ସିବିୟୁଡି ପ୍ରକଳ୍ପ ଜୁନ୍‌ ୩୦ରେ ବନ୍ଦ ହେବ

ଭୁବନେଶ୍ୱର : ଅମୃତ ଯୋଜନାରେ ବିଭିନ୍ନ ସହରାଞ୍ଚଳରେ ବିଶ୍ୱ ବ୍ୟାଙ୍କ ଆର୍ଥିକ ସହାୟତାରେ ହେଉଥିବା କାପାସିଟି ବିଲଡିଂ ଫର୍‌ ଅର୍ବାନ୍‌ ଡେଭଲପମେଣ୍ଟ (ସିବିୟୁଡି) ପ୍ରକଳ୍ପ ପାଇଁ ଜୁନ୍‌ ୩୦ ପରେ ଆଉ ଅନୁଦାନ ମିଳିବନି। ଯେଉଁ ସହରାଞ୍ଚଳରେ ଯେତିକି ପ୍ରକଳ୍ପ ହୋଇଛି, ଯାହା ବି ହୋଇଛି ତୁରନ୍ତ ତା’ର ବିଲ୍‌ ଦେଇ ଅନୁଦାନ ସଂଗ୍ରହ କରିନେବାକୁ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନଗର ଉନ୍ନୟନ ବିଭାଗକୁ କୁହାଯାଇଛି। ଏହାପରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ସିବିୟୁଡି ପ୍ରକଳ୍ପ କରୁଥିବା ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ଯେ, କେଉଁ ପ୍ରକଳ୍ପ କେତେ କରିଛ ତା’ର ତୁରନ୍ତ ରିପୋର୍ଟ ଦିଅ, ଆବଶ୍ୟକସ୍ଥଳେ ଏହାକୁ ତୁରନ୍ତ ଶେଷ କରି ଚୂଡ଼ାନ୍ତ ବିଲ୍‌ ପୈଠ କର। ଏହାପରେ ଏହି ପ୍ରକଳ୍ପ ନେଇ ଅର୍ଥ ମଞ୍ଜୁର ହେବନି ବୋଲି କୁହାଯାଇଛି।

ସିବିୟୁଡି ପ୍ରକଳ୍ପ ବନ୍ଦ ହେବା ପୂର୍ବରୁ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଏହାର ସମୀକ୍ଷା କରିବାକୁ କହିଛନ୍ତି। ଏଥିପାଇଁ ନଗନର ଉନ୍ନୟନ ବିଭାଗ ପକ୍ଷରୁ ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ସଂସ୍ଥାଗୁଡ଼ିକୁ ରିପୋର୍ଟ ମଗାଯାଇଛି। ଏବେ ନନ୍‌ ରେଭିନ୍ୟୁ ଓ୍ଵାଟର (ଏନ୍‌ଆଡବ୍ଲ୍ୟୁ) କମାଇବା ପାଇଁ ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ବାରିପଦା, କଟକ, ବାଲେଶ୍ୱର, ପୁରୀ, ଭଦ୍ରକରେ ଯେଉଁ ସବୁ କାର୍ଯ୍ୟ ହେଉଛି ତା’ର ଚୂଡ଼ାନ୍ତ ରିପୋର୍ଟ ଦେବାକୁ ଜନସ୍ୱାସ୍ଥ୍ୟ ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ କୁହାଯାଇଛି। ସେହିପରି ମ୍ୟୁନିସପାଲ୍‌ ବଣ୍ଡ ଇସ୍ୟୁ କରିବା ନେଇ ଟ୍ରାଞ୍ଜାକ୍ସନ ଆଡଭାଇଜରି ପ୍ରକଳ୍ପ ହେଉଥିବା ଭୁବନେଶ୍ୱର, ପୁରୀ, ଭଦ୍ରକ, ବ୍ରହ୍ମପୁର, କଟକ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର, ବାରିପଦା ଆଦି ସହରର ରିପୋର୍ଟ ମଗାଯାଇଛି। ବ୍ରହ୍ମପୁର ମହାନଗର ନିଗମ କମିସନର, ବିଏମ୍‌ସି ସିଏଫ୍‌ଓ ତୁରନ୍ତ ଏହି ରିପୋର୍ଟ ଦେବାକୁ କୁହାଯାଇଛି। ଆସନ୍ତା ୧୫ତାରିଖରେ ନୂଆଦିଲ୍ଲୀରେ ଏନେଇ ସମୀକ୍ଷା ବୈଠକ ହେବାର ଥିବାବେଳେ ଉପରୋକ୍ତ ତିନି ଅଧିକାରୀ ଏଥିରେ ଯୋଗଦେବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର