କ୍ୟାପିଟାଲ ହସ୍ପିଟାଲରେ ଦିନକୁ ଦିନ ବଢ଼ି ଚାଲିଛି କୁକୁର କାମୁଡ଼ା ଆକ୍ରାନ୍ତଙ୍କ ସଂଖ୍ୟା। କ୍ୟାପିଟାଲ ହସ୍ପିଟାଲ ରାଜଧାନୀର ଏକମାତ୍ର ସରକାରୀ ହସ୍ପିଟାଲ, ‌ଯେଉଁଠାରେ କୁକୁର କାମୁଡ଼ା ଟିକା ଦିଆଯାଉଛି। ତେଣୁ ରାଜଧାନୀ ସମେତ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ କୁକୁର କାମୁଡ଼ାରେ ଆହତ ରୋଗୀ ଏ ହସ୍ପିଟାଲକୁ ଆସୁଛନ୍ତି। ଏବେ ଦୈନିକ ପ୍ରାୟ ୧୦୦ ଜଣ କୁକୁର କାମୁଡ଼ାରେ ‌ଆହତ କ୍ୟାପିଟାଲ ହସ୍ପିଟାଲ ଆସୁଥିବା ‌ବେଳେ ନୂଆ ପୁରୁଣାଙ୍କୁ ମିଶାଇ ୨୦୦ରୁ ୨୫୦ ଜଣ ରୋଗୀଙ୍କୁ ଟିକା ଦିଆଯାଉଛି।

Advertisment

ସୂଚନାନୁସାରେ, ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଦିନକୁ ୪୦ଟି ଟିକା ଦିଆଯାଉଥିଲା। କିନ୍ତୁ ଦିନକୁ ଦିନ ରୋଗୀ ସଂଖ୍ୟା ବୃଦ୍ଧି ପାଇବା ପରେ ଏହି ସଂଖ୍ୟା ୧୮୦କୁ ବୃଦ୍ଧି କରାଯାଇଛି। କିନ୍ତୁ ରୋଗୀସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ସଂଖ୍ୟା ବେଳେବେଳେ ୨୫୦ ପହଞ୍ଚି ଯାଉଛି। ଦୈନିକ ସକାଳ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଟିକା ଦିଆଯାଉଛି। କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବା ରୋଗୀମାନଙ୍କ ମଧ୍ୟରୁ ଅଧିକାଂଶ ବୁଲା କୁକୁର କାମୁଡ଼ାରେ ଆହତ ହୋଇ ଆସୁଛନ୍ତି। ପୋଷା କୁକୁରମାନଙ୍କୁ ଏଆର୍‌ବି ଟିକା ଦିଆଯାଉଥିବାରୁ ପୋଷା କୁକୁର କାମୁଡ଼ିଲେ ଅଧିକାଂଶ ହସ୍ପିଟାଲ ଆସୁନାହାନ୍ତି। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ପୋଷ‌ା କୁକୁର କାମୁଡ଼ିଲେ ମଧ୍ୟ ହସ୍ପିଟାଲ ଆସି ଟିକା ନେବାକୁ ଡାକ୍ତର ପରାମର୍ଶ ଦେଉଛନ୍ତି।

ଅନ୍ୟପକ୍ଷରେ ସହରାଞ୍ଚଳରେ ରହୁଥିବା ବୁଲା କୁକୁରମାନେ ରାତିଅଧରେ ଅଧିକ ହିଂସ୍ର ହୋଇଯାଉଛନ୍ତି। କାମରୁ ରାତି ଅଧରେ ଘରକୁ ଫେରୁଥିବା ବା ଅନ୍ୟ କାମରେ ବାହାରକୁ ଯାଉଥିବା ଲୋକଙ୍କୁ ବୁଲାକୁକୁର ଦଳ ଦଳ ହୋଇ ଗୋଡ଼ାଉଛନ୍ତି। ସେଥିପାଇଁ ବାଇକ୍‌ରୁ ପଡ଼ି ଆହତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ସେହିଭଳି ବସ୍ତି ଅଞ୍ଚଳରେ ବୁଲା କୁକୁରମାନଙ୍କୁ ଖାଇବାକୁ ଦେଇ ପୋଷା ଯାଉଥିବାରୁ ଅଧିକାଂଶ ସମୟରେ ବୁଲା କୁକୁର ବସ୍ତି ଅଞ୍ଚଳର ଲୋକମାନଙ୍କୁ କିମ୍ବା ଛୋଟ ଛୁଆମାନଙ୍କୁ କାମୁଡ଼ି କିମ୍ବା ନଖ ମାରି ଆହତ କରି ଦେଉଛନ୍ତି। ଏ ବାବଦରେ କ୍ୟାପିଟାଲ ହସ୍ପିଟାଲର ଡାକ୍ତର ଇପ୍‌ସିତା ମହାନ୍ତି କହନ୍ତି, କୁକୁର କାମୁଡ଼ାରେ ଦିନକୁ ୧୦୦ ରୁ ଅଧିକ ଆହତ ଆସୁଛନ୍ତି। କୁକୁର ପ୍ରଜଜନ ସମୟରେ ଏହି ସଂଖ୍ୟା ବୃଦ୍ଧି ପାଉଥିବା ‌ବେଳେ ଅନ୍ୟ ସମୟରେ ଅପେକ୍ଷାକୃତ କମ୍‌ ରହୁଛି।