ରାଜଧାନୀ ଶିକ୍ଷା ବ୍ୟବସ୍ଥା: ୨୨ବର୍ଷର ଚିତ୍ର; ଘରୋଇ ସ୍କୁଲ୍‌ ୨୦୩, ସରକାରୀ ୧୧

୧୧ବର୍ଷରେ ଖୋଲିନି ଗୋଟିଏ ବି ସରକାରୀ ସ୍କୁଲ୍‌

ଭୁବନେଶ୍ବର : ସ୍କୁଲ୍‌ ରୂପାନ୍ତରଣ କରାଯାଉଛି, କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର, ଯେଉଁ ଉଦ୍ଦେଶ୍ୟ ରଖି ସରକାର ଏହିଭଳି ବ୍ୟବସ୍ଥା କରୁଛନ୍ତି, ତାହାର ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଛି। ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏବେ ବି ଆବଶ୍ୟକୀୟ ସ୍କୁଲ୍‌ ନାହିଁ। ଦୀର୍ଘ ୨୨ବର୍ଷ ମଧ୍ୟରେ ମାତ୍ର ୧୧ଟି ସରକାରୀ ସ୍କୁଲ୍‌ ଖୋଲିଛି, ତାହା ପୁଣି କେବଳ ପ୍ରାଥମିକ ବିଦ୍ୟାଳୟ। ସେହିଭଳି, ୧୧ବର୍ଷ ମଧ୍ୟରେ ଗୋଟିଏ ବି ସରକାରୀ ସ୍କୁଲ୍‌ ଖୋଲିନାହିଁ। ଅପରପକ୍ଷେ, ଏହି ୨୨ବର୍ଷ ମଧ୍ୟରେ ରାଜଧାନୀରେ ୨୦୩ଟି ଘରୋଇ ସ୍କୁଲ୍‌ ଖୋଲିଛି। ଇତିମଧ୍ୟରେ ଏହି ସମୟସୀମା ମଧ୍ୟରେ ରାଜଧାନୀର ଲୋକସଂଖ୍ୟା ପ୍ରାୟ ଅଢ଼େଇଗୁଣ ବୃଦ୍ଧି ପାଇଛି। ସେହି ତୁଳନାରେ ନୂତନ ସରକାରୀ ସ୍କୁଲ୍‌ ଖୋଲିନଥିବାବେଳେ ସରକାରଙ୍କ ପ୍ରୟାସ ସତ୍ତ୍ବେ ସରକାରୀ-ବେସରକାରୀ ସ୍କୁଲ୍‌ର ତାରତମ୍ୟ ସ୍ପଷ୍ଟ ବାରି ହୋଇପଡ଼ୁଛି।

ଖୋଦ୍‌ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଶେଷଥର ପାଇଁ ୨୦୧୧ ମସିହାରେ ନୀଳଚକ୍ରନଗର ଓ ମୈତ୍ରୀବିହାରରେ ଦୁଇଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ଖୋଲିଥିଲା। ୨୦୦୦ ମସିହାରୁ ଆଜି ଯାଏ ଅର୍ଥାତ୍‌ ୨୨ ବର୍ଷ ହେଲା ଗୋଟିଏ ହେଲେ ନୂଆ ହାଇସ୍କୁଲ ଖୋଲି ନାହିଁ। ଅନ୍ୟପଟେ, ଗତ ୨୨ ବର୍ଷ ଅର୍ଥାତ୍‌ ୨୦୦୦ ମସିହାରୁ ୨୦୨୨ ମଧ୍ୟରେ ରାଜଧାନୀରେ ୨୦୩ ଘରୋଇ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ଛୋଟ ପିଲାଙ୍କ ପାଇଁ ଗଳିକନ୍ଦିରେ ପ୍ଲେ’ ସ୍କୁଲ ମଧ୍ୟ ଖୋଲିଛି।

The Siasat Daily

ଚିନ୍ତାର ବିଷୟ ହେଉଛି ‌ଯେ ସହରରେ ଥିବା ଘରୋଇ ବିଦ୍ୟାଳୟ ତୁଳନାରେ ସରକାରୀ ବିଦ୍ୟାଳୟରେ ଅଧିକ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ମାତ୍ର ସେମାନଙ୍କ ଲାଗି ଆବଶ୍ୟକ ଭିତ୍ତିଭୂମି ନାହିଁ। ଅନେକ ସ୍କୁଲ୍ ଗୋଟିଏ କିମ୍ବା ଦୁଇଟି ଶ୍ରେଣୀ ଗୃହରେ ଚାଲିଛି। କିଛି ସ୍କୁଲ୍‌ରେ ପିଲାମାନଙ୍କ ବସିବା ଲାଗି ଯଥେଷ୍ଟ ଜାଗା ନ ଥିବାରୁ ବାରଣ୍ଡାରେ ପଢ଼ାଯାଉଛି। କରୋନା ଯୋଗୁଁ ଅଭିଭାବକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିବାରୁ ୨୦୨୧-୨୨ ଶିକ୍ଷାବର୍ଷରେ ୫ ହଜାର ୩୦୦ ଛାତ୍ରଛାତ୍ରୀ ଘରୋଇ ବିଦ୍ୟାଳୟ ଛାଡ଼ି ସରକାରୀ ବିଦ୍ୟାଳୟରେ ନାମ ଲେଖାଇଥିଲେ। ୨୦୨୨-୨୩ ଶିକ୍ଷାବର୍ଷରେ ବି ସମାନ ଧାରା ଜାରି ରହିଥିଲା। ଏଭଳି ଘରୋଇ ସ୍କୁଲର ପାଖାପାଖି ୪୫୦୦ ପିଲା ସରକାରୀ ବିଦ୍ୟାଳୟରେ ପଢ଼ିବାକୁ ଆସିଥିଲେ। କିନ୍ତୁ ସରକାର ଏଥିପ୍ରତି ଧ୍ୟାନ ଦେଲେ ନାହିଁ। ଭିତ୍ତିଭୂମି ପ୍ରସ୍ତୁତ କରିବା ସହ ଶିକ୍ଷାର ଗୁଣାତ୍ମକ ମାନ ବଢ଼ାଇ ସରକାରୀ ସ୍କୁଲ ପ୍ରତି ଅଭିଭାବକ ତଥା ପିଲାମାନଙ୍କର ଆଗ୍ରହ ବଢ଼ାଇବାକୁ ଚାହିଲେ ନାହିଁ। ଯେଉଁଥିପାଇଁ ଭୁବନେଶ୍ବରରେ ସରକାରୀ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ବିଏମ୍‌ସି ଅଧୀନ ସରକାରୀ ବିଦ୍ୟାଳୟଗୁଡ଼ିକରେ ଶତାଧିକ ଏବଂ ଭୁବନେଶ୍ବର ବ୍ଲକରେ ପ୍ରାୟ ୩୦ ଶିକ୍ଷକ ପଦବି ଖାଲି ପଡ଼ିବା ହେଉଛି ଏହାର ବଡ଼ କାରଣ।

ଏ ସମ୍ପର୍କରେ ଶିକ୍ଷାବିତ୍‌ ରମାକାନ୍ତ ମହାନ୍ତି କହିଛନ୍ତି ଯେ ସ୍କୁଲ ରୂପାନ୍ତରୀକରଣ ଭଲ ପଦକ୍ଷେପ। ସରକାରୀ ଉଚ୍ଚ ବିଦ୍ୟାଳୟ ରୂପ ବଦଳୁଥିବାରୁ ଭରସା କରି ଅଭିଭାବକ ସେମାନଙ୍କ ପିଲାଙ୍କୁ ସରକାରୀ ସ୍କୁଲ ପଠାଉଛନ୍ତି। ମାତ୍ର ଭିତ୍ତିଭୂମି ଏବେ ସମସ୍ୟା ସୃଷ୍ଟି କରିଛି। ବହୁ ପିଲା ସରକାରୀ ବିଦ୍ୟାଳୟକୁ ଆସୁଥିବା ବେଳେ କ୍ଲାସରୁମ୍‌ ଅଭାବ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଦୁଇ ଦଶନ୍ଧି ଧରି ନୂତନ ସରକାରୀ ହାଇସ୍କୁଲ ନ ଖୋଲିବା ଚିନ୍ତାର ବିଷୟ। ଏଭଳି ଲାଗିରହିଲେ ପିଲାଙ୍କୁ ଉପଯୁକ୍ତ ଶିକ୍ଷା ଦେବା ସମ୍ଭବପର ହେବ ନାହିଁ। କରୋନା ପରେ ସରକାରୀ ସ୍କୁଲକୁ ଫେରିଥିବା ପିଲାମାନଙ୍କୁ ବାନ୍ଧି ରଖିବାକୁ ଏକ ସୁଯୋଗ ଥିଲେ ମଧ୍ୟ ତାହା ଏବେ ଆହ୍ବାନ ହୋଇଛି।
ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମକୁ କହିଛନ୍ତି ଯେ ୫-ଟି କାର୍ଯ୍ୟକ୍ରମ ମାଧ୍ୟମରେ ସ୍କୁଲ ରୂପରେଖ ବଦଳାଯାଉଛି। ଶିକ୍ଷକ ପଦବି ବି ପୂରଣ ହେଉଛି। ଯେଉଁଠି ସମସ୍ୟା ରହିଛି, ତାହାର ସମାଧାନ କରିବା ଦିଗରେ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର