ଭୁବନେଶ୍ବର (କେଶବ ପାଣି): କୋଲକାତା, ଦିଲ୍ଲୀ, ମୁମ୍ବାଇ ପରି ଓଡ଼ିଶାରେ ଚାଲିବ ମେଟ୍ରୋ ଟ୍ରେନ୍। ଐତିହ୍ୟ ସହର ଭୁବନେଶ୍ବରରୁ ରୌପ୍ୟ ନଗରୀ କଟକକୁ ମେଟ୍ରୋ ଟ୍ରେନ୍ ସେବା ଆରମ୍ଭ କରିବାକୁ ରାଜ୍ୟ ସରକାର ଯୋଜନା କରୁଥିବା ନେଇ ୧୬ତମ ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଥିଲେ। ଏ ନେଇ ଶାସକ ବିଜେଡି ବି ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା। ତେଣୁ ରାଜଧାନୀବାସୀ ଆଶା ରଖିଥିଲେ ଦୈତନଗରୀରେ ମେଟ୍ରୋ ଟ୍ରେନ୍ ଗଡ଼ିବ। ମାତ୍ର ଏହି ଘୋଷଣା କେବଳ ସ୍ବପ୍ନରେ ହିଁ ରହିଯାଇଛି। ରହିଯିବ ମଧ୍ୟ। କାରଣ ଆସନ୍ତା ୨୦ ବର୍ଷ ଅର୍ଥାତ୍ ୨୦୪୧ ପର୍ଯ୍ୟନ୍ତ ଓଡ଼ିଶାରେ ମେଟ୍ରୋ ଟ୍ରେନ୍ ଚାଲିପାରିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।
ଗତବର୍ଷ ତତ୍କାଳୀନ କେନ୍ଦ୍ର ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ୍ ସିଂହ ପୁରୀ କହିଥିଲେ ଯେ ଓଡ଼ିଶା ସରକାର ମେଟ୍ରୋ ରେଳ ନେଟୱର୍କ ନେଇ କିଛି ପ୍ରସ୍ତାବ ଦେଇନାହାନ୍ତି। ଯେଉଁ ରାଜ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ କରିବ ସେଥିପାଇଁ ରାଜ୍ୟ ସରକାରଙ୍କୁ ଆଗ ଯୋଜନା ଆରମ୍ଭ କରିବାକୁ ହେବ, ଉନ୍ନତୀକରଣ କରିବାକୁ ହେବ ଏବଂ ପାଣ୍ଠି ଯୋଗାଡ଼ କରିବାକୁ ପଡ଼ିବ। କେନ୍ଦ୍ର ସରକାର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଯୋଗାଇବା, ନୀତି ନିର୍ଦ୍ଧାରଣ କରିବା, ପ୍ରସ୍ତାବର ବାସ୍ତବ ସ୍ଥିତି ପରଖନ୍ତି। କିନ୍ତୁ ଏହା ସବୁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଆସିବା ପରେ ହୁଏ। ହେଲେ ଓଡ଼ିଶାରୁ ଏ ନେଇ କିଛି ପ୍ରସ୍ତାବ ଆସିନି।
କେନ୍ଦ୍ର ସରକାରଙ୍କ ଏଭଳି ମନ୍ତବ୍ୟ ପରେ ୨୦୨୧ ମାର୍ଚ୍ଚ ୩୧ରେ ବିରୋଧୀ ବିଧାୟକମାନେ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଥିଲେ। ଉତ୍ତରରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ମେଟ୍ରୋ ଟ୍ରେନ୍ ଚଳାଇବା ପାଇଁ ସର୍ଭେ କରାଯାଇଥିଲା। ଏଥିପାଇଁ ଟେଣ୍ଡର ବି ହୋଇଥିଲା। ଏଥିରେ ୫ଟି କମ୍ପାନି ଭାଗ ନେଇଥିଲେ। ଏହି ଟେଣ୍ଡର ବାଲାଜୀ ରେଲ୍ ଆଣ୍ଡ୍ ରୋଡ ବର୍ଷାଲିକୁ ମିଳିଥିଲା। ସର୍ଭେ ପାଇଁ କେନ୍ଦ୍ର ସରକାର ୧୨ ଲକ୍ଷ ୬୧ ହଜାର ଟଙ୍କା ଦେଇଥିବାବେଳେ ରାଜ୍ୟ ସରକାର ୫୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ପ୍ରଥମେ ଖୋର୍ଦ୍ଧା, ଜଟଣୀ ଓ କଟକ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଚଳାଇବା ପାଇଁ ପ୍ରସ୍ତାବ ଥିଲା। ଯାହାର ଫିଜିବିଲିଟି ନାହିଁ ବୋଲି ସର୍ଭେ କରିଥିବା ସଂସ୍ଥା ରିପୋର୍ଟ ଦେଇଛି। କଟକରୁ-ଚଣ୍ଡିଖୋଲ ଓ ଭୁବନେଶ୍ବରରୁ ପୁରୀ ପର୍ଯ୍ୟନ୍ତ ଚଳାଇବା ପାଇଁ ପୁଣି ଥରେ ପ୍ରସ୍ତାବ ଦିଆଯିବ ବୋଲି ମନ୍ତ୍ରୀ ଗୃହରେ କହିଥିଲେ। ଇତିମଧ୍ୟରେ ବର୍ଷେ ବିତିଯାଇଥିଲେ ମଧ୍ୟ ଏଦିଗରେ କୌଣସି ବି ପଦକ୍ଷେପ ନିଆଯାଇ ନାହିଁ। ଓଡ଼ିଶାବାସୀଙ୍କ ପାଇଁ ମେଟ୍ରୋ ଟ୍ରେନ୍ ସେଭଳି ସ୍ବପ୍ନ ହୋଇ ରହିଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/50-2.jpg)