ଭୁବନେଶ୍ବର: ବାତ୍ୟା ‘ବିପର୍ଯ୍ୟୟ’ର କୌଣସି ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିନଥିଲେ ମଧ୍ୟ ଏହାର ପ୍ରଭାବରେ ଓଡ଼ିଶାରେ ଗତ ୨ ଦିନ ହେଲା ତାତି ବିସ୍ଫୋରକ ରୂପ ନେଇଛି। ୧୩ ଓ ୧୪ ତାରିଖରେ ରାଜଧାନୀ ଭୁବନେଶ୍ବରର ସର୍ବୋଚ୍ଚ ଦିନ ତାପମାତ୍ରା ୩୪ ଡିଗ୍ରି ରହିଥିବା ବେଳେ ହଠାତ୍ ଗୁରୁବାର ତାହା ବଢ଼ି ୪୨.୪ ଡିଗ୍ରି ଓ ଆଜି ତାହା ଆହୁରି ଅଢ଼େଇ ଡିଗ୍ରି ପର୍ଯ୍ୟନ୍ତ ବଢ଼ି ୪୪.୬ ଡିଗ୍ରି ରେକର୍ଡ ହୋଇଛି। ଯାହାକି ସ୍ବାଭାବିକ ଦିନ ତାପମାତ୍ରାଠାରୁ ୯.୭ ଡିଗ୍ରି ଅର୍ଥାତ ପ୍ରାୟ ୧୦ ଡିଗ୍ରି ଅଧିକ। ଏଭଳି ତାତି ଆଜି ରାଜଧାନୀବାସୀଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଶେଷ ରଜରେ ରଜ ମଉଜ ସମ୍ପୂର୍ଣ୍ଣ ଫିକା ପଡ଼ିଯାଇଥିଲା। ଗତକାଲି ତାତି ଫଳରେ ରାତି ତମାମ୍ ଗରମରେ ଶୋଇ ପାରିନଥିବା ଲୋକ ଆଜି ସକାଳର ଗରମ, ଗୁଳୁଗୁଳି ଦେଖି ହତବାକ୍ ହୋଇଯାଇଥିଲେ।
ସକାଳ ସାଢ଼େ ୮ଟାରେ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୩୪.୨ ଡିଗ୍ରି ପାର୍ କରିଥିବା ବେଳେ ଆର୍ଦ୍ରତା ରହିଥିଲା ୭୩%। ଫଳରେ ସକାଳୁ ସକାଳୁ ଗରମ ପାଖାପାଖି ୪୪ ଡିଗ୍ରି ଯାଏ ଅନୁଭୂତ ହୋଇଥିଲା। କିନ୍ତୁ ଦିନ ବଢ଼ିବା ସହ ତାତି ବଢ଼ିଥିଲା ଓ ରାଜଧାନୀରେ ଦିନ ସମୟରେ ଆଜି ଗୁଳୁଗୁଳି ପ୍ରାୟ ନଥିଲା।
ଏନେଇ ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ଆରବ ସାଗରରେ ରହିଥିବା ବାତ୍ୟା ‘ବିପର୍ଯ୍ୟୟ’ ପ୍ରଭାବରେ ବାତ୍ୟା ପାଖାପାଖି ଅଞ୍ଚଳରେ ବାୟୁ ତଳୁ ଉପରକୁ ଉଠୁଛି ଅର୍ଥାତ ପାଖାପାଖି ୧୨ କିମି ଉଚ୍ଚକୁ ଉଠି ଊର୍ଧ୍ବମୁଖୀ ହେଉଛି। ଫଳରେ ସେହି ଅଞ୍ଚଳ ଥଣ୍ଡା ରହିଛି। ଏହାପରେ ସେହି ବାୟୁ କିଛି ଦୂରକୁ ଯାଉ ପୁଣି ତଳକୁ ଖସୁଛି। ଏହା ଦ୍ବାରା କେନ୍ଦ୍ରୀୟ ଭାରତ ଗରମ ହେବାରେ ଲାଗିଛି। ସାଧାରଣତଃ ବାୟୁ ଊର୍ଧ୍ବମୁଖୀ ହେଲେ ତାତି କମେ। ଯେହେତୁ କେନ୍ଦ୍ରୀୟ ଭାରତରେ ବାୟୁ ନିମ୍ନମୁଖୀ ହେଉଛି, ତେଣୁ ପୂରା କେନ୍ଦ୍ରୀୟ ଭାରତରେ ତାପମାତ୍ରା ବଢ଼ୁଛି। ଅନ୍ୟପଟେ ରାଜସ୍ଥାନ ପଟୁ ଉତ୍ତର-ପଶ୍ଚିମ ଶୁଷ୍କ ପବନ ଓଡ଼ିଶାକୁ ପ୍ରବାହିତ ହେଉଥିବାରୁ ଓଡ଼ିଶା ତଥା ଉପକୂଳରେ ତାତି ବଢ଼ିବାରେ ଲାଗିଛି।
୧୮ ତାରିଖ ଆଡ଼କୁ ପବନର ଦିଗ ପରିବର୍ତ୍ତନ ହେବ। ଉତ୍ତର-ପଶ୍ଚିମରୁ ଓଡ଼ିଶାକୁ ପବନ ପ୍ରବାହିତ ନ ହୋଇ ଦକ୍ଷିଣ ବା ଦକ୍ଷିଣ-ପଶ୍ଚିମରୁ ବାୟୁ ପ୍ରବାହିତ ହେବ। ଫଳରେ ରାଜ୍ୟ ଓ ରାଜଧାନୀର ତାତି କମିବା ଆରମ୍ଭ ହେବ। ଏଥିସହ ୧୯ ତାରିଖରୁ ବଙ୍ଗୋପସାଗରରୁ ସାମୁଦ୍ରିକ ପବନ ମଧ୍ୟ ବହିବା ଆରମ୍ଭ ହୋଇଯିବ ଓ ତାତି ଆହୁରି କମିବ। କିନ୍ତୁ ଆଭ୍ୟନ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଏବେ କିଛି ଦିନ ତାତି କମିବାର ସମ୍ଭାବନା ବିଶେଷ ନାହିଁ। କାଳବୈଶାଖୀ ହେଲେ ତାପମାତ୍ରା କିଛି କମିପାରେ।
ଏଥିସହ ଯଦି ୧୮ ଓ ୧୯ ତାରିଖ ଆଡ଼କୁ ପ୍ରାକ୍ ମୌସୁମୀ ବର୍ଷା ହେବ ତେବେ ୨୦, ୨୧ ତାରିଖ ଆଡ଼କୁ ମୌସୁମୀ ଓଡ଼ିଶା ଛୁଇଁପାରେ। କିନ୍ତୁ ଏବେର ସ୍ଥିତି କହୁଛି ୨୩ କିମ୍ବା ୨୪ ଆଡ଼କୁ ମୌସୁମୀ ଓଡ଼ିଶା ଛୁଇଁପାରେ। ଏଥିସହ ମୌସୁମୀ ଛୁଇଁବା ପରେ ବି ଓଡ଼ିଶାରେ ବିଶେଷ ବର୍ଷା ନଥିବା ସେ କହିଛନ୍ତି। ୨୩, ୨୪ ତାରିଖ ଆଡ଼ଙ୍କୁ ପଶ୍ଚିମବଙ୍ଗ ଓ ବାଂଲାଦେଶ ପାଖାପାଖି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ଓଡ଼ିଶାରେ ବର୍ଷା କରାଇବା ସହ ମୌସୁମୀକୁ ବାଟ କଢ଼ାଇବ।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆଜି ଦିନ ସାଢ଼େ ୧ଟା ପରେ ଆକାଶ ମେଘୁଆ ହୋଇଯାଇଥିଲା। ଫଳରେ ମେଘରୁ ଭୂପୃଷ୍ଠକୁ ଇନ୍ଫ୍ରା ରେଡିଏସନ୍ କିରଣ ଅଧିକ ଆସିବା ସହିତ ଏହା ଭୂପୃଷ୍ଠରୁ ଆକାଶକୁ ବିକିରଣ ବାଧାପ୍ରାପ୍ତ ହୋଇଥିଲା। ଇନ୍ଫ୍ରା ରେଡିଏସନ୍ କିରଣ ବାୟୁମଣ୍ଡଳକୁ ଉତ୍ତପ୍ତ କରାଉଥିବାରୁ ଆଜିର ତାପମାତ୍ରା ବଢ଼ିଥିଲା। ଏଥିସହ ରାଜଧାନୀରେ ପବନର ବେଗ ଖୁବ୍ କମ୍ ଥିଲା। ଘଣ୍ଟା ପ୍ରତି ୯ କିମି। ଫଳରେ ଉତ୍ତାପ ନିର୍ଗତ ନ ହୋଇ ବାୟୁମଣ୍ଡଳରେ ଠୁଳ ହୋଇଥିଲା। ସେଥିପାଇଁ ରାଜଧାନୀର ତାତି ସ୍ବାଭାବିକଠାରୁ ୧୦ ଡିଗ୍ରି ଯାଏ ଅଧିକ ରହିଥିଲା ବୋଲି ଡ. ପଶୁପାଳକ କହିଛନ୍ତି।
ୟୁଭି ଇଣ୍ଡେକ୍ସ ୧୩!
ପାଣିପାଗ ବିଶେଷଜ୍ଞ ଡ. ପଶୁପାଳକ ଆଜି ରାଜଧାନୀ ତାତି ବଢ଼ିବାର ଅନ୍ୟ ଏକ କାରଣ ଭାବେ ଅଧିକ ଉତ୍ତାପ କରିବା ଅତିବାଇଗଣୀ ରଶ୍ମି (ୟୁଭି)କୁ ଦର୍ଶାଇଛନ୍ତି। ସେ କହିଛନ୍ତି, ଅତିବାଇଗଣୀ ରଶ୍ମି ଅତ୍ୟନ୍ତ ଶକ୍ତିଶାଳୀ ହୋଇଥିବା ବେଳେ ଏହା ବାୟୁମଣ୍ଡଳର ତାତି ବଢ଼ାଇବା ସହ ମଣିଷମାନଙ୍କ ଶରୀରରେ ତ୍ବଚାକର୍କଟର କାରଣ ହୋଇଥାଏ। ଏଥିସହ ଏହି ରଶ୍ମି ଡିଏନ୍ଏର ତତ୍ବ ପରିବତ୍ତର୍ନ କରିଥାଏ। ତେବେ ସେ କହିଛନ୍ତି ଆଜି ରାଜଧାନୀର ୟୁଭି ଇଣ୍ଡେକ୍ସ ୧୩ ଥିଲା, ଯାହାକି ମଣିଷ ପାଇଁ ବହୁତ କ୍ଷତିକାରକ। ସାଧାରଣତଃ ୟୁଭି ଇଣ୍ଡେକ୍ସ ୫ରୁ ୬ ରହିବା କଥା। ଯଦି ଏହା ୮ ପାର୍ କରେ ତାହା କ୍ଷତିକାରକ। ସେ କହିଛନ୍ତି, ବିଭିନ୍ନ ସାଟେଲାଇଟ୍ର ତଥ୍ୟ ଅନୁସାରେ ଆଜି ରାଜଧାନୀର ୟୁଭି ଇଣ୍ଡେକ୍ସ ୧୩ ରହିଥିଲା। ଫଳରେ ଏହି ସମୟରେ ଖରାରେ ଅଧିକ ସମୟ ରହିଲେ ତ୍ବଚା କର୍କଟ ହେବାର ଆଶଙ୍କା ରହିଥିବା ସେ କହିଛନ୍ତି।
ଅନ୍ୟପଟେ ଭୁବନେଶ୍ବରରେ ୟୁଭି ଇଣ୍ଡେକ୍ସ ୧୩ ରହିବା ଅସମ୍ଭବ ବୋଲି ଅନ୍ୟ ପାଣିପାଗ ବିଶେଷଜ୍ଞମାନେ ଦାବି କରିଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଭୁବନେଶ୍ବରର ୟୁଭି ଇଣ୍ଡେକ୍ସ ମାପିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। କେବଳ ଭୁବନେଶ୍ବର କାହିଁକି ଓଡ଼ିଶାରେ କେଉଁଠାରେ ବି ଏହା ମପାଯିବାର ବ୍ୟବସ୍ଥା ନାହିଁ। ୧୩ ୟୁଭି ଇଣ୍ଡେକ୍ସ ରହିବାର ଅର୍ଥ ସୂର୍ଯ୍ୟକିରଣ ପଡୁ ପଡ଼ୁ ହାତ, ମୁହଁରେ ଘା’ ହୋଇଯିବା। ଓଡ଼ିଶାରେ ଏଭଳି କେବେ ବି ହେବ ନାହିଁ ବୋଲି ସେ କହିଛନ୍ତି।
ଡ. ଶରତ ସାହୁ କହିଛନ୍ତି, ଓଡ଼ିଶାରେ ୟୁଭି ଇଣ୍ଡେକ୍ସ ମାପିବାର କୌଣସି ବ୍ୟବସ୍ଥା ନାହିଁ। ସାଟେଲାଇଟ୍ରେ ଏଥିପାଇଁ ସେନ୍ସର୍ ଖଞ୍ଜାଯାଇଛି। ତେବେ ସାଟେଲାଇଟ୍ ତଥ୍ୟ କେତେ ଦୂର ସତ ତାହା କହି ହେବ ନାହିଁ ବୋଲି ସେ କହିଛନ୍ତି। ସୂର୍ଯ୍ୟକିରଣ ଆସିଲେ ୟୁଭି କିରଣ ଆସିବ। ଏହା ତାତି ବଢ଼ାଏ ନାହିଁ। କାରଣ ବର୍ଷା ସମୟରେ ବି ୟୁଭି କିରଣ ସୂର୍ଯ୍ୟାଲୋକ ସହ ଆସିଥାଏ। ୟୁଭି କିରଣ ଭୁବନେଶ୍ବର, ପୁରୀ, ରାଜସ୍ଥାନ ସବୁଆଡ଼େ ପଡ଼େ ଓ ସବୁଆଡ଼େ ସମାନ। ଏଣୁ ୟୁଭି କିରଣ ଅଧିକ ତାତିର କାରଣ ନୁହେଁ ବୋଲି ଡ. ସାହୁ କହିଛନ୍ତି।