କରୋନା ସଂକ୍ରମଣର ପ୍ରସାର ରୋକିବାବୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଉଛି: ସୁବତ୍ର ବାଗଚୀ

ଭୁବନେଶ୍ୱର: ରାଜ୍ୟର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଅଞ୍ଚଳ କିମ୍ବା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଅଥବା କରୋନା ସଂଦିଗ୍ଧ  ଥିବା ଅଞ୍ଚଳକୁ  ରାଜ୍ୟ ସରକାର କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରୁଛନ୍ତି । ଏହି କ୍ରମରେ ସରକାର ପ୍ରଥମେ ଖୋର୍ଦ୍ଧା ଜିଲ୍ଲାରେ ଏହି କଣ୍ଟେନମେଣ୍ଟ ଜୋନ ପ୍ରଥମେ ଘୋଷଣା କରିଥିଲେ । ଖୋର୍ଦ୍ଧା ଜିଲ୍ଲାର ସୂର୍ଯ୍ୟନଗର, ସୁନ୍ଦରପଦାଠାରୁ ଯଦୁପୁର, ବମିଖାଲ ଓ ସତ୍ୟନଗରକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ କୋଭିଡ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ରାଜଧାନୀ ଭୁବନେଶ୍ୱରରେ ୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଣୁ କରୋନା ସଂକ୍ରମଣ ନ ବ୍ୟାପିବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

କେବଳ ଭୁବନେଶ୍ୱରରେ ନୁହେଁ, କଟକରେ ମଧ୍ୟ ୨ଟି କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । କଟକର ସାଲେପୁର ବ୍ଲକର ୧, ୧୨ ଓ ୧୩ ନମ୍ବର ୱାର୍ଡ, ଜୟରାମପୁର, ବକ୍ସିବଜାର ପଟାପୋଲ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । ଗଞ୍ଜାମ ଜିଲ୍ଲାରେ ଚିକିଟି ବ୍ଲକ ଲାଲମେଣ୍ଟା ଗାଁକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି ।

ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରୋଦା ଓ ନିକଟସ୍ଥ ୧୦ଟି ଗାଁକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଥିବା ବେଳେ କେନ୍ଦ୍ରାପଡ଼ାର ଆଳି ବ୍ଲକରେ ରାଧାନଗରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ପୁରୀ ଜିଲ୍ଲାର ପିପିଲି ବ୍ଲକର ଦାନଗହୀର ଛକ, ଦାନଗହୀର, କାଇଣ୍ଡାସାହି, ସିଙ୍ଗଡା, ତାଳବଣିଆ, କାଲାମସାହି, ନୂଆସାହି, ଜୟପୁର ଶାସନ, ଜୟପୁର ହାଟ, ସୁଲତାନ ନଗର ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ସେହିପରି ଭଦ୍ରକର ପୁରୁଣା ବଜାର, ଚରମ୍ପା ଓ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ଖମାରହଲଦୀ ପଂଚାୟତର ପଞ୍ଜିଆ, ବେହେରାଗୁଡ଼ା, ଖମାରହଲଦୀକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

ଶ୍ରୀ ବାଗଚୀ କହିଛନ୍ତି, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଭାରତ ବିଶ୍ୱର କରୋନା ତାଲିକାରେ ୨୪ତମ ସ୍ଥାନରେ ଅଛି । ଭାରତରେ ମୋଟ ୫ ହଜାର ୧୯୪ ଜଣ ସଂକ୍ରମିତ ଥିବା ବେଳେ ୧୪୯ ଜଣଙ୍କ ମୃତ୍ୟୁ ହୋଇଛି । ଭାରତରେ ଓଡ଼ିଶାର ସ୍ଥାନ ହେଉଛି ୧୬ ନମ୍ବର । ଓଡ଼ିଶାରେ ୨ ହଜାର ୪୪୧ ଜଣଙ୍କ ନମୁନା ପରୀକ୍ଷା ହୋଇଛି । ସେଥିରୁ ୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ୨ ଜଣ ସୁସ୍ଥ ହୋଇ ଘରକୁ ଯାଇଛନ୍ତି । ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ହେଉଛି ୩୯ ଜଣ । କରୋନ ସନ୍ଦିଗ୍ଧ ବିଭିନ୍ନ ଡାକ୍ତରଖାନାରେ ୯୧ ଜଣଙ୍କ ଚିକିତ୍ସା ଜାରି ରହିଛି ।

କୋଭିଡ-୧୯ ମୁଖ୍ୟ ଶ୍ରୀ ବାଗଚୀ କହିଛନ୍ତି, କରୋନା ଭାଇରସରେ ସମଗ୍ର ବିଶ୍ୱରେ ଏ ପର୍ଯ୍ୟନ୍ତ ୧୪ ଲକ୍ଷ ୩୬ ହଜାର ୮୪୧ ଜଣ ସଂକ୍ରମିତ ହୋଇଥିବା ବେଳେ ୨୦୯ଟି ଦେଶରେ କରୋନା ପହଞ୍ଚିଛି । ମୋଟ ୮୨ ହଜାର ୪୨୧ ଜଣଙ୍କ ମୃତ୍ୟୁ ହୋଇସାରିଛି । ଆମେରିକା, ସ୍ପେନ, ଇଟାଲୀ, ଜର୍ମାନୀ ଓ ଫ୍ରାନ୍ସ ବିଶ୍ବର ସର୍ବାଧିକ କରୋନା ଆକ୍ରାନ୍ତ ଦେଶ । ଆମେରିକାରେ କେବଳ ୪ଲକ୍ଷ, ସ୍ପେନରେ ୧ଲକ୍ଷ ୪୦ହଜାର, ଇଟାଲୀରେ ୧ ଲକ୍ଷ ୩୫ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଗତ ୨୪ ଘଣ୍ଟା ମଧ୍ୟରେ ୭ ହଜାର ୬୦୧ ଜଣଙ୍କ ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର