟ ସେଥିପ୍ରତି ନିରବ ସମର୍ଥନ ବ୍ୟକ୍ତ କରିଆସିଥିଲେ। ଏକଥା ଗତ ଜନଶୁଣାଣିରେ ଧରାପଡିଯାଇଛି।
ସେହିଭଳି ଆବଣ୍ଟନ କଂପାନିମାନେ ବିଦ୍ୟୁତ ଚାହିଦାକୁ କମ୍ ଦେଖାଉଛନ୍ତି ଏବଂ ବିଦ୍ୟୁତ ବଳକା ରହିଲେ ଉପଭୋକ୍ତାଙ୍କ ଉପରେ ବୋଝ ପଡ଼ିବ ବୋଲି ଗ୍ରିଡ୍କୋ ଯେଉଁ ଆଳ ଦେଖାଇ ନୈତିକ ଦାୟିତ୍ବରୁ ଖସିଯାଉଥିଲା, ତାହା ଉପରୁ ବି ପରଦା ହଟିସାରିଲାଣି। କାରଣ ବଳକା ବିଦ୍ୟୁତ୍କୁ ଗ୍ରିଡ୍କୋ ଖୋଲାବଜାରରେ ବିକ୍ରି କରିବା ପାଇଁ ଗଠନମୂଳକ ଆଭିମୁଖ୍ୟ ଆପଣାଇବା ଲାଗି ପର୍ଯ୍ୟାପ୍ତ ସୁଯୋଗ ରହିଛି। ଏଥିରୁ ବେଶ୍ ଫାଇଦା ଉଠାଇ ସେମାନେ ରାଜସ୍ବ ବଳକା ହୋଇପାରନ୍ତେ। ହାତରେ ବିଦ୍ୟୁତ୍ ବଳକା ଥିଲେ, ତାହାକୁ ପିକ୍ ଡିମାଣ୍ଡ ବେଳେ ରାଜ୍ୟ ପାଇଁ ବ୍ୟବହାର କରାଯାଇପାରନ୍ତା। ଏସବୁ ଉପରୁ ରହସ୍ୟ ଉନ୍ମୋଚନ ହେବା ପରେ ଏବେ ବିଦ୍ୟୁତ୍ କ୍ଷେତ୍ରରେ ଚାଲିଥିବା ବିଶାଳ କେଳେଙ୍କାରୀ ଦାଣ୍ଡରେ ପଡି ହାଟରେ ଗଡୁଛି।
ଏଣୁ ବସା ବାନ୍ଧିଥିବା ଏତେ ସବୁ ସନ୍ଦେହରୁ ମୁକ୍ତ ହେବା ପାଇଁ ସମ୍ଭବତଃ ଗ୍ରିଡ୍କୋ କର୍ତ୍ତୃପକ୍ଷଙ୍କର ଚୈତନ୍ୟୋଦୟ ଉଦୟ ହୋଇଛି ଓ ବିଦ୍ୟୁତ୍ କାଟ୍ ଭଳି ଅପବାଦରୁ ତ୍ରାହି ପାଇଁ ସରକାର ଏବର୍ଷ ବାଧ୍ୟହୋଇ ହାତମୋଡ଼ା କୌଶଳ ଆପଣାଇଛନ୍ତି ବୋଲି ଶକ୍ତି ସମୀକ୍ଷକ ମତ ରଖିଛନ୍ତି।