ଭୁବନେଶ୍ବର: ରାଜ୍ୟ ସରକାର ଜଣାଇଛନ୍ତି ଯେ ବିଧାନସଭାରେ ଉପସ୍ଥାପନ କରାଯାଇଥିବା ଅତିରିକ୍ତ ବଜେଟ୍‌ ବିତ୍ତୀୟ ଉତ୍ତରଦାୟିତ୍ବ ଓ ବଜେଟ୍ ପରିଚାଳନା (ଏଫ୍ଆର୍‌ବିଏମ୍‌) ଅଧିନିୟମକୁ ପାଳନ କରୁଛି। ଏହାକୁ ଅତିରିକ୍ତ ରାଜସ୍ବ ତଥା ସଞ୍ଚିତ ଓ ସମର୍ପିତ ସମ୍ବଳର ଉପଲବ୍ଧତା ଭିତରେ ପ୍ରସ୍ତୁତ କରାଯାଇଛି। ଅତିରିକ୍ତ ବଜେଟ୍‌ରେ ରାଜସ୍ବ ବଳକା ସ୍ଥିତି ବଜାୟ ରହିବ। ବିତ୍ତୀୟ ନିଅଣ୍ଟ ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୩ ପ୍ରତିଶତ ମଧ୍ୟରେ ରହିବ। ଜିଏସ୍‌ଡିପିକୁ ଋଣ ଅନୁପାତ ନିର୍ଧାରିତ ସୀମା ୨୫ ପ୍ରତିଶତ ଭିତରେ ରହିବ। ମହାଲେଖାକାରଙ୍କଠାରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟର ଜିଏସ୍‌ଡିପି ଋଣ ଅନୁପାତ ୨୦୨୩ ଜୁଲାଇ ପର୍ଯ୍ୟନ୍ତ ୧୦.୧୨ ପ୍ରତିଶତ ରହିଥିବା ବେଳେ ସୁଧ ଦେୟ ଓ ରାଜସ୍ବ ଆୟର ଅନୁପାତ ୧.୮୫ ପ୍ରତିଶତ ରହିଛି। ଅତିରିକ୍ତ ବଜେଟ୍‌କୁ ମିଶାଇବା ପରେ ୨୦୨୪-୨୫ ଆର୍ଥିକ ବର୍ଷର ପୁଞ୍ଜି ବ୍ୟୟବରାଦ ଜିଏସ୍‌ଡିପିର ୬ ପ୍ରତିଶତରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। 

Advertisment

ପୂର୍ବରୁ ରାଜ୍ୟ ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୬୫ ଲକ୍ଷ କୋଟି ଟଙ୍କାର ବଜେଟ୍‌ ଅଟକଳ ପ୍ରସ୍ତୁତ କରିଛନ୍ତି ଯାହା ଜିଏସ୍‌ଡିପିର ୨୮.୬ ପ୍ରତିଶତ। ଏହା ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍‌ଠାରୁ ୧୫ ପ୍ରତିଶତ ଅଧିକ ଥିଲା। ପୂର୍ଣ୍ଣାଙ୍ଗ ବଜେଟ୍‌ରେ କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୧.୫୫ ଲକ୍ଷ କୋଟି ଟଙ୍କା, ପୁଞ୍ଜି ବିନିଯୋଗ ପାଇଁ ୫୮,୧୯୫ କୋଟି ଟଙ୍କା, ସାମାଜିକ କ୍ଷେତ୍ର ପାଇଁ ୧,୧୦,୨୪୭ କୋଟି ଟଙ୍କା, ଆର୍ଥିକ କ୍ଷେତ୍ର ପାଇଁ ୮୪,୧୩୫ କୋଟି ଟଙ୍କା, ଉନ୍ନୟନମୂଳକ ବ୍ୟୟ ପାଇଁ ୧,୯୪,୩୮୨ କୋଟି ଟଙ୍କାର ଅଟକଳ ପ୍ରସ୍ତୁତ କରାଯାଇଥିଲା। ରାଜସ୍ବ ବଳକା ୨୭,୪୩୬ କୋଟି ଟଙ୍କା, ବିତ୍ତୀୟ ନିଅଣ୍ଟ ୩୨,୪୦୩ କୋଟି ଟଙ୍କା ଏବଂ ଋଣ ଭାର ୧,୨୫,୫୫୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା।

ପୁଞ୍ଜି ବ୍ୟୟ ଜିଏସ୍‌ଡିପିର ୬%ରୁ ଅଧିକ
ରାଜସ୍ବ ବଳକା ସ୍ଥିତି ବଜାୟ ରହିବ

ଶ୍ରୀମନ୍ଦିରକୁ ୩୧ କୋଟି

ଭୁବନେଶ୍ବର: ଅତିରିକ୍ତ ବଜେଟ୍‌ରେ ରାଜ୍ୟ ସରକାର ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶ୍ରୀମନ୍ଦିରକୁ ବିଶେଷ ଗୁରୁତ୍ବ ଦେଇଛନ୍ତି। ଶ୍ରୀମନ୍ଦିର ପାଇଁ ୩୧ କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ପରିକ୍ରମାର ବିସ୍ତୃତ ସୁବିଧା ପାଇଁ ୨୬ କୋଟି ଟଙ୍କା ଦିଆଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ରତ୍ନଭଣ୍ଡାର ପାଇଁ ୫ କୋଟି ଟଙ୍କା ଦିଆଯାଇଛି। କୋଠ ଭୋଗ ଦାନ ଯୋଜନା ପାଇଁ ୧୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ରଥ ଉପରେ ଶ୍ରଦ୍ଧାଳୁମାନେ ଚଢ଼ି ପାରିନଥିବାରୁ ଦଇତାପତିମାନେ କ୍ଷତି ସହିଥିଲେ। ସେମାନଙ୍କୁ ଖୁସି କରିବା ସହ କ୍ଷତିପୂରଣ ଦେବା ଲାଗି ବଜେଟ୍‌ରେ ୧୨ କୋଟି ଟଙ୍କା ଦିଆଯାଇଛି। ଶ୍ରୀମନ୍ଦିର ପରିଚାଳନାକୁ ବ୍ୟବସ୍ଥିତ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀମାନଙ୍କୁ ପାରିଶ୍ରମିକ ବ୍ୟବସ୍ଥା ପାଇଁ ଅନୁଦାନ ବାବଦରେ ୫ କୋଟି ଟଙ୍କା ଦିଆଯାଇଛି।

ପ୍ରବାସୀ ଭାରତୀୟ ଦିବସ ପାଇଁ ୧୨୫ କୋଟି

ଭୁବନେଶ୍ବର: ଆସନ୍ତା ବର୍ଷ ଜାନୁଆରି ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଆୟୋଜନ ହେବ ୧୮ତମ ପ୍ରବାସୀ ଭାରତୀୟ ଦିବସ। ଏହି କାର୍ଯ୍ୟକ୍ରମ ଲାଗି ଅତିରିକ୍ତ ବଜେଟ୍‌ରେ ରାଜ୍ୟ ସରକାର ୧୨୫ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଏହି ଦିବସର ବିଷୟବସ୍ତୁ ରହିଛି ‘ବିକଶିତ ଭାରତ ପାଇଁ ପ୍ରବାସୀଙ୍କ ଯୋଗଦାନ’। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରଦାନ କରିବେ।