ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରସ୍ତାବ, ଓଡ଼ିଶାରେ ହେବ ‘ମେସିନ୍ ଟୁଲ୍‌ ପାର୍କ’

‘ଇସ୍ପାତ କ୍ଷେତ୍ର ପାଇଁ କ୍ୟାପିଟାଲ୍ ଗୁଡସ୍‌’ ସମ୍ମିଳନୀ

ଭୁବନେଶ୍ବର: ଓଡ଼ିଶାରେ ଏକ ‘ଇସ୍ପାତ ମେସିନ୍ ଟୁଲ୍‌ ଶିଳ୍ପ ପାର୍କ’ ସ୍ଥାପନ କରିବାକୁ କେନ୍ଦ୍ର ସରକାର ଆଗ୍ରହ ପ୍ରକାଶ କରିଛନ୍ତି। ଯଦି ଓଡ଼ିଶା ସରକାର ଚାହିଁବେ ତେବେ ଆମେ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ବୋଲି କେନ୍ଦ୍ର ଭାରି ଶିଳ୍ପ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମନ୍ତ୍ରୀ ଅନନ୍ତ ଗଙ୍ଗାରାମ ଗିତେ କହିଛନ୍ତି। ଯଥାଶୀଘ୍ର ଏହି ପ୍ରକଳ୍ପ କାମ ଆରମ୍ଭ କରିବା ପାଇଁ ସହଯୋଗ କରିବାକୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି। ଆଜି ‌େମ’ଫେୟାର କନ୍‌ଭେନ୍‌ସନ୍‌ରେ କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ, ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମେକନ୍‌ର ମିଳିତ ସହଯୋଗରେ ଆୟୋଜିତ ‘ଇସ୍ପାତ କ୍ଷେତ୍ର ପାଇଁ କ୍ୟାପିଟାଲ୍‌ ଗୁଡସ୍‌’ ସମ୍ପର୍କିତ ସମ୍ମିଳନୀରେ ଅତିଥି ଭା‌େବ ଯୋଗ ଦେଇ ସେ କହିଲେ, ମେସିନ୍ ଟୁଲ୍‌ ପାର୍କ ନାମରେ ଏକ ନୂଆ ସ୍କିମ୍ ଆରମ୍ଭ କରାଯାଇଛି। ଏହି ସ୍କିମ୍ ଅଧୀନରେ କର୍ଣ୍ଣାଟକର ଟୁମ୍‌କୁର୍‌ ଠାରେ ଦେଶର ପ୍ରଥମ ମେସିନ୍ ଟୁଲ୍ ପାର୍କ ସ୍ଥାପନ କରାଯାଉଛି। ଦ୍ବିତୀୟ ପାର୍କକୁ ଓଡ଼ିଶାରେ ସ୍ଥାପନ କରିବାକୁ ଆମେ ଚାହୁଁଛୁ। ଏହି ମେସିନ୍ ଟୁଲ୍ ପାର୍କ ପା‌ଇଁ ୫୦୦ ଏକର ଜମିର ଆବଶ୍ୟକତା ରହିଛି। ଯେହେତୁ ଇସ୍ପାତ ଶିଳ୍ପର ବିକାଶ ପାଇଁ ଓଡ଼ିଶାରେ ସବୁ ପ୍ରକାର ବ୍ୟବସ୍ଥା ରହିଛି, ତେଣୁ ଏହି ଶିଳ୍ପ ପାର୍କ ଓଡ଼ିଶାରେ ହେଲେ‌ ଅନେକ କଂପାନି ଲାଭବାନ ହେବେ ବୋଲି ସେ କହିଛନ୍ତି।

ଖଣିଜ ଶିଳ୍ପ ନିବେଶ ପାଇଁ ଓଡ଼ିଶା ପସନ୍ଦର ସ୍ଥାନ: ମୁଖ୍ୟମନ୍ତ୍ରୀ
ଓଡ଼ିଶା ହେବ କ୍ୟାପିଟାଲ୍‌ ଗୁଡସ୍‌ ଉତ୍ପାଦନର ପ୍ରମୁଖ ହବ୍: ଧର୍ମେନ୍ଦ୍ର
୩୮ ଏମ୍‌ଓୟୁ ସ୍ବାକ୍ଷରିତ, ଯୋଗ ଦେଲେ ୩୫୦ ପ୍ରତିନିଧି

ଏହି ଅବସରରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବିରେନ୍ଦର ସିଂହ କହିଛନ୍ତି ଯେ, ଇସ୍ପାତ ଉତ୍ପାଦନରେ ବ୍ୟବହାର ହେଉଥିବା ୯୦% ମେସିନ୍‌କୁ ବିଦେଶରୁ ଆଣିବାକୁ ପଡ଼ୁଛି। ଏବାବଦରେ କୋଟି କୋଟି ଟଙ୍କା ଖର୍ଚ ହେଉଛି। ୨୦୩୦ ସୁଦ୍ଧା ଭାରତ ଏହାର ଇସ୍ପାତ ଉତ୍ପାଦନ କ୍ଷମତାକୁ ୩୦୦ ନିୟୁତ ଟନ୍‌ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ପଡ଼ିବ। ସେଥି ମଧ୍ୟରୁ ୧ ଲକ୍ଷ ୬୦ ହଜାର କୋଟି ଟଙ୍କା କେବଳ ମେସିନ୍ କିଣିବା ବାବଦରେ ଖର୍ଚ ହେବ। ଯଦି ସେହି ସବୁ ମେସିନ୍ ଦେଶ ଭିତରେ ନିର୍ମାଣ କରାଯାଇପାରିବ ତେବେ କୋଟି କୋଟି ଟଙ୍କା ସଞ୍ଚୟ ହୋଇପାରିବ ଓ ଭାରତୀୟ କଂପାନିଗୁଡ଼ିକ ଲାଭବାନ ହୋଇପାରିବେ। ନୂଆ କାରଖାନା ସ୍ଥାପନ ହେଲେ ଦେଶରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଭାରତରେ ଇସ୍ପାତ ମେସିନ୍ ନିର୍ମାଣ କାରଖାନା ସ୍ଥାପନ କରିବାକୁ ସେ ଉପସ୍ଥିତ ବିଦେଶୀ କଂପାନିଗୁଡ଼ିକୁ ଆହ୍ବାନ ଦେଇଥିଲେ। ଦେଶରେ କ୍ୟାପିଟାଲ୍‌ ଗୁଡସ୍‌ ଉତ୍ପାଦନ ପାଇଁ ବର୍ଷକୁ ୫୦୦ ନିୟୁତ ଡଲାର ନିବେଶ କରାଯିବ ବୋଲି ସେ କହିଥଇେଲ।

ଏହି ଅବସରରେ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶା ଦେଶର ପ୍ରମୁଖ ଇସ୍ପାତ ହବ୍ ଭାବେ ଉଭା ହୋଇଛି। ୧୯୯୯-୨୦୦୦ ମସିହାରେ ରାଜ୍ୟର ସ୍ଥାପିତ ଇସ୍ପାତ ଉତ୍ପାଦନ କ୍ଷମତା ୪ ନିୟୁତ ଟନ୍ ଥିଲା। ଏହା ୩୩ ନିୟୁତ ଟନ୍‌କୁ ବୃଦ୍ଧି ପାଇଛି। ଖଣିଜ କ୍ଷେତ୍ର ନିବେଶ ପାଇଁ ଓଡ଼ିଶା ପସନ୍ଦର ରାଜ୍ୟ ହୋଇଥିବା ବେଳେ ଆମେ ଇସ୍ପାତ କ୍ଷେତ୍ରରେ ଆନୁଷଙ୍ଗିକ ଶିଳ୍ପର ବିକାଶ ପ୍ରତି ଅଧିକ ଧ୍ୟାନ ଦେଉଛୁ। ବଡ଼ ସଂସ୍ଥାଗୁଡ଼ିକୁ ଆନୁଷଙ୍ଗିକ ଶିଳ୍ପ ପାର୍କ ସ୍ଥାପନ କରିବାକୁ କୁହାଯାଉଛି ବୋଲି ସେ କହିଛନ୍ତି। ବିଗତ ୧୮ ବର୍ଷ ଭିତରେ ରାଜ୍ୟର ବନ୍ଦରରେ ମାଲ ପରିବହନ କ୍ଷମତା ୧୦ ଗୁଣ ବୃଦ୍ଧି ପାଇ ୧୯୦ ନିୟୁତ ଟନ୍‌ରେ ପହଞ୍ଚିଥିବା ବେଳେ, ବିଦ୍ୟୁତ ଶକ୍ତି ଉତ୍ପାଦନରେ ତିନି ଗୁଣ ଓ ସଡ଼କ ନେଟ୍‌ୱର୍କ ସ୍ଥାପନରେ ୫୦% ବୃଦ୍ଧି ହୋଇଛି। ରାଜ୍ୟର ଇସ୍ପାତ ଶିଳ୍ପ ବିକାଶରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସେ କହିଛନ୍ତି। ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶାର ଦ୍ବିତୀୟ ସଂସ୍କରଣରେ ଅଂଶ ଗ୍ରହଣ କରିବାକୁ ସେ ଉପସ୍ଥିତ ନିବେଶକମାନଙ୍କୁ ଆହ୍ବାନ ଦେଇଥିେଲ। ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍‌, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ, ଭବି‌ଷ୍ୟତରେ ଇସ୍ପାତ ମେସିନ୍ ଉତ୍ପାଦନରେ ଓଡ଼ିଶାରେ ଅନ୍ୟତମ ପ୍ରମୁଖ ହବ୍ ଭାବେ ଉଭା ହେବ। ୧୩ ହଜାର କୋଟି ଟଙ୍କା ବିନିଯୋଗରେ ପାରାଦୀପରୁ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଗ୍ୟାସ୍‌ ପାଇପ୍‌ଲାଇନ୍ ନିର୍ମାଣ କରାଯାଉଛି। ସହର ଗ୍ୟାସ୍‌ ଯୋଗାଣ ପ୍ରକଳ୍ପ ଓଡ଼ିଶା ୧୯ଟି ଜିଲ୍ଲା ଦେଇ ଗତି କରୁଛି। ଦେଶରେ ୧୨ଟି ବାୟୋ ରିଫାଇନାରି ସ୍ଥାପନ କରିବା ପାଇଁ ୧୨ ହଜାର କୋଟି ଟଙ୍କା ନିବେଶ କରାଯିବ। ସେଥି ମଧ୍ୟରୁ ଗୋଟିଏ ଓଡ଼ିଶାରେ ନିର୍ମାଣ କରାଯାଉଛି। ପାରାଦୀପ ଓ ଧାମରା ମଧ୍ୟରେ ଏକ ନୂଆ ୱାଟର୍‌େୱ ନିର୍ମାଣ କରାଯାଉଛି। ପାରାଦୀପରୁ କଳିଙ୍ଗ ନଗର ପର୍ଯ୍ୟନ୍ତ ୧୦୦ କିମି ରାସ୍ତାକୁ ୮ ଲେନ୍ ବିଶିଷ୍ଟ କରାଯିବ । ରାଜ୍ୟରେ ୫୦୦୦ କିମିର ଜାତୀୟ ରାଜପଥ ନିର୍ମାଣ ନେଇ ଯୋଜନା ପ୍ରସ୍ତୁତ ହେଉଛି। ଏଥିସହିତ ରାଜ୍ୟରେ ରେଳପଥର ବିକାଶ ପାଇଁ କେନ୍ଦ୍ର ସରକାର ଗତ ୪ ବର୍ଷ ମଧ୍ୟରେ ୨୦ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଏହି ସମ୍ମିଳନୀରେ ଆଜି ବିଦେଶୀ ସଂସ୍ଥା ଓ ଭାରରତୀୟ କଂପାନିଗୁଡ଼ିକ ମଧ୍ୟରେ ୩୯,୪୦୦ କୋଟି ଟଙ୍କାର ୩୮ଟି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରାଯାଇଛି। ଏହି ଅବସରରେ ୧୨ଟି ଦେଶର ୩୫୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ଏକ କଫି ଟେବୁଲ୍‌ ବୁକ୍‌ ଓ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଶ୍ବ ଇସ୍ପାତ ସଂଘର ମୁଖ୍ୟ-ଇକୋନୋମିକ୍ ଆଣ୍ଡ୍‌ ଷ୍ଟାଟିଷ୍ଟିକାଲ୍ ଆନାଲିସିସ୍‌ ଆଦମ୍ ସିୱଜିକ୍, କେନ୍ଦ୍ର ଇସ୍ପାତ ସଚିବ ବିନୟ କୁମାର, ଅତିରିକ୍ତ ସଚିବ ରାସିକା ଚୌବେ, ପୂର୍ବତନ ‌େକନ୍ଦ୍ର ଇସ୍ପାତ ସଚିବ ଡକ୍ଟର ଅରୁଣା ଶର୍ମା, ମେକନ୍‌ର ସିଏମ୍‌ଡି ଅତୁଲ ଭଟ୍ଟ ଓ ଭାରତୀୟ ଶିଳ୍ପ ମହାସଂଘର ଡାଇରେକ୍ଟର ଜେନେରାଲ୍ ଚନ୍ଦ୍ରଜିତ ବାନାର୍ଜୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର