ରାଜଧାନୀ ପ୍ରତିଷ୍ଠା ଦିବସ: ପୂର୍ଣ୍ଣାଙ୍ଗ ସହରର ଅଭାବବୋଧ

ରାଜଧାନୀକୁ ପୂରିଛି ୭୪ ବର୍ଷ। ୧୯୪୮ ଏପ୍ରିଲ୍ ୧୩ରେ ପଣ୍ତିତ ଜବାହରଲାଲ ନେହରୁ ଏହାର ଶିଳାନ୍ୟାସ କରିଥିଲେ। ମାତ୍ର ଚାଳିଶ ହଜାର ଲୋକଙ୍କ ବସବାସ ଲାଗି ତିଆରି ହୋଇଥିବା ସହରର ଲୋକସଂଖ୍ୟା ୧୧ଲକ୍ଷ ଟପିଲାଣି। ଇତିମଧ୍ୟ‌ରେ ରାଜଧାନୀରେ ଅନେକ ପରିବର୍ତ୍ତନ ହୋଇଛି। କଳେବର ବଢ଼ିବା ସହ ସମସ୍ୟା ବଢ଼ିଛି। ବିଶ୍ବସ୍ତରୀୟ ସହର ପାଇଁ ଯୋଜନା ହୋଇଛି। ହେଲେ ରାଜଧାନୀକୁ ଏକ ପୂର୍ଣ୍ଣାଙ୍ଗ ସହରରେ ପରିଣତ କରିବାରେ ରହିଥିବା ଅଭାବବୋଧ ଜଳ ଜଳ ଦିଶୁଛି। ଜଳ ନିଷ୍କାସନ ସମସ୍ୟା ହେଉ କି ରାସ୍ତାଘାଟ, ଅନିୟନ୍ତ୍ରିତ ଟ୍ରାଫିକ୍‌ ହେଉ ବା ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା, ଏ ସବୁ ସହରବାସୀଙ୍କୁ ନିୟମିତ ଅଣନିଶ୍ବାସୀ କରୁଛି। ଏକଦା ସହରର ପରିଚୟ ପାଲଟିଥିବା ମାଷ୍ଟରକ୍ୟାଣ୍ଟିନ୍‌ରେ ଛକ ଓ ଘୋଡ଼ାକୁ ସୁନ୍ଦର କରିବାକୁ ଯାଇ ଆକାରରେ ଯେଉଁ ପରିବର୍ତ୍ତନ କରାଯାଇଛି ସେଥିରେ ସହରର ପୁରୁଣା ପରିଚୟ ହଜିଯାଇଛି। ପରିଚୟ ସୃଷ୍ଟି ହେବା ଭଳି ନୂଆ କୀର୍ତ୍ତିମାନ ମଧ୍ୟ ସ୍ଥାପନ ହୋଇପାରି ନାହିଁ। ରାଜଧାନୀର ଜନ୍ମଦିନ ପାଳନ ସହ ଏପରି ଅଭାବବୋଧ ଉପରେ ମଧ୍ୟ ତର୍ଜମାର ଆବଶ୍ୟକତା ରହିଛି। ସହରରେ ସ୍ପଷ୍ଟ ଦୃଶ୍ୟମାନ ହେଉଥିବା ଓ ସହରବାସୀ ଅନୁଭବ କରୁଥିବା ଏଭଳି କିଛି ଅଭାବବୋଧ ଉପରେ ‘ସମ୍ବାଦ’ର ଏହି ସ୍ବତନ୍ତ୍ର ଉପସ୍ଥାପନା

ନିଦ ହଜାଉଛି ନଳାପାଣି

ବିବୁଧ ମହାନ୍ତି
ରାଜଧାନୀର ପ୍ରମୁଖ ସମସ୍ୟା ହେଉଛି ଜଳ ନିଷ୍କାସନ। ଏହି ସମସ୍ୟା ମନୁଷ୍ୟକୃତ। ବିଗତ କିଛି ବର୍ଷ ହେବ ଅସରାଏ ବର୍ଷାରେ ଭୁବନେଶ୍ବର ଉବୁଟୁବୁ ହେଉଛି। କିଛି ଆଇନ ସମ୍ମତ କିଛି ବେଆଇନ ନିର୍ମାଣ ହିଁ ଜଳ ନିଷ୍କାସନର ବାଟ ଓଗାଳିଛି। ସ୍ଥିତି ଏଭଳି ହୋଇଛି ଯେ ପ୍ରତ୍ୟେକ ବର୍ଷ ବର୍ଷାରେ ନୂଆ ନୂଆ ସମ୍ବେଦନଶୀଳ ଜାଗା ଚିହ୍ନଟ କରୁଛି ବିଏମ୍‌ସି। ବର୍ଷା ଆସିଲେ ଅଧା ଭୁବନେଶ୍ବରିଆ ଘରେ ପାଣି ପଶିଯିବା ଭୟରେ ରହୁଛନ୍ତି, ବାକି ଅଧା ବାହାରକୁ ବାହାରି ନ ପାରିବା ଭୟରେ ରହୁଛନ୍ତି। ପ୍ରତିବର୍ଷ ବର୍ଷାରେ ରାଜଧାନୀବାସୀ ଉବୁଟୁବୁ ହୁଅନ୍ତି, ବିଏମ୍‌ସି ଯୋଜନା କରେ। ସରକାର ବି ଯୋଜନାରେ ସାମିଲ ହୁଅନ୍ତି। ହେଲେ ବର୍ଷା ଚାଲିଯିବା ପରେ ସମସ୍ତେ ଭୁଲି ଯାଆନ୍ତି।

ବର୍ଷା ଦିନେ ତତ୍ପରତା, ଅନ୍ୟ ଦିନେ ନିରବ

ବାରମ୍ବାର ଦୁର୍ଘଟଣା ପରେ ବି ଚେତୁ ନାହାନ୍ତି

୨୦୧୯ ମସିହାରେ ୧୩ଟି ‌ପ୍ରାକୃତିକ ନଳାର ପୁନରୁଦ୍ଧାର କରିବାକୁ ଯୋଜନା ହୋଇଥିଲା। ସମୁଦାୟ ୬୫.୬୨୧ କିଲୋମିଟର ଦୀର୍ଘ ୧୩ଟି ପ୍ରାକୃତିକ ଡ୍ରେନ୍‌ର ପୁନରୁଦ୍ଧାର ପାଇଁ ୬୧. ୪୩୮ ଏକର ଘରୋଇ ଜମି ଅଧିଗ୍ରହଣ କରିବାକୁ ସ୍ଥିର କରା ଯାଇଥିଲା। ଏଥିପାଇଁ ୭୫୩ କୋଟି ବ୍ୟୟ ଅଟକଳ ହୋଇଥିଲା। ନକ୍ସା ପ୍ରସ୍ତୁତି ସହ ଜମି ବି ଚିହ୍ନଟ ହେଲା। ଗୃହ ଓ ନଗର ଉନ୍ନୟନ ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ‘ଟ୍ରାନ୍‌ସ୍‌ଫର୍ମେବୁଲ ଡେଭଲପମେଣ୍ଟ ଆକ୍ଟ’ ବଳରେ ସିଧାସଳଖ ଘରୋଇ ଜମି କିଣିବା ପାଇଁ ବିଏମ୍‌ସି ଅଧିକୃତ ହୋଇଥିବାରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ବିଳମ୍ବିତ ହେବ ନାହିଁ ବୋଲି ସମସ୍ତେ ଭାବିଲେ। ପ୍ରସ୍ତାବ ସରକାରଙ୍କ ଅନୁମୋଦନ ପାଇବା ପରେ ତୁରନ୍ତ କାମ ଆରମ୍ଭ ହେବ ଓ ୨୦୨୦ ବର୍ଷା ଋତୁରେ ସ୍ମାର୍ଟ ସିଟି ବାସିନ୍ଦା ଜଳବନ୍ଦୀ ସମସ୍ୟାରୁ ମୁକ୍ତି ପାଇବେ ବୋଲି ଖୁସି ହେଲେ। ହେଲେ ସେମିତି କିଛି ହେଲାନି। ଏଭଳି ଦୁଇ ବର୍ଷ ବିତିଗଲା।
୨୦୨୧ ମସିହାରେ ନଳା ପାଣିରେ ଛାତ୍ର ଭାସି ଯାଇ ମୃତ୍ୟୁମୁଖରେ ପଡ଼ିବା ପରେ ସମସ୍ତେ ଜାଗି ଉଠିଥିଲେ।

ପୁଣି ପୁରୁଣା କଥା ମନେ ପଡ଼ିଥିଲା‌। ନଳା ସମ୍ପ୍ରସାରଣ ସହ ପ୍ରାକୃତିକ ନାଳର ରକ୍ଷଣାବେକ୍ଷଣ ପାଇଁ ଯୋଜନା ଆରମ୍ଭ ହେଲା। ଅଧିଗ୍ରହଣ ହେବାକୁ ଥିବା ୬୧.୪୩୮ ଏକର ଜମିରୁ ପ୍ରାଥମିକ ପର୍ଯ୍ୟାୟରେ ୧୪ ଏକର ଜମି ଅଧିଗ୍ରହଣ ହେବାକୁ ସ୍ଥିର ହେଲା। ଏଥିରେ ୨୨୪ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଗଲା। ଏଥର ସରକାର ବିଳମ୍ବ କଲେନି। ତୁରନ୍ତ ଯୋଜନାକୁ କ୍ୟାବିନେଟ୍‌ରେ ଅନୁମୋଦନ କରିଦେଲେ। ବିଏମ୍‌ସି ବି ଚିହ୍ନଟ ହୋଇଥିବା ଜମି ଉପରୁ ଆପତ୍ତି ପ୍ରସ୍ତାବ ଗ୍ରହଣ କଲା। ହେଲେ କ’ଣ ହେଲା କେଜାଣି ଯୋଜନା ଧିମେଇ ଗଲା। ବିଏମ୍‌ସି କହୁଛି କିଛି ଜମି ଅଧିଗ୍ରହଣ ହୋଇଗଲାଣି। ହେଲେ କାମ ଆରମ୍ଭ ହେଉନି। ଏଣେ ବର୍ଷାଋତୁ ଆସିଲାଣି। ଏଣୁ ଏଥର ବି ବର୍ଷା ଭୁବନେଶ୍ବରିଆଙ୍କୁ ଉବୁଟୁବୁ କରିବ ଏଥିରେ ସନ୍ଦେହ ନାହିଁ। ନଳାପାଣି ଆଉ କେତେଦିନ ଡରାଇବ ସେ ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ।

ଏହି ଯୋଜନାରେ ପୁନରୁଦ୍ଧାର ହେବାକୁ ଥିବା ନଳା ଗୁଡ଼ିକ ହେଉଛି ଚନ୍ଦ୍ରଶେଖରପୁର ଫରେଷ୍ଟ ଲେକ୍‌ରୁ ଗଙ୍ଗୁଆନାଳ, ସୈନିକ ସ୍କୁଲ ରୋଡ୍‌ କଲଭର୍ଟରୁ ରେଲୱେ ବ୍ରିଜ୍‌ ପାଖ ୩ ନମ୍ବର ଡ୍ରେନ୍‌, ସୈନିକ ସ୍କୁଲ ସାମ୍ନା ଗଜପତି ନଗରରୁ ଗଙ୍ଗୁଆ ନାଳ, ଏକାମ୍ର କାନନ ଲେକ୍‌ରୁ ଗଙ୍ଗୁଆନାଳ, ଜନପଥ ରୋଡ୍‌ର କଲଭର୍ଟରୁ ଗଙ୍ଗୁଆନାଳ, ରେଲ୍‌ୱେ ବ୍ରିଜ୍‌ ନିକଟ ବୁଦ୍ଧେଶ୍ବରୀ ନଗରରୁ ଗଙ୍ଗୁଆ ନାଳ, ପ୍ରମୁଖ ରହିଛି।

କେବେ ସ୍ମାର୍ଟ ହେବ ଭୁବନେଶ୍ବର?

ଭୁବନେଶ୍ବରକୁ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ବିଏମ୍‌ସି ୮୧ଟି ପ୍ରକଳ୍ପ ସହ ୪୫୩୭କୋଟି ଖର୍ଚ୍ଚ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ସ୍ମାର୍ଟ ସିଟି ମିସନ୍‌ ନିକଟରେ ଦାଖଲ କରିଥିଲା। ପ୍ରକଳ୍ପଗୁଡ଼ିକର ଏତେ ସୁନ୍ଦର ପରିକଳ୍ପନା କରାଯାଇଥିଲା ଯେ, ପ୍ରତିଯୋଗିତାରେ ଭୁବନେଶ୍ବର ପ୍ରଥମ ସ୍ଥାନ ହାସଲ କଲା। ହେଲେ ଏବେ ଅବସ୍ଥା କ’ଣ? ୬ବର୍ଷରେ ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କର ୩୯୨କୋଟି ଲେଖାଏଁ ମୋଟ ୭୮୪କୋଟି ଟଙ୍କା ମିଳିଲା। ବାକି ୩୭୫୩ କୋଟି ଟଙ୍କା ଆଉ ମିଳିବାର ନାହିଁ। ଏତିକିରେ ବି ଯେତିକି କାମ ହେବା କଥା ତାହା ହେଲା ନାହିଁ।

ପିପିପି ମୋଡରେ ହେବାକୁ ଥିବା ରେଳ ଷ୍ଟେସନ୍ ମଲ୍ଟି ମୋଡାଲ୍ ହବ୍, ସତ୍ୟନଗର ଇନଷ୍ଟିଚ୍ୟୁସନାଲ୍ କୋର୍, ଜନପଥ ଗଭର୍ଣ୍ଣମେଣ୍ଟ ହାଉସିଂ ରିଡେଭଲପମେଣ୍ଟ, ମିସନ୍ ଆବାସରୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସ୍‌ସିଏଲ୍) ଓହରିଯାଇଛି। ଜନପଥ କାମ ଚାଲିଛି ଯେ, ସରିବାର ନାଁ ଧରୁନି। ମୁଣ୍ଡ ଉପରେ ତାର ଯିବ ନାହିଁ ବୋଲି ଯେଉଁ ସ୍ବପ୍ନ ରହିଥିଲା ତାହା ସ୍ବପ୍ନରେ ରହିଛି। ଯିଏ ଯେଉଁଠି ଯେତେବେଳେ ଚାହୁଁଛି ସେତେବେଳେ ଖୋଳି ପକାଉଛି। ଗଛ କାଟିବାରେ ଲାଗିପଡ଼ିଛନ୍ତି, ଲଗାଇବା ଭୁଲି ଯାଇଛନ୍ତି।

ସମ୍ବନ୍ଧିତ ଖବର