ଅନୁସୂଚିତ ଜନଜାତି ବର୍ଗର ନିର୍ବାଚିତ ପ୍ରତିନିଧିଙ୍କ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମ : ୯ ମାସରେ ୩୦ ହଜାର ପ୍ରତିନିଧିଙ୍କୁ ଦିଆଯିବ ତାଲିମ

ଏସ୍‌ଟି କମିସନ ଗଠନ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରସ୍ତାବ
‘୧୦୦୦ ଜଳଉତ୍ସ କାର୍ଯ୍ୟକ୍ରମ’ର ଶୁଭାରମ୍ଭ

ଭୁବନେଶ୍ବର : ଆସନ୍ତା ୬ରୁ ୯ ମାସ ମଧ୍ୟରେ ଅନୁସୂଚିତ ଜନଜାତି ବର୍ଗର ପଞ୍ଚାୟତିରାଜ ସଂସ୍ଥାନଗୁଡ଼ିକର ୩୦ ହଜାର ନିର୍ବାଚିତ ପ୍ରତିନିଧିଙ୍କୁ ତାଲିମ ଦିଆଯିବ। ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ଅଞ୍ଚଳର ଜନପ୍ରତିନିଧିଙ୍କୁ ଅଧିକ ସୁଦୃଢ଼ କାରାଯାଇ ପାରିବ। ଓଡ଼ିଶାରେ ବସବାସ କରୁଥିବା ପାଖାପାଖି କୋଟିଏ ଆଦିବାସୀଙ୍କୁ ସାମାଜିକ, ଆର୍ଥିକ ଓ ଶିକ୍ଷା କ୍ଷେତ୍ରରେ ସଶକ୍ତୀକରଣ କରିବା ପାଇଁ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ୬୭୦୦ ହଷ୍ଟେଲ, ୧୭୩୧ ସ୍କୁଲ ନିର୍ମା‌ଣ ହୋଇଛି। ‘ମିସନ ସୁବିଦ୍ୟା’ ମାଧ୍ୟମରେ ଆଦିବାସୀଙ୍କ ଶିକ୍ଷାର ବିକାଶ ଉପରେ ଗୁରୁତ୍ବ ଦିଆଯାଉଛି। ‘ମିସନ ଜୀବିକା’ରେ ୨୩ ହଜାର ଆଦିବାସୀ ପରିବାର ଅନ୍ତର୍ଭୁକ୍ତ ହୋଇଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଜଙ୍ଗଲ ଅଧିକାର ଆଇନ ଲାଗୁ କରାଯାଇ ୪ ଲକ୍ଷ ୩୬ ହଜାର ଲୋକଙ୍କୁ ଜଙ୍ଗଲ ଅଞ୍ଚଳରେ ଜମିପଟ୍ଟା ପ୍ରଦାନ କରାଯାଉଛି। ଏଥିସହ ଆଦିବାସୀ ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ପାଇଁ ସ୍ବତନ୍ତ୍ର ବିକାଶ ପରିଷଦ ଗଠନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ହୋଟେଲ ମେ’ ଫେୟାରଠାରେ ଅନୁସୂଚିତ ଜନଜାତି ବର୍ଗର ପଞ୍ଚାୟତିରାଜ ସ˚ସ୍ଥାନଗୁଡ଼ିକର ନିର୍ବାଚିତ ପ୍ରତିନିଧିଙ୍କ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ(କ୍ୟାବିନେଟ୍‌) ଅର୍ଜ୍ଜୁନ ମୁଣ୍ଡା ଯୋଗଦେଇ କହିଲେ ‘୧୦୦୦ ଜଳଉତ୍ସ କାର୍ଯ୍ୟକ୍ରମ’ ମାଧ୍ୟମରେ ଦେଶର ଉପାନ୍ତ ଓ ଅପହଞ୍ଚ ଇଲାକାରେ ରହୁଥିବା ଜନଜାତି ସମୁଦାୟର ଲୋକଙ୍କ ନିକଟରେ ସ୍ବଚ୍ଛ ଜଳ ଯଥେଷ୍ଟ ପରିମାଣରେ ଉପଲବ୍ଧ କରାଇବା। ପ୍ରାକୃତିକ ଜଳଉତ୍ସକୁ ଯୋଡ଼ି ଜଳ ସଙ୍କଟର ସମାଧାନ କରିବା ଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଯୋଜନା ମାଧ୍ୟମରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଭିତ୍ତିଭୂମି ସୁବିଧା, ଚାଷ ଜମିକୁ ଜଳସେଚନ ସୁବିଧା, ଗୋଷ୍ଠୀ ସହଭାଗିତା ଜରିଆରେ ସାମୁଦାୟିକ ସ୍ବଚ୍ଛତା କାର୍ଯ୍ୟକ୍ରମ, ଜନଜାତି ଲୋକଙ୍କୁ ଜୀବନଜୀବିକା ଉପଲବ୍ଧ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ବର୍ତମାନ ସୁଦ୍ଧା ଦେଶର ୧୭୦ଟି ପ୍ରାକୃତିକ ଜଳଉତ୍ସର ତଥ୍ୟ ସ୍ପ୍ରିଙ୍ଗ ଆଟଲାସ୍‌ରେ ଅପଲୋଡ୍‌ କରାଯାଇଛି। ଏଥିରେ ଓଡ଼ିଶାର କଳାହାଣ୍ତି, କନ୍ଧମାଳ ଓ ଗଜପତି ଜିଲ୍ଲାର ୭୦ଜଣ ଜନଜାତି ଯୁବକଙ୍କୁ ପାରମ୍ପରିକ ଓ ବୈଜ୍ଞାନିକ ଜ୍ଞାନ ସହିତ ପ୍ରାକୃତିକ ଜଳଉତ୍ସ ଚିହ୍ନଟ, ମାନଚିତ୍ରଣ, ସେଗୁଡ଼ିକର ପୁନରୁଦ୍ଧାର ଏବଂ ସୁରକ୍ଷା ଲାଗି ପ୍ରଶିକ୍ଷଣ ଦିଆଯାଇଛି। ସ୍ଥାନୀୟ ପ୍ରଶାସନସ୍ତରରେ ପଞ୍ଚାୟତିରାଜ ପ୍ରତିନିଧିଙ୍କର ନିଷ୍ପତ୍ତି ନେବାର କ୍ଷମତା ବୃଦ୍ଧି କରି ସେମାନଙ୍କୁ ସଶକ୍ତ କରିବା ଲାଗି ଓଡ଼ିଶାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଦ୍ବାରା ସରକାରୀ ନୀତି ଓ କାର୍ଯ୍ୟକ୍ରମର ଯୋଜନା, କାର୍ଯ୍ୟାନ୍ବୟନ ଏବ˚ ଅନୁଧ୍ୟାନରେ ଅନୁସୂଚିତ ଜନଜାତି ପ˚ଚାୟତିରାଜ ପ୍ରତିନିଧିଙ୍କର ଅଧିକ ଅ˚ଶଗ୍ରହଣ ସୁନିଶ୍ଚିତ ହୋଇପାରିବ।

କେନ୍ଦ୍ର ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରେଣୁକା ସି˚ ସରୁତା ଯୋଗଦେଇ କହିଲେ, ଆଦିବାସୀ ପିଲାମାନେ ଯେପରି ଅବହେଳିତ ନ ହେବେ ସେଥିପାଇଁ ଦେଶରେ ୨୮୨ଟି ଏକଲବ୍ୟ ସ୍କୁଲ ପ୍ରତିଷ୍ଠା କରାଯାଇଛି। ଜବାହର ନ ବୋଦୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକରେ ଯେଉଁଭଳି ସୁବିଧା ମିଳୁଛି ଏକଲବ୍ୟ ବିଦ୍ୟାଳୟରେ ବି ସମାନ ସୁବିଧା ସୁଯୋଗ ଉପଲବ୍ଧ ହେବ। ଅନୁସୂଚିତ ଜନଜାତିଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଲାଗି କେତେକ ରାଜ୍ୟରେ ଅନୁସୂଚିତ ଜନଜାତି ଆୟୋଗ ପ୍ରତିଷ୍ଠା କରାଯାଇଛି। ଓଡ଼ିଶା ସରକାର ବି ଏଦିଗରେ ପଦ‌କ୍ଷେପ ନେବାକୁ ସେ ପ୍ରସ୍ତାବ ଦେଇଥିଲେ।

ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ବିଭାଗୀୟ ସଚିବ ରଞ୍ଜନା ଚୋପ୍ରା, କେନ୍ଦ୍ର ଜନଜାତି ବ୍ୟାପାର ସଚିବ ଦୀପକ ଖାଣ୍ଡେକର, ଏସ୍‌ସିଏସ୍‌ଟିଆରଟିଆଇ ନିର୍ଦେଶକ ଅଖିଳ ବିହାରୀ ଓତା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ‘୧୦୦୦ ଜଳଉତ୍ସ କାର୍ଯ୍ୟକ୍ରମ’ ଓ ଏକ ଅନଲାଇନ ପୋର୍ଟାଲର ଶୁଭାରମ୍ଭ କରାଯାଇଥିଲା। ଓଡ଼ିଶାରେ ଜଙ୍ଗଲ ଅଧିକାର ଆଇନ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ଏବ˚ ମାନଚିତ୍ର ମଧ୍ୟ ଉନ୍ମୋଚନ କରାଯାଇଥିଲା। ଉଦଘାଟନ ପରେ ଏକ ବୈଷୟିକ ଅଧିବେଶନ ଆୟୋଜନ କରାଯାଇ ଜନଜାତି ବିକାଶ ନମୁନା, ଜନଜାତି ଜମି ହସ୍ତାନ୍ତରଣ, ବନ ଧନ ବିକାଶ କେନ୍ଦ୍ର ଓ ଜନଜାତି ବିକାଶ ସାମିଲ ହୋଇଥିଲା।

ସମ୍ବନ୍ଧିତ ଖବର