କଟକ: ଗତ ତିନିବର୍ଷରେ ୨୯ଟି ଜେଲ୍‌ରେ ଅତିରିକ୍ତ ୱାର୍ଡ ନିର୍ମାଣ କରାଯାଇ ୨୨ଶହରୁ ଅଧିକ ବନ୍ଦୀଙ୍କ ରଖାଯିବା କ୍ଷମତା ବୃଦ୍ଧି କରାଯାଇଛି। ୨୩ଟି ଜେଲ୍‌ରେ ଅତିରିକ୍ତ ୱାର୍ଡ ନିର୍ମାଣ କାର୍ଯ୍ୟ ଚାଲିଛି। ଏଥି ସହିତ ଭିଡ଼ ଏଡ଼ାଇବା ପାଇଁ କ୍ଷମତା ଠାରୁ ଅଧିକ ବନ୍ଦୀ ଥିବା ଜେଲ୍‌ରୁ ବନ୍ଦୀଙ୍କୁ ନିକଟସ୍ଥ ଜେଲ୍‌କୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯାଉଛି। କିନ୍ତୁ ଏହା ସତ୍ତ୍ବେ ରାଜ୍ୟର କେତେକ ଜେଲ୍‌ରେ ଭିଡ଼ ସମସ୍ୟା ଲାଗି ରହିଛି। ହାଇକୋର୍ଟରେ ବିଚାରାଧୀନ ଜେଲ୍‌ ସଂସ୍କାର ସମ୍ପର୍କିତ ମାମଲାରେ ଜେଲ୍‌ ଡିଆଇଜିଙ୍କ ତରଫରୁ ଦାଖଲ ସତ୍ୟପାଠରୁ ଏଭିଳ କଥା ସ୍ପଷ୍ଟ ହୋଇଛି।

Advertisment

ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ, ରାଜ୍ୟରେ ୮୭ଟି ଜେଲ୍‌ ରହିଥିବା ବେଳେ ମୋଟ୍‌ ୨୩୬୫୬ଜଣ ବନ୍ଦୀଙ୍କୁ ରଖିବା ପାଇଁ କ୍ଷମତା ରହିଛି। ୨୦୨୪, ମେ’ ୧୫ ସୁଦ୍ଧା ରାଜ୍ୟର ବିଭିନ୍ନ ଜେଲ୍‌ରେ ୧୮,୪୯୭ ବନ୍ଦୀଙ୍କୁ ରଖାଯାଇଛି। ୧୮୪୯୭ ଜଣଙ୍କ ମଧ୍ୟରୁ ୮୦ ପ୍ରତିଶତ ୧୪୯୦୭ ଜଣ ବିଚାରାଧୀନ ବନ୍ଦୀ ରହିଛନ୍ତି। ୮୭ଟି ଜେଲ୍‌ ମଧ୍ୟରୁ କାମାକ୍ଷାନଗର ସବ୍‌ଜେଲ୍‌ର କ୍ଷମତା ୬୯ ହୋଇଥିବା ବେଳେ ୯୭ ପ୍ରତିଶତ ଅଧିକ ଅର୍ଥାତ ୧୩୬ଜଣ ବନ୍ଦୀଙ୍କୁ ଏଠାରେ ରଖାଯାଇଛି। ସେହିଭଳି ଭାବେ ଯାଜପୁର ଜିଲ୍ଲା ଜେଲ୍‌ରେ ୧୩୩ ସ୍ଥାନରେ ୧୯୧, ଭୁବନେଶ୍ବର ସ୍ବତନ୍ତ୍ର ଜେଲ୍‌ରେ ୯୯୧ ସ୍ଥାନରେ ୧୩୪୫, ଭଦ୍ରକ ଜିଲ୍ଲା ଜେଲ୍‌ରେ ୨୦୧ ସ୍ଥାନରେ ୨୬୬, ଗୁଣୁପୁର ସବ୍‌ଜେଲ୍‌ରେ ୧୧୦ ସ୍ଥାନରେ ୧୪୨, କେନ୍ଦ୍ରାପଡ଼ା ଜିଲ୍ଲା‌ ଜେଲ୍‌ରେ ୧୯୨ ସ୍ଥାନରେ ୨୨୯, ରେଢାଖୋଲ ସବ୍‌ଜେଲ୍‌ରେ ୫୯ ସ୍ଥାନରେ ୬୭, କୁଚିଣ୍ଡା ସବ୍‌ଜେଲ୍‌ରେ ୬୯ ସ୍ଥାନରେ ୭୮, ରାୟଗଡ଼ା ସବ୍‌ଜେଲ୍‌ରେ ୧୪୬ ସ୍ଥାନରେ ୧୬୫, ସୋନପୁର ସବ୍‌ଜେଲ୍‌ରେ ୧୭୨ ସ୍ଥାନରେ ୧୯୪, ଆନନ୍ଦପୁର ସବ୍‌ଜେଲ୍‌ରେ ୭୭ ସ୍ଥାନରେ ୮୪, ଜଗତସିଂହପୁର ଜିଲ୍ଲା ଜେଲ୍‌ରେ ୧୮୩ ସ୍ଥାନରେ ୧୯୭, ସୁନ୍ଦରଗଡ଼ ଜିଲ୍ଲା ଜେଲ୍‌ରେ ୪୨୯ ସ୍ଥାନରେ ୪୫୩, ବ୍ରହ୍ମପୁର ସର୍କଲ୍‌ ଜେଲ୍‌ରେ ୯୨୪ ସ୍ଥାନରେ ୯୬୩, ବାଲିଗୁଡ଼ା ସବ୍‌ଜେଲ୍‌ରେ ୧୯୮ ସ୍ଥାନରେ ୨୦୫, ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ୨୭୨ ସ୍ଥାନରେ ୨୮୧, ବାଲେଶ୍ବର ଜିଲ୍ଲା ଜେଲ୍‌ରେ ୬୩୦ ସ୍ଥାନରେ ୬୪୨, ବଲାଙ୍ଗୀର ଜିଲ୍ଲା ଜେଲ୍‌ରେ ୩୯୨ ସ୍ଥାନରେ ୩୯୮, ଜୟପୁର ସବ୍‌ଜେଲରେ ୩୩୨ ସ୍ଥାନରେ ୩୩୫ ଓ ନୂଆପଡ଼ା ସବ୍‌ଜେଲ୍‌ରେ ୧୨୪ ସ୍ଥାନରେ ୧୨୫ ଜଣ ବନ୍ଦୀଙ୍କୁ ରଖାଯାଇଛି।

ଏଭଳି ଭାବେ ୨୦ଟି ଜେଲ୍‌ରେ କ୍ଷମତା ଠାରୁ ଅଧିକ ବନ୍ଦୀ ରହିଛନ୍ତି। ଭଦ୍ରକ ଓ ଯାଜପୁର ଜିଲ୍ଲା ଜେଲ୍‌ ସହିତ ଭୁବନେଶ୍ବର ସ୍ବତନ୍ତ୍ର ଜେଲ୍‌ରେ କ୍ଷମତା ଠାରୁ ଅଧିକ ସଂଖ୍ୟକ ବନ୍ଦୀ ସମସ୍ୟ‌ା ନିୟମିତ ଭାବେ ରହିଛି। ଅନ୍ୟ ଜେଲ୍‌ଗୁଡ଼ିକରେ ଭିଡ଼ ସମସ୍ୟା ଅସ୍ଥାୟୀ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଏହି ତିନି ଜେଲ୍‌ରେ ଭିଡ଼ ଦୂର ପାଇଁ ନୂଆ ଜେଲ୍‌ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ସମୟ ନିର୍ଘଣ୍ଟ ନେଇ ପୂର୍ବରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ଭିଡ଼ ସମସ୍ୟା ଦୂର ପାଇଁ ଜରୁରି ପଦକ୍ଷେପ ସ୍ବରୂପ ନିକଟସ୍ଥ ଜେଲ୍‌କୁ ବନ୍ଦୀଙ୍କୁ ସ୍ଥାନାନ୍ତର ପାଇଁ ନିୟମିତ ପଦକ୍ଷେପ ନିଆଯାଉଛି। ବିଚାରାଧୀନ ବନ୍ଦୀଙ୍କୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର ପାଇଁ ଅଦାଲତଙ୍କ ଅନୁମତି ଲୋଡି ପିଟିସନ୍‌ ଦାଖଲ କରାଯାଉଛି। ଅନୁମତି ମିଳିବା ପରେ ବନ୍ଦୀଙ୍କୁ ନିକଟସ୍ଥ ଜେଲ୍‌କୁ ସ୍ଥାନାନ୍ତର କରାଯାଉଛି। ମୁକୁଳିବା ଯୋଗ୍ୟ ବନ୍ଦୀଙ୍କ ଜେଲ୍‌ରୁ ମୁକ୍ତି ପାଇଁ ୟୁଟିଆର୍‌ସି (ଅଣ୍ଡର ଟ୍ରାଏଲ୍‌ ରିଭ୍ୟୁ କମିଟି) ବୈଠକ ନିୟମିତ କରାଯିବା ଲାଗି ପଦକ୍ଷେପ ନିଆଯାଉଛି। ୨୦୨୦-୨୧, ୨୦୨୧-୨୨, ୨୦୨୨-୨୩ ବର୍ଷରେ ୨୯ଟି ଜେଲ୍‌ର କ୍ଷମତା ବୃଦ୍ଧି ପାଇଁ ଅତିରିକ୍ତ ୱାର୍ଡ ନିର୍ମାଣ କରାଯାଇଛି। ଫଳରେ ଏହି ସବୁ ଜେଲ୍‌ରେ ୨୨୪୦ ବନ୍ଦୀଙ୍କ ରଖାଯିବା ଲାଗି କ୍ଷମତା ବୃଦ୍ଧି ପାଇଛି। ୨୩ଟି ଜେଲ୍‌ରେ ଅତିରିକ୍ତ ୱାର୍ଡ ନିର୍ମାଣ କାର୍ଯ୍ୟ ଚାଲିଛି। ନୂଆ ୱାର୍ଡ ନିର୍ମାଣ ଶେଷ ହେଲେ ଏହି ସବୁ ଜେଲ୍‌ରେ ଅତିରିକ୍ତ ୧୬୨୫ ବନ୍ଦୀଙ୍କୁ ରଖାଯାଇ ପାରିବ। ଖୋର୍ଦ୍ଧା ଜାମୁଝରି ମୁକ୍ତ‌କାଶ କାରାଗାରକୁ ଛାଡ଼ି ରାଜ୍ୟର ସବୁ ଜେଲ୍‌ରେ ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥା ଉପଲବ୍ଧ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ମୁକ୍ତାକାଶ କାରାଗାରରେ କେହି ବିଚାରାଧୀନ ବନ୍ଦୀ ନାହାନ୍ତି। ଏ ସମ୍ପର୍କିତ ମାମଲାର ଜୁନ୍‌ ୨୬ରେ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।