ଭୁବନେଶ୍ବର:  ଭୁଲ୍‌ ଚିକିତ୍ସା କାରଣରୁ ଶିଶୁମୃତ୍ୟୁକୁ ନେଇ ଆଜି ଦିନ ତମାମ୍ କ୍ୟାପିଟାଲ୍‌ ହସ୍ପିଟାଲ ପରିସରରେ ଉତ୍ତେଜନା ଲାଗି ରହିଥିଲା। କ୍ଷତିପୂରଣ ଏବଂ ସଂପୃକ୍ତ ଡାକ୍ତର ଓ ନର୍ସଙ୍କୁ ଚାକିରିରୁ ବହିଷ୍କାର ଦାବିରେ ମୃତଶିଶୁର ପରିବାର ଲୋକେ ହସ୍ପିଟାଲ ପରିସରରେ ଧାରଣା ଦେଇଥିଲେ। ପରେ ସ୍ମାର୍ଟ ସିଟି ଅନ୍‌ଲାଇନ୍‌ ଅଟୋ ଡ୍ରାଇଭର ସଂଘ, କ୍ୟାପିଟାଲ୍‌ ଅଟୋ ଚାଳକ ସଂଘ ସହିତ ଅନ୍ୟ ଅଟୋଚାଳକମାନେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପହଞ୍ଚି ଆନ୍ଦୋଳନରେ ଯୋଗ ଦେଇଥିଲା। ‌ଆନ୍ଦୋଳନକାରୀମାନେ ରାସ୍ତାରୋକ ବିମାନବନ୍ଦରରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ରାସ୍ତାରୋକ କରିଥିଲେ। ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନକାରୀମାନେ ରାସ୍ତାରୁ ହଟିଥିଲେ।  ଅପରପକ୍ଷେ ଆଜି କେତେକ ଆନ୍ଦୋଳନକାରୀ  କ୍ୟାପିଟାଲ ହସ୍‌ପିଟାଲ୍‌ର ସୁରକ୍ଷା କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସୁରକ୍ଷା କର୍ମୀମାନେ ହସ୍‌ପିଟାଲ୍‌ ଛାଡ଼ି ଚାଲିଯାଇଥିଲେ। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହି ଘଟଣାରେ  ଶୋକ ପ୍ରକାଶ କରିବା ସହ  ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ  ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।
Advertisment
ଅଭିଯୋଗ ଅନୁସାରେ ସାଲିଆସାହି ହାତିଆଶୁଣିନଗରର ଆଶିଷ ସାହୁଙ୍କ ୧୩ମାସର ପୁଅ ଆୟୁଷ୍ମାନ ସ‌ାହୁଙ୍କର ଗତକା‌ଲି କାଶ ନ କମିବାରୁ ରାତି ପ୍ରାୟ ସାଢ଼େ ୨ଟା ସମୟ‌ରେ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ଆଣିଥିଲେ। କିନ୍ତୁ ବହୁ ସମୟ ଅପେକ୍ଷା କରିବା ପରେ ଜ‌ଣେ ମାଡାମ୍ ନିଦରୁ ଆସି ମେଡିସିନ୍ ଲେଖିଦେଇ ପଳାଇଲେ। ପରେ କିଛି ସମୟ ପରେ ଜଣେ ନର୍ସ ଆସି ଶିଶୁକୁ ମେଡିସିନ୍ ଦେଇଥିଲେ। ହେଲେ ସକାଳୁ ‌‌ଆୟୁଷ୍ମାନଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।  ଭୁଲ ମେଡିସିନ୍, ଇଞ୍ଜେକ୍‌ସନ୍  ଯୋଗୁ ଶିଶୁଟିର ମୃତ୍ୟୁ ଘଟିଲା ବୋଲି ପରିବାର ଲୋକେ ଅଭିଯୋଗ କରି ଧାରଣା ଦେଇଥିଲେ।
ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା
ସୁରକ୍ଷାକର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଆନ୍ଦୋଳନକାରୀ
ହସ୍ପିଟାଲ ସମ୍ମୁଖରେ ରାସ୍ତାରୋକ
ତଦନ୍ତ ଚାଲିଛି, ଚିକିତ୍ସାରେ ଅବହେଳା ହୋଇନାହିଁ: କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ
ମୁଖ୍ୟମନ୍ତ୍ରୀଙ୍କ ଶୋକ, ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା
ପରେ ଶିଶୁର ବାପା ଜଣେ ଅଟୋ ଡ୍ରାଇଭର ହୋଇଥିବାରୁ ଏହି ଖବର ଶୁଣିବା ପରେ ସାଲିଆସାହି ଲୋକେ ଓ ଅଟୋ ଚାଳକ ସଂଘର ସଦସ୍ୟମାନେ  ଘଟଣାସ୍ଥଳରେ ପହଞ୍ଚି ଆଶିଷଙ୍କ ପରିବାରକୁ ନ୍ୟାୟ ପାଇଁ ଦାବି କରିଥିଲେ। ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଓ ପୁଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ସେମାନେ ଡାକ୍ତର ଓ ନର୍ସଙ୍କୁ ବହିଷ୍କାର ଦାବିରେ ଅଟଳ ରହିଥିଲେ। ଶିଶୁର ମୃତଦେହକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରୁ ଏମ୍ସକୁ ବ୍ୟବଚ୍ଛଦ ପାଇଁ ପଠାଇ ଦିଆଯାଇଥିଲା। କିନ୍ତୁ ଆନ୍ଦୋଳନକାରୀମାନେ ବିଭାଗ ସମ୍ମୁଖରୁ ହଟି ନଥିଲେ ଓ ହୋହଲ୍ଲା କରିଥି‌ଲେ। କିଛି ସମୟ ପରେ ଆନ୍ଦୋଳନକାରୀମାନେ ବିମାନବନ୍ଦର - କ୍ୟାପିଟାଲ୍‌ ହସ୍ପିଟାଲ୍‌ ରାସ୍ତା ଅବରୋଧ କରିଥିଲେ।  ପୁଲିସ  ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ସେମାନେ ଆନ୍ଦୋଳନରୁ ହଟି ଆଲୋଚନା ପାଇଁ ରାଜି ‌ହୋଇଥିଲେ। ମାମଲାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେବା ସହିତ ସହାୟତା ରାଶି ଘୋଷଣା କରାଯିବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀମାନେ ହସ୍ପିଟାଲ୍‌ରୁ ଯାଇଥିଲେ। 
ଏନେଇ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଶିଶୁ ବିଭାଗ ମୁଖ୍ୟ ପ୍ରଫେସର ଲିନା ଦାସ କହିଛନ୍ତି ଯେ ଶିଶୁପୁତ୍ରକୁ ଶ୍ବାସ ରୋଗ ପୂର୍ବରୁ ଥିଲା। ଚିକିତ୍ସା ପାଇଁ ପୂର୍ବରୁ ହସ୍ପିଟାଲ ଆସୁଥିଲା। ଗତକାଲି ଦିନରେ ଆସିଥିଲେ, ଚିକିତ୍ସା କରିଥିଲୁ। ଆଜି ଇକୋ ପାଇଁ କୁହାଯାଇଥିଲା। ରାତିରେ ରୋଗ ବଢ଼ିବା ପରେ ଚିକିତ୍ସା ପାଇଁ ଆସିବା ପରେ ନର୍ସ ସଙ୍ଗେ ସଙ୍ଗେ ଚିକିତ୍ସା କରିଛନ୍ତି। ୩ ଥର ଅକ୍ସିଜେନ୍‌ ଓ ମେଡିସିନ ଦିଆଯାଇଛି। ଆମେ ଚିକିତ୍ସା କରିଛୁ, ମୃତ୍ୟୁ ଆମ ହାତରେ ନାହିଁ, ଆମେ ପୂରା ଚେଷ୍ଟା କରିଛୁ ବୋଲି ପ୍ରଫେସର ଲିନା ଦାସ କହିଛନ୍ତି ।
ଆସନ୍ତାକାଲି କାର୍ଯ୍ୟରେ ଯୋଗ ଦେବେନି ସୁରକ୍ଷାକର୍ମୀ ଆନ୍ଦୋଳନ ସମୟରେ ଜଣେ ଅଟୋ ଡ୍ରାଇଭର ପଡ଼ି ଯିବାରୁ ସେ ସାମାନ୍ୟ ଆହତ ହୋଇଥିଲେ। ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଜରୁରିକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଭିତରେ ରୋଗୀ ଥିବାରୁ ସୁରକ୍ଷାକର୍ମୀ ତାଙ୍କୁ ଭିତରକୁ ଛାଡ଼ି ନଥିଲେ। ଏହାକୁ ନେଇ ବଚସା ହୋଇଥିଲା। ଫଳରେ ଅଟୋ ଡ୍ରାଇଭରଜଣକ ତାଙ୍କୁ ଠେଲି ଦେଇଥିଲେ। ସୁରକ୍ଷାକର୍ମୀ ମଧ୍ୟ ତାଙ୍କୁ ହାତ ଉଠାଇ ଦେଇଥିଲେ। ଏହାପରେ ଆହତ ଅଟୋ ଡ୍ରାଇଭର ଜଣକ ଅନ୍ୟ ସାଥୀମାନଙ୍କୁ ଡାକି ଦେଇଥିଲେ। ଫଳରେ ଜରୁରିକାଳୀନ ବିଭାଗ ସମ୍ମୁଖରେ ଅଟୋ ଡ୍ରାଇଭରମାନେ ସୁରକ୍ଷାକର୍ମୀମାନଙ୍କୁ ଗୋଡ଼ାଇ ଗୋଡ଼ାଇ ବିଭିନ୍ନ ବିଭାଗରେ ପଶି ମାଡ଼ ମାରିଥିଲେ। ହସ୍ପିଟାଲ ପରିସରରେ  ଆତଙ୍କ ଖେଳି ଯାଇଥିଲା। ରୋଗୀମାନେ ମଧ୍ୟ ଡାକ୍ତରଙ୍କୁ ରୋଗ ନ ଦେଖାଇ ପଳାଇ ଯାଇଥିଲେ। ଡାକ୍ତରମାନେ ମଧ୍ୟ ରୁମ୍ ଭିତରେ କବାଟ କିଳି ରହିଥିଲେ। ଏଥିରେ ଏକାଧିକ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଦୁଇଜଣ ସୁରକ୍ଷାକର୍ମୀଙ୍କର ମୁଣ୍ଡ ଫାଟିଛି। ପରିସ୍ଥିତି ଏପରି ହୋଇଥିଲା ଯେ ସୁରକ୍ଷାକର୍ମୀମାନେ ହସ୍ପିଟାଲ ଛାଡ଼ି ପଳାଇ ଯାଇଥିଲେ। ଫଳରେ କିଛି ସମୟ ଯାଏ ବିଭିନ୍ନ ବିଭାଗରେ ଆତଙ୍କ ଖେଳି ଯାଇଥିଲା। 
ଏନେଇ ଆନ୍ଦୋଳନକାରୀମାନେ କହିଛନ୍ତି ‌ଯେ ସୁରକ୍ଷାକର୍ମୀଙ୍କ ମାଡ଼ ମାରି ରୋଗୀଙ୍କୁ ଖରାପ ବ୍ୟବହାର କରିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା।  ଏନେଇ ସୁରକ୍ଷାକର୍ମୀମାନେ କହିଛନ୍ତି ‌ଯେ ଏକ ପରିବାରର ଅସୁବିଧାରେ ଅଟୋଚାଳକ ସଂଘର ସଦସ୍ୟମାନେ ଆସି କ୍ୟାପିଟାଲ ହସ୍ପିଟା‌ଲ ପରିସରରେ ଗଣ୍ଡଗୋଳ କରିଥିଲେ। ଶିଶୁକୁ ନ୍ୟାୟ ମିଳୁ। କିନ୍ତୁ ଏକ ସଂଘ ଯେଉଁ ଭଳି ଭାବେ ଆତଙ୍କ ଖେଳାଇଲା ତାହା ଠିକ୍‌ ନୁ‌ହେଁ। ତେଣୁ ଏନେଇ ଆମେ ଥାନା‌ରେ ଏତଲା ଦେବୁ। ଆମକୁ ନ୍ୟାୟ ନ ମିଳିବା ଯାଏଁ କାର୍ଯ୍ୟରେ ଯୋଗ ଦେବୁନାହିଁ ବୋଲି ସୁରକ୍ଷା କର୍ମୀମାନେ କହିଛନ୍ତି। 
ଅସ୍ତ୍ରୋପଚାର ଅଧାରୁ ଡାକ୍ତର ଛୁ
ସୋର: ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ସୋରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ରୋଗୀଙ୍କ ଅସ୍ତ୍ରୋପଚାର ଅଧାରେ ଛାଡ଼ି ଡାକ୍ତର ପଳାଇଯିବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋର ଥାନା ଅନ୍ତର୍ଗତ ଅଙ୍କବରହମପୁର ଗ୍ରାମର ଜୟନ୍ତୀ ଜେନାଙ୍କ ଅଭିଯୋଗ ମୁତାବକ ତାଙ୍କ ସ୍ୱାମୀ ଭଗବାନ ଜେନା(୪୫)ଙ୍କ ପେଟରେ ଷ୍ଟୋନ୍‌ ହୋଇଥିବାରୁ ସୋରର ମିଶ୍ର ନର୍ସିଂହୋମ୍‌କୁ ଆଣିଥିଲେ। ଡାକ୍ତରଙ୍କ କଥା ଅନୁସାରେ ଆଜି ସକାଳେ ଏହି ନର୍ସିଂହୋମ୍‌ରେ ଭଗବାନଙ୍କ ଅସ୍ତ୍ରୋପଚାର ହେବ ବୋଲି ସ୍ଥିର ହୋଇଥିଲା। ତେବେ, ଅପରେସନ ଅଧାରୁ ଡାକ୍ତର ଚାଲିଯାଇଥିଲେ। ଭଗବାନଙ୍କ ଅବସ୍ଥା ଜଟିଳ ଥିବାରୁ ତାଙ୍କୁ କଟକ କିମ୍ବା ଭୁବନେଶ୍ୱର ନେବାକୁ ପରାମର୍ଶ ଦେଇଥିଲେ। ଏହି ଘଟଣାକୁ କେନ୍ଦ୍ରକରି ନର୍ସିଂହୋମ୍‌ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ନର୍ସିଂହୋମ୍‌ ଫାଟକ ବନ୍ଦ କରିଦେଇଥିଲେ। ଭଗବାନଙ୍କ ପତ୍ନୀ ଜୟନ୍ତୀ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ଭଗବାନ ସୁସ୍ଥ ହେବାପରେ ପୁନଶ୍ଚ ଅପରେସନ୍‌ ହେବାନେଇ ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏହି ଘଟଣାକୁ ନେଇ ସେଠାରେ ୯ ଘଣ୍ଟା ଧରି ଉତ୍ତେଜନା ଲାଗି ରହିଥିଲା।