ରାଜ୍ୟର ଡିଜିପି ଭାବେ ପ୍ରାଥମିକ ଭାବେ ଆପଣ କେଉଁ ପ୍ରସଙ୍ଗକୁ ଗୁରୁତ୍ବ ଦେବେ?
ଖୁରାନିଆ: ଓଡ଼ିଶାବାସୀଙ୍କୁ ଉନ୍ନତମାନର ପୁଲିସ ସେବା ଯୋଗାଇବା ହେବ ମୋର ସବୁଠୁ ବଡ଼ କର୍ତ୍ତବ୍ୟ। ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ରହିଛି ଯେ ଥାନାକୁ ଆସୁଥିବା ସାଧାରଣ ଜନତାଙ୍କୁ ଥାନାର କର୍ମଚାରୀମାନେ ଉତ୍ତମ ବ୍ୟବହାର ଦେଖାଇବେ। ତାହାକୁ କଡାକଡି ପାଳନ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ। ପୁଲିସର ମୌଳିକ ଦାୟିତ୍ବ ହେଉଛି ଶାନ୍ତିଶୃଙ୍ଖଳା ରକ୍ଷା, ଅପରାଧ ତଦନ୍ତ ତଥା ନିୟନ୍ତ୍ରଣ। ଏହା ଉପରେ ବିଶେଷ ଗୁରୁତ୍ବ ଦିଆଯିବ। ସମାଜର ଦୁର୍ବଳ ବର୍ଗ, ଶିଶୁ, ମହିଳା, ଅନୁସୂଚିତ ଜାତି ଓ ଜନଜାତି ଉପରେ ହେଉଥିବା ଅପରାଧ ନିୟନ୍ତ୍ରଣ ଉପରେ ବିଶେଷ ଗୁରୁତ୍ବ ଦିଆଯିବ।
ଓଡ଼ିଶା ସୀମାରେ ବାଙ୍ଗଲାଦେଶୀ ଅନୁପ୍ରବେଶ ଏବେ ସବୁଠୁ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା ପାଇଁ କ’ଣ ରଣନୀତି ରହିବ?
ଖୁରାନିଆ: ମୁଁ ଏ ପ୍ରସଙ୍ଗରେ ମୋର ବରିଷ୍ଠ ସହକର୍ମୀଙ୍କ ସହିତ ଆଲୋଚନା କରିବି। ବର୍ତ୍ତମାନର ବାସ୍ତବ ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ପରେ ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ।
ଆପଣଙ୍କ ନଜରରେ କେଉଁ ଅପରାଧ ପୁଲିସ ପାଇଁ ଏବେ ସ୍ବତନ୍ତ୍ର ଗୁରୁତ୍ବ ରଖୁଛି?
ଖୁରାନିଆ: ବର୍ତ୍ତମାନ ସମୟରେ ସାଇବର୍ ଅପରାଧ ବଢିବା ସହିତ ନୂଆ ନୂଆ ଢଙ୍ଗରେ ଅପରାଧ ଘଟୁଛି। ତାହାକୁ ସଫଳତାର ସହିତ ମୁକାବିଲା ପାଇଁ ପୁଲିସର ଦକ୍ଷତା ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଆଧୁନିକ ଜ୍ଞାନକୌଶଳର ବ୍ୟବହାରରେ ପୁଲିସକୁ ଦକ୍ଷ ହେବାକୁ ପଡିବ। ତେଣୁ ଏ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ। ସେହିଭଳି ମାଦକ ଦ୍ରବ୍ୟ ବିଶେଷ କରି ବ୍ରାଉନସୁଗାର, ଚରସ ଇତ୍ୟାଦିର ପ୍ରସାର ଓ ଏହା ଯୋଗୁଁ ବଢୁଥିବା ଅପରାଧ ଉପରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
ମାଓ ଦମନ ଓଡ଼ିଶା ପୁଲିସ ପାଇଁ ସବୁ ବେଳେ ଆହ୍ବାନ ହୋଇ ଆସିଛି। ସେଥିପାଇଁ ଆପଣଙ୍କର କୌଣସି ସ୍ବତନ୍ତ୍ର ଯୋଜନା ରହିଛି?
ଖୁରାନିଆ: ଓଡ଼ିଶା ପୁଲିସ ଏହି ଚ୍ୟାଲେଞ୍ଜକୁ ବହୁ ଦିନରୁ ସ୍ବୀକାର କରିଆସିଛି। ସେଥିରେ ବହୁତ ପରିମାଣର ସଫଳତା ବି ପାଇଛି। ଆଜିର ତାରିଖରେ ଓଡ଼ିଶା ପୁଲିସ ମାଓବାଦୀଙ୍କ ପୁରା ଦମନ ପାଇଁ ସକ୍ଷମ ଅଛି।
ଆପଣଙ୍କ ପାଇଁ ନୂଆ ଆହ୍ବାନ କଣ ରହିବ?
ଖୁରାନିଆ: ବିଗତ ୬ ବର୍ଷରେ କଣ କଣ ଉନ୍ନତି ହେଇଛି, ଆଜିର କଣ ସ୍ଥିତି ରହିଛି, ସେ ସମ୍ପର୍କରେ ସହକର୍ମୀଙ୍କ ସହିତ ବୈଠକ କରିବି। ଯାହା କିଛି ପଦକ୍ଷେପ ନେବାର ଅଛି ନିଶ୍ଚିତ ନେବି।
ନବ ଦାସ ହତ୍ୟାକାଣ୍ଡ ଭଳି ଘଟଣାର ନୂଆ ଢଙ୍ଗରେ ତଦନ୍ତ କରାଯିବ କି?
ଖୁରାନିଆ: ଏ ସମ୍ପର୍କରେ ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପରେ ଯାହା କିଛି କହିବି।
(ସାକ୍ଷାତ କରିଥିଲେ ଚିରଞ୍ଜୀବ କର)
Advertisment
Sambad is now on WhatsApp
Join and get latest news updates delivered to you via WhatsApp