ଶିଶୁ ଦିବସରେ ନବୀନ କହିବେ ମନର କଥା

କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ହେବ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି କହିବେ ନିଜ ମନର କଥା। ଆସନ୍ତା ଶିଶୁ ଦିବସରେ ଦୂରଦର୍ଶନ ମାଧ୍ୟମରେ ନବୀନ ନିଜର ମନର କଥା କହିବେ। ସ୍କୁଲ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏଥିରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେବେ। ଲମ୍ବା ଭାଷଣ ଦେବାକୁ ପସନ୍ଦ କରୁନଥିବା ନବୀନ କିନ୍ତୁ ୪୫ମିନିଟ ଉଦ୍‌ବୋଧନ ଦେବାର ଯୋଜନା ଅଛି। ପ୍ରତ୍ୟେକ ସ୍କୁଲର ପିଲା ଓ ଅଭିଭାବକ ଯେପରି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଟିଭି ମାଧ୍ୟମରେ ଦେଖିପାରିବେ ସେଥିପାଇଁ ସ୍କୁଲ ସ୍ତରରେ ବ୍ୟବସ୍ଥା କରିବାକୁ ସବୁ ସ୍କୁଲକୁ ନିର୍ଦ୍ଦେଶନାମା ଜାରି ହୋଇଛି।

ଆସନ୍ତା ଶିଶୁ ଦିବସ ପୂର୍ବ ବର୍ଷଗୁଡ଼ିକର ଶିଶୁ ଦିବସ ତୁଳନାରେ ଭିନ୍ନ ହେବ। ପିଲାଙ୍କ ମଧ୍ୟରେ ସ୍କୁଲ ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ସହ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ଏବଂ ନବୀନଙ୍କ ଉଦ୍‌ବୋଧନ ସାମିଲ୍‌ ହୋଇଛି ଏଥରର ଶିଶୁ ଦିବସରେ।

ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଶିଶୁ ଦିବସରେ ପ୍ରତ୍ୟେକ ସ୍କୁଲରେ ପ୍ରାୟ ଘଣ୍ଟାଏ ପାଠପଢ଼ା ବନ୍ଦ ହେବ। ପୂର୍ବାହ୍ନ ୧୧ଟା ୧୫ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଡିଡି ଓଡ଼ିଆରେ ଉଦ୍‌ବୋଧନ ଦେବେ। ଏହାକୁ ପ୍ରତ୍ୟେକ ପିଲା, ସେମାନଙ୍କର ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀ ସହ ଦେଖିବେ। ଯେଉଁ ସ୍କୁଲରେ ଟିଭି ଅଛି ତାହାକୁ ଏଥିରେ ବ୍ୟବହାର କରାଯିବ। ଯାହାର ଟିଭି ନାହିଁ ସେମାନେ ଭଡ଼ାରେ ଆଣିବାକୁ କୁହାଯାଇଛି।

ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ସ୍କୁଲରେ ଠିକ୍‌ ଭାବେ ହୋଇଛି କି ନାହିଁ ତା’ର ପ୍ରମାଣ ସ୍ୱରୂପ ସ୍କୁଲ କର୍ତ୍ତୃପକ୍ଷ କାର୍ଯ୍ୟକ୍ରମର କେତୋଟି ଫଟୋ/ଭିଡ଼ିଓ ଗଣଶିକ୍ଷା ବିଭାଗକୁ ପଠାଇବାକୁ କୁହାଯାଇଛି। ଶିଶୁ ଦିବସ କାର୍ଯ୍ୟକ୍ରମରେ ଯେପରି ଅଧିକରୁ ଅଧିକ ଅଭିଭାବକ ସାମିଲ୍‌ ହେବେ ସେଥିପାଇଁ ନଭେମ୍ବର ୧୧ତାରିଖରେ ସ୍କୁଲ ସ୍ତରରେ ଅଭିଭାବକ ଓ ଶିକ୍ଷକଙ୍କ ବୈଠକ ଡକାଯାଇଛି। ଏହି ଦିନ ପ୍ରଥମାଷ୍ଟମୀ ଯୋଗୁଁ ସ୍କୁଲ ଛୁଟି ରହୁଥିଲେ ହେଁ ଯେପରି ପ୍ରତ୍ୟେକ ପିଲାଙ୍କ ଅଭିଭାବକ ଏହି ବୈଠକରେ ସାମିଲ୍‌ ହେବେ ସେଥିପାଇଁ ପିଲାଙ୍କୁ ତାଗିଦ୍‌ କରି କୁହାଯାଇଛି। ଏହାସହ ଶିଶୁଦିବସରେ ଯେପରି ପ୍ରତ୍ୟେକ ଅଭିଭାବକ ସ୍କୁଲ ଆସିବେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ବସିକି ଶୁଣିବେ ସେଥିପାଇଁ ନଭେମ୍ବର ୧୧ ବୈଠକରେ ଶିକ୍ଷକମାନେ ବୁଝାଇକି କହିବେ।
ଶିଶୁଦିବସ ପାଇଁ ଆଜି ଠାରୁ ସ୍କୁଲ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ମଧ୍ୟରେ ରଚନା ପ୍ରତିଯୋଗିତା, ୬ଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ମଧ୍ୟରେ କବିତା ପ୍ରତିଯୋଗିତା ଏବଂ ୮ମରୁ ୧୦ମ ଶ୍ରେଣୀ ପିଲାଙ୍କ ମଧ୍ୟରେ ବକ୍ତତା ପ୍ରତିଯୋଗିତା ଆରମ୍ଭ ହୋଇଛି। ହେଲେ ବକ୍ତତା ପ୍ରତିଯୋଗିତା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯେଉଁ ୯ଟି ବିଷୟ ଦିଆଯାଇଛି ସେଥିରୁ ୫ଟି ବିଷୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକାରିତା ବିଷୟରେ ଦିଆଯାଇଛି।

ପୂର୍ବରୁ କେବେ ସ୍କୁଲ ସ୍ତରରେ ସରକାରଙ୍କ ଯୋଜନାକୁ ନେଇ ପ୍ରତିଯୋଗିତା ହୋଇନଥିବାବେଳେ ଚଳିତବର୍ଷ ଏପରି ବିଷୟ ବସ୍ତୁ ରହିବା ଅନେକଙ୍କୁ ଚକିତ କରିଛି। ଏପରିକି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେଷ୍ଠ ପ୍ରଶାସକ ପୁରସ୍କାର ପ୍ରଦାନ ନେଇ ଜୋରଦାର ପ୍ରଚାର ପ୍ରସାର କରୁଥିବାବେଳେ ଏହାକୁ ବି ବକ୍ତତା ବିଷୟ ବସ୍ତୁରେ ସାମିଲ୍‌ କରାଯାଇଛି। ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧୀୟ ବିଷୟ ବସ୍ତୁ ବକ୍ତତା ପ୍ରତିଯୋଗିତାରେ ରଖାଯିବା ନେଇ ରାଜଧାନୀର ଏକ ସ୍କୁଲର ଶିକ୍ଷକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆମକୁ ଯେଉଁ ସବୁ ବିଷୟ ଦିଆଯାଇଥିଲା ତାହାକୁ ନେଇ ପ୍ରତିଯୋଗିତା କରିଛୁ। ଅଧିକ ପିଲା କିନ୍ତୁ ଏହାବୁ ବାଦ୍‌ ଦେଇ ଅନ୍ୟ ବିଷୟ ଉପରେ ବକ୍ତତା ଦେଇଥିବା ଉକ୍ତ ଶିକ୍ଷକ ଜଣଙ୍କ କହିଛନ୍ତି।

ସମ୍ବନ୍ଧିତ ଖବର