କରୋନା ମାଡ଼: କ୍ଷେତରେ ଶଢ଼ୁଛି ନୂଆଗାଁ କ୍ୟାପ୍ସିକମ୍‌

ରାଉରକେଲା: କରୋନା ମହାମାରୀ ସୁନ୍ଦରଗଡ଼ ଜିଲ୍ଲାର ଚାଷୀଙ୍କ ଆର୍ଥିକ ମେରୁଦଣ୍ତ ଭାଙ୍ଗିଦେଇଛି। ପରିବା ଅମଳ ସମୟବେଳେ ରପ୍ତାନି ଠପ୍ ହୋଇଯିବାରୁ ଚାଷୀ ମୁଣ୍ଡରେ ହାତ ଦେଇଛନ୍ତି। ପରିବା କ୍ଷେତରେ ଶଢୁଛି, ନ ହେଲେ ଶାଗମାଛ ଦରରେ କିଛି କିଛି ବିକ୍ରି ହେଉଛି। ବିଶେଷକରି କ୍ୟାପ୍ସିକମ୍‌ ଓ ଟମାଟୋ ରତ୍ପାନି ହୋଇ ନ ପାରି କୋଟି କୋଟି ଟଙ୍କା କ୍ଷତି ହୋଇଛି। କିଲୋପ୍ରତି ୪୦ ଟଙ୍କାରେ ବିକ୍ରି ହେଉଥିବା ପରିବା ଏବେ ୧୦ ଟଙ୍କାରେ ନେବାକୁ ବି କେହି ନାହାନ୍ତି। ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ, କୁଆରମୁଣ୍ତା, ବିଶ୍ରା, ଲାଠିକଟା, ରାଜଗାଙ୍ଗପୁର ଓ କୁତ୍ରା ଅଞ୍ଚଳରେ ଭଲ ପରିବା ଚାଷ ହୁଏ। ଅକ୍ଟୋବର ମାସରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ଏହିସବୁ ଅଞ୍ଚଳରୁ ରାଜ୍ୟ ବାହାରକୁ ପରିବା ଯାଏ। ବିଶେଷକରି ନୂଆଗାଁରୁ କ୍ୟାପ୍ସିକମ୍‌, ଟମାଟୋ, ଖରାଦିନିଆ ମିଠାମକା ମୁମ୍ବାଇ ଓ ଚେନ୍ନାଇ ସମେତ ଦେଶର ଅନେକ ସ୍ଥାନକୁ ପଠାଯାଏ। ନୂଆଗାଁର କ୍ୟାପ୍ସିକମ୍‌କୁ ମୁମ୍ବାଇର ବ୍ୟବସାୟୀମାନେ ଗଲ୍ଡ ଦେଶସମୂହକୁ ପଠାଉଥିବା କୁହାଯାଏ। ନୂଆଗାଁ, କୁଆରମୁଣ୍ତା ଓ ବୀରମିତ୍ରପୁର ସୀମାକୁ ଲାଗିଥିବା ଝାଡ଼ଖଣ୍ତ ରାଜ୍ୟର ଚାଷୀମାନେ ମଧୢ ପରିବା ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି। ଜଣେ ଜଣେ ସାଧାରଣ ଟମାଟୋ ଓ କ୍ୟାପ୍ସିକମ୍‌ ଚାଷୀ ବର୍ଷକରେ ୪/୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପରିବା ବିକ୍ରି କରିଥିବା ନଜିର ରହିଛି।

ଚଳିତ ବର୍ଷ ଅକ୍ଟୋବରରୁ ଜାନୁଆରି ମଧୢରେ ଅଦିନିଆ ଲଗାଣ ବର୍ଷା ପାଇଁ ପରିବା ଚାଷ ପ୍ରଭାବିତ ହୋଇଥିଲା। ତେବେ ବିଳମ୍ବରେ ହେଲେ ବି ଟମାଟୋ ଚାଷ ଭଲ ହୋଇଥିଲା। ମାର୍ଚ୍ଚ ଓ ଅପ୍ରେଲ୍‌ ମାସରେ ଟମାଟୋ ଦର ଉଚ୍ଚ ରହୁଥିବାରୁ ଚାଷୀ ଲାଭବାନ ହେବାକୁ ଆଶା ରଖିଥିଲେ। କିନ୍ତୁ କରୋନା ଲକ୍‌ଡାଉନ୍‌ ପାଇଁ ଚାଷୀଙ୍କ ଟମାଟୋ ଏବେ ବଜାରରେ ପହଞ୍ଚି ପାରୁନି। ଏହି ସମୟରେ ପ୍ରତିଦିନ ନୂଆଗାଁ ଅଞ୍ଚଳରୁ ଅତିକମ୍‌ରେ ୧୦ ଟ୍ରକ୍‌ ଟମାଟୋ ରାଜ୍ୟ ବାହାରକୁ ବିକ୍ରି ପାଇଁ ଯାଏ। ଗତ ଫେବ୍ରୁଆରି ଓ ମାର୍ଚ୍ଚ ମାସରେ ଅଦିନିଆ ବର୍ଷା ଓ କରୋନା ଲକ୍‌ଡାଉନ୍‌ ପାଇଁ ସେ ଟମାଟୋ କ୍ଷେତରେ ନଷ୍ଟ ହେଉଛି। ବାହାର ରାଜ୍ୟକୁ ତ ଯାଇ ପାରୁନି, ଗାଡ଼ି ବନ୍ଦ ଯୋଗୁ ପରିବା ଚାହିଦା ଥିବା ରାଉରକେଲା ବଜାରକୁ ବି ଟମାଟୋ ଆସି ପାରୁନାହିଁ। ସେହିପରି ସାଧାରଣତଃ ମାର୍ଚ୍ଚ ଓ ଏପ୍ରିଲ ମାସରେ ଏହି ଇଲାକାରୁ ଶହ ଶହ ଟନ୍‌ କ୍ୟାପ୍ସିକମ୍‌ ଟ୍ରେନ୍‌ ଓ ମାଲବାହୀ ଗାଡ଼ିରେ ରାଜ୍ୟ ବାହାରକୁ ଯାଏ। ବ୍ୟବସାୟୀମାନେ ଚାଷୀଙ୍କଠାରୁ ସ˚ଗ୍ରହ କରି କ୍ୟାପ୍ସିକମ୍‌ ବାହାରକୁ ପଠାଇଥାନ୍ତି। ଗାଡ଼ି ବନ୍ଦ ହୋଇଯିବା ପରେ ଏବେ ଚାଷୀ ଓ ବେପାରୀଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। କ୍ଷେତରେ ଉଜୁଡ଼ି ଯାଉଥିବା ପରିବାକୁ ସ୍ଥାନୀୟ ବଜାରକୁ ଆଣି ବିକ୍ରି କରିବା ପାଇଁ ଉଦ୍ୟମ କରୁଥିବା ଚାଷୀଙ୍କୁ ତୋଳା ଓ ବିକ୍ରି ପରିଶ୍ରମ ମୂଲ୍ୟ ମଧ୍ୟ ବାହାରୁନାହିଁ।

ଲକ୍‌ଡାଉନ୍‌ ପାଇଁ ଜିଲ୍ଲାର ସବୁ ସାପ୍ତାହିକ ହାଟ ବଜାର ବନ୍ଦ ହୋଇ ଯାଇଥିବା ବେଳେ କିଛି ଦୈନିକ ବଜାର ଆ˚ଶିକ ଚାଲୁଛି। ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଅନେକ ସ୍ଥାନରେ ପରିବା ବିକ୍ରି ହେଉଛି। ଏହିଭଳି ଏକ ସ୍ଥାନ ମଧୢରୁ ବୀରମିତ୍ରପୁର ବଜାର ଯଦି ଉଦାହରଣକୁ ନିଆଯାଏ, ଚାଷୀଙ୍କ ଦୁର୍ଦ୍ଦଶା କିଭଳି ତାହା ସହଜେ ଜଣାପଡ଼େ। ଏହି ବଜାରରେ କ୍ୟାପ୍ସିକମ୍‌ କିଲୋପ୍ରତି ୧୦ ଟଙ୍କାରେ ବିକ୍ରି ହେଉଥିଲେ ବି ନେବାକୁ କେହି ନାହିଁ। ପରିଶ୍ରମ କରି ଘରୁ ବଜାରକୁ ନେଉଥିବା ଚାଷୀ ପୁଣି ଘରକୁ ଫେରାଇ ନେଉଛନ୍ତି। କେବଳ କ୍ୟାପ୍ସିକମ୍‌ ନୁହେଁ, ବାଇଗଣ କିଲୋ ପ୍ରତି ୧୦ ଟଙ୍କା, ବନ୍ଧାକୋବି ଯୋଡ଼ା ୧୦ ଟଙ୍କା, ଟମାଟୋ କିଲୋ ୫ ଟଙ୍କା, ସଜନା ଛୁଇଁ କିଲୋ ୨୦ ଟଙ୍କାରେ ବି ବହୁ କଷ୍ଟରେ ବିକ୍ରି ହେଉଛି। କରୋନା ପାଇଁ ଲୋକେ ଘରୁ ବାହାରୁ ନଥିବାରୁ ଏବେ ପରିବା ତୋଳା ମୂଲ୍ୟ ବି ଉଠୁ ନଥିବା ଚାଷୀ କହୁଛନ୍ତି। ଲକ୍‌ଡାଉନ୍‌ ପୁଣି ବଢ଼ିବା ପରେ ପରିବା ବିକ୍ରି କରିନପାରି ଚାଷୀ ଆହୁରି କ୍ଷତିଗ୍ରସ୍ତ ହେବେ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର