ଦକ୍ଷତା ବିକାଶର କଳେବର ବଢ଼ିବ: କାର୍ଯ୍ୟକ୍ରମରେ ସାମିଲ ହେ‌େବ ଶିଳ୍ପାନୁଷ୍ଠାନ, କଲେଜ, ମିସନ ଶକ୍ତି

ଜୁଲାଇ ୧୫ରୁ ୩୦ ଜିଲ୍ଲାରେ ବୁଲିବ କୌଶଳ ରଥ, ଓଡ଼ିଶାରେ ନିର୍ମାଣ ହେବ ୧୦ଟି କୌଶଳ ଭବନ

ଭୁବନେଶ୍ୱର: ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆଉ କେବଳ ଛାତ୍ରଛାତ୍ରୀଙ୍କ ଟ୍ରେନିଂ ମଧ୍ୟରେ ସୀମିତ ରହିବ ନାହିଁ। ଏହାକୁ ଶିଳ୍ପାନୁଷ୍ଠାନ, ମହାବିଦ୍ୟାଳୟ ଓ ମିସନ ଶକ୍ତି ପରିସରଭୁକ୍ତ କରିବା ଉପରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି। ବିଭାଗର ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ‌ଯେ ଶିଳ୍ପାନୁଷ୍ଠାନ ଓ କମ୍ପାନିଗୁଡ଼ିକରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଯୋଗଦାନ ପୂର୍ବରୁ ସେମାନଙ୍କୁ ସୁଦକ୍ଷ କରାଯିବ। କମ୍ପାନି ଓ ଶିଳ୍ପାନୁଷ୍ଠାନ ବୁଝାମଣାପତ୍ରରେ ଓଡ଼ିଆ ଯୁବକଯୁବତୀଙ୍କୁ ସେମାନଙ୍କ ଅନୁଷ୍ଠାନଗୁଡ଼ିକରେ ନିଯୁକ୍ତି ସୁଯୋଗ ପାଇଁ ଚୁକ୍ତିବଦ୍ଧ ହେଉଥିବାବେଳେ ଯୋଗ୍ୟ ପ୍ରାର୍ଥୀମାନେ କୁଶଳୀ ହେବା ନିହାତି ଜରୁରୀ। ସ୍ଥଳ ବିଶେଷରେ କମ୍ପାନି ଓ ଶିଳ୍ପାନୁଷ୍ଠାନଗୁଡ଼ିକୁ ମଧ୍ୟ ଉପଯୁକ୍ତ ଟ୍ରେନର ଓ ଭିତ୍ତିଭୂମି ଯୋଗାଇ ଦେବାକୁ ଚୁକ୍ତି କରାଯାଇପାରିବ। ଭିଏତ୍‌ନାମ, ସୁଇଜରଲାଣ୍ଡ ଓ ସିଙ୍ଗାପୁର ପରି ଅଞ୍ଚଳରେ ଦକ୍ଷତା ବିକାଶ ଉନ୍ନତ ହୋଇଥିବାରୁ ସେମାନଙ୍କ ଉତ୍ପାଦିକତା ମଧ୍ୟ ତୁଳନାତ୍ମକ ଭାବେ ଅଗ୍ରଣୀ ଭୂମିକା ନେଇଛି। ତେଣୁ ମହାବିଦ୍ୟାଳୟରେ ପାଠପଢ଼ା ସମୟରେ ଛାତ୍ରଛାତ୍ରୀ ଓ ପାଠପଢ଼ା ସମୟ ବାହାରେ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସାମିଲ କରାଯାଇପାରିବ। ମିସନ ଶକ୍ତି ଓ ଆପ୍ରେଣ୍ଟିସିପ୍‌ ସହ ଦକ୍ଷତା ବିକାଶ ଟ୍ରେନିଂକୁ ଯୋଡ଼ିବାର ବହୁତ ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ଉଚ୍ଚ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସମ୍ପର୍କରେ ସଚେତନତା କରିବାକୁ ୩୦ ଜିଲ୍ଲାର ଉଚ୍ଚ ଶିକ୍ଷାନୁଷ୍ଠାନରେ ୩୦ଟି ସ୍କିଲ୍‌-ହବ ପରିଚାଳନା କରାଯିବ। ଜୁଲାଇ ୧୫ରେ ‘ବିଶ୍ୱ ଯୁବ ଦକ୍ଷତା ଦିବସ’ ଅବସରରେ ଦୁଇଟି କୌଶଳ ରଥ ୩୦ଟି ଜିଲ୍ଲା ଅତିକ୍ରମ କରିବ। ଏହାବ୍ୟତୀତ ସ୍ୱଳ୍ପ ଅବଧି ଭିତ୍ତିକ ଦକ୍ଷତା କାର୍ଯ୍ୟକ୍ରମ, ଆଇଟିଆଇ, ପଲିଟେକ୍‌ନିକ୍‌, ବିଶ୍ୱ ଦକ୍ଷତା କେନ୍ଦ୍ର ଓ ଉଚ୍ଚତର ବୈଷୟିକ ଶିକ୍ଷା ସଂସ୍ଥାନଗୁଡ଼ିକରେ ଦିଆଯାଉଥିବା କାର୍ଯ୍ୟକ୍ରମ ଦୃଶ୍ୟ-ଶ୍ରାବ ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯିବ। ଯୁବକମାନଙ୍କୁ ଆତିଥେୟତା ପ୍ରଶିକ୍ଷଣ ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ପ୍ରଥମ କୌଶଳ ଭବନ ନିର୍ମାଣ କରାଯାଉଛି। ମୋଟ ଉପରେ ୧୦ଟି କୌଶଳ ଭବନ ନିର୍ମାଣ ହେବ।

ଏହି ଭବନରେ ରୋଷେଇ ବିଜ୍ଞାନ, ଖାଦ୍ୟ ଓ ପାନୀୟ, ଗୃହରକ୍ଷୀ ସେବା ଏବଂ ଫ୍ରଣ୍ଟ୍‌ ଅଫିସ୍‌ ଆସୋସିଏଟ୍‌ ପାଠ୍ୟକ୍ରମରେ ପ୍ରଶିକ୍ଷଣ ପାଇଁ ସୁବିଧା ରହିବ। ବାର୍ଷିକ ୪୦୫ ଜଣ ଯୁବକଙ୍କୁ ଏହି ଭବନରେ ଦକ୍ଷ କରିବାର କ୍ଷମତା ରହିଛି। ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍‌ କାର୍ଯ୍ୟକ୍ରମ ଓ ଜାତୀୟ ଶୈକ୍ଷିକ ରୢାଙ୍କିଙ୍ଗ୍‌ ଫ୍ରେମ୍‌ୱାର୍କ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି। ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ବୈଠକରେ ଉପସ୍ଥିତ ରହି ସମସ୍ତ ତଥ୍ୟ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ସମ୍ବନ୍ଧିତ ଖବର