ଗାର୍ଗୀ ଶତପଥୀ
ରାଜଧାନୀରେ ଜନସଂଖ୍ୟା ଯେତିକି ବଢ଼ୁଛି ସେହି ଅନୁପାତରେ ସରକାରୀ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଇବାରେ ସରକାର ସଫଳ ହୋଇ ନାହାନ୍ତି। ଏମ୍ସ ଭଳି ଜାତୀୟସ୍ତରର ହସ୍ପିଟାଲ ଥିଲେ ମଧ୍ୟ ସରକାରୀ ହସ୍ପିଟାଲ୍ରେ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ସ୍ବପ୍ନ ହୋଇ ରହିଛି। ରାଜଧାନୀର ଦୁଇ ବଡ଼ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଏମ୍ସ ଓ କ୍ୟାପିଟାଲ ହସ୍ପିଟାଲ ଆଜି ମଧ୍ୟ ରେଫେରାଲ୍ ହସ୍ପିଟାଲ ହୋଇ ରହିଯାଇଛନ୍ତି। ଗୁରୁତର ରୋଗୀଙ୍କୁ ଏହି ଦୁଇ ହସ୍ପିଟାଲ କଟକ ଏସ୍ସିବି ମେଡିକାଲକୁ ରେଫର୍ କରୁଛନ୍ତି। ସେହିଭଳି ପ୍ରାଥମିକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ରାଜଧାନୀରେ ଭିତ୍ତିଭୂମି ବିକଶିତ ନୁହେଁ। ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ସବୁବେଳେ ଡାକ୍ତର ଅଭାବ ସମସ୍ୟା ଲାଗି ରହିଥିବାରୁ କ୍ୟାପିଟାଲ ହସ୍ପିଟାଲ ଭାରାକ୍ରାନ୍ତ ହୋଇପଡ଼ୁଛି। ଏମ୍ସ ଅବସ୍ଥା ମଧ୍ୟ ଅନୁରୂପ। ଏଠାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଏତେ ରୋଗୀ ଆସୁଛନ୍ତି ଯେ ରାଜଧାନୀବାସୀ ଏଠାରୁ ସେବା ପାଇବା ସମ୍ଭବ ହେଉନାହିଁ। ଟ୍ରମା ଓ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ସମସ୍ତଙ୍କ ପାଇଁ ଅପହଞ୍ଚ ହୋଇରହିଛି।
୨୦୧୧ ମସିହା ଜନଗଣନା ଅନୁସାରେ ଭୁବନେଶ୍ବରରେ ଜନସଂଖ୍ୟା ଥିଲା ୮ ଲକ୍ଷ ୪୩ ହଜାର ୪୦୨। ବର୍ତ୍ତମାନ ଏହା ୧୨ ଲକ୍ଷ ଅତିକ୍ରାନ୍ତ ହୋଇ ସାରିଲାଣି ବୋଲି ଅନୁମାନ କରାଯାଉଛି। ପଟିଆ, ୟୁନିଟ୍-୪, ବିଏମ୍ସି, ଡୁମୁଡୁମାକୁ ମିଶାଇ ସମୁଦାୟ ୪ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚ୍ସି), ୨୨ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ପିଏଚ୍ସି) ରହିଛି। ବର୍ଦ୍ଧିତ ଜନସଂଖ୍ୟା ଦୃଷ୍ଟିରୁ ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ କରାଯାଇଛି। ନିୟମାନୁସାରେ ୬ଟି ସିଏଚ୍ସି ରହିବା କଥା। କିନ୍ତୁ ଏବେ ବି ୪ ସିଏଚ୍ସିରେ କାମ ଚଳେଇ ନିଆଯାଉଛି।
ପୁଣି ସବୁ ସିଏଚ୍ସିରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ନାହାନ୍ତି। ପ୍ରତି ସିଏଚ୍ସିରେ ସ୍ତ୍ରୀ ଓ ପ୍ରସୂତି ବିଭାଗ, ମେଡିସିନି, ଶିଶୁ ଓ ସର୍ଜରି ବିଶେଷଜ୍ଞ ରହିବା ନିୟମ ରହିଛି। କିନ୍ତୁ ରାଜଧାନୀର କୌଣସି ସିଏଚ୍ସିରେ ଚାରି ଚାରି ବିଭାଗର ବିଶେଷଜ୍ଞ ନାହାନ୍ତି। ସାମାଜିକ କର୍ମୀ ଗୌରାଙ୍ଗ ମହାପାତ୍ରଙ୍କ ଅନୁସାରେ ଚନ୍ଦ୍ରଶେଖରପୁର, ଡମଣା, କଳିଙ୍ଗବିହାର, ସତ୍ୟସାଇବିହାର, ଚକେଇସିଆଣି ଭଳି ଅଞ୍ଚଳରେ ସିଏଚ୍ସିର ଆବଶ୍ୟକତା ରହିଛି। ସୂଚନାଯୋଗ୍ୟ, ପ୍ରତି ଆନ୍ମୋଲ୍ ଯୋଜନାରେ ସ୍ତ୍ରୀ-ପ୍ରସୂତି, ମେଡିସିନି, ଅସ୍ଥିଶଲ୍ୟ, ସର୍ଜନ, ଆଖି, ଦନ୍ତ, ଚର୍ମ ଆଦି ୧୦ ବିଭାଗର ବିଶେଷଜ୍ଞମାନେ ପ୍ରତି ୧୫ ଦିନରେ ସିଏଚ୍ସିକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ତାହା ମଧ୍ୟ କାର୍ଯ୍ୟକାରୀ ହୋଇପାରୁନାହିଁ। ଫଳରେ ଆଜି ବି ଗରିବ ରୋଗୀଟିଏ ଘରୋଇ ହସ୍ପିଟାଲର ଦ୍ବାରସ୍ଥ ହୋଇ ଖର୍ଚ୍ଚାନ୍ତ ହେଉଛି।
କ୍ୟାପିଟାଲ୍ ହସ୍ପିଟାଲକୁ ବାଦ୍ ଦେଲେ ରାଜଧାନୀର ଅନ୍ୟ କେଉଁଠି ମଧ୍ୟ ଆବଶ୍ୟକ ପରିମାଣରେ ମାଗଣା ଔଷଧ ମିଳିପାରୁନାହିଁ। ଏମିତିକି ସାଧାରଣ ଥଣ୍ଡା, କାଶ ଓ ଆଲର୍ଜି ପାଇଁ ସରକାରୀ ଔଷଧ ମିଳୁନାହିଁ। ତେଣୁ ରାଜଧାନୀବାସୀ କ୍ୟାପିଟାଲ ହସ୍ପିଟାଲ ଉପରେ ଅଧିକ ନିର୍ଭରଶୀଳ। ପ୍ରତିଦିନ କ୍ୟାପିଟାଲ୍ ହସ୍ପିଟାଲକୁ ୩ ହଜାରରୁ ଅଧିକ ରୋଗୀ ଆସୁଛନ୍ତି। ସବୁଠୁ ସଂଗିନ୍ କଥା ହେଉଛି ଏବେ ବି କ୍ୟାପିଟାଲ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ପର୍ଯ୍ୟାପ୍ତ ହୋଇପାରିଲାନାହିଁ। ଏବେ ବି ଏଠାରେ ରୋଗୀମାନେ ଚଟାଣରେ ଶୋଇବା ସାଧାରଣ କଥା ହୋଇରହିଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁସାରେ ଜରୁରୀକାଳୀନ ସେବା, ମରଶରୀରକୁ ଆମ୍ବୁଲାନ୍ସ ଯୋଗେ ଛାଡ଼ିବା ଭଳି ସର୍ବନିମ୍ନ ୧୩ଟି ସେବା ପାଇଁ ପ୍ରତ୍ୟେକ ରୋଗୀ ହକ୍ଦାର ଅଟନ୍ତି। କିନ୍ତୁ ରାଜଧାନୀର ରୋଗୀ ଏଥିରୁ ବଞ୍ଚିତ ହୋଇଆସୁଛନ୍ତି। ଘରୋଇ ଡାକ୍ତରଖାନାଗୁଡ଼ିକରେ ଜରୁରୀକାଳୀନ ଅବସ୍ଥାରେ ଆସିଥିବା ରୋଗୀଙ୍କୁ ତଡ଼ି ଦେବା, ମୃତଦେହ ବନ୍ଧକ ରଖିବା ସାଧାରଣ ଘଟଣା ହେବାରେ ଲାଗିଛି। ବଡ଼ କଥା ହେଉଛି ବ୍ଲକ୍ସ୍ତରରେ ହେଉଥିବା ସ୍କ୍ରିନିଂ କାର୍ଯ୍ୟକ୍ରମ ରାଜଧାନୀରେ କାର୍ଯ୍ୟକାରୀ ହୋଇପାରୁନାହିଁ। ଗାଁ କଲ୍ୟାଣ ସମିତି ଭଳି ଏଠାରେ ୱାର୍ଡ କଲ୍ୟାଣ ସମିତି କାର୍ଯ୍ୟକାରୀ ହେଉନାହିଁ।
କୋମାରେ ସିଟି ମ୍ୟାନେଜ୍ମେଣ୍ଟ ଗ୍ରୁପ୍
କୌଣସି ବିଭାଗ ସହ କୌଣସି ବିଭାଗର ସମନ୍ବୟ ନାହିଁ। ଗୋଟିଏ ରାସ୍ତା ସ୍ମାର୍ଟ ସିଟି ଖୋଳିବା ପରେ ସେହି ରାସ୍ତାକୁ ବିଦ୍ୟୁତ ବିଭାଗ ଖୋଳୁଛି। ପାନୀୟ ଜଳ ସଂଯୋଗ ଦେବାପାଇଁ ସେହି ରାସ୍ତାକୁ କିଛି ଦିନ ପରେ ଖୋଳୁଛି ୱାଟ୍କୋ। ଏଭଳି ସମନ୍ବୟ ଅଭାବରୁ ଅନେକ ପ୍ରକଳ୍ପ ପ୍ରଭାବିତ ହେବା ସହ ଅଯଥା ଅର୍ଥ ଖର୍ଚ୍ଚ ହେଉଛି। ଏହାକୁ ରୋକିବା ପାଇଁ ଏକ କମିଟି ଗଠନ ହୋଇଥିଲା। ତାହା ହେଉଛି ସିଟି ମ୍ୟାନେଜ୍ମେଣ୍ଟ ଗ୍ରୁପ୍। ସହରାଞ୍ଚଳ ବିକାଶରେ କାମ କରୁଥିବା ପ୍ରତ୍ୟେକ ସରକାରୀ ବିଭାଗକୁ ଏଥିରେ ସାମିଲ କରାଯାଇଥିଲା। ଏହି ଗ୍ରୁପ୍ ନିୟମିତ ବୈଠକ କରି ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ସହ ସମନ୍ବୟ ରକ୍ଷା କରି କାମ କରିବାକୁ ଯୋଜନା ରହିଥିଲା। ହେଲେ ସେ ଗ୍ରୁପ୍ କାମ କରୁନଥିବାରୁ ସମନ୍ବୟର ଅଭାବ ପାଇଁ ଜନସ୍ବାର୍ଥ ବଳିପଡ଼ିଛି।