ଠକଙ୍କ ମାୟା ଜାଲରେ ଫସି ରହିଛି ରାଜଧାନୀ। ଧୂର୍ତ୍ତ ତ ଧୂର୍ତ୍ତ, ଅଧିକ ଅର୍ଥ ଉପାର୍ଜନ କରିବା ମୋହରେ ପଡ଼ି ସମ୍ମାନଜନକ ପଦବିରେ ଥିବା ବ୍ୟକ୍ତିବିଶେଷ ବି ଠକାମିର ଆଶ୍ରୟ ନେଉଥିବା ଦେଖାଯାଉଛି। ସାଇବର ଠକମାନେ ତ ରୀତିମତ ବିଭିନ୍ନ ବାଟରେ ଲୋକଙ୍କ ଆକାଉଣ୍ଟକୁ ଖାଲି କରୁଥିବା ଏକ ସାଧାରଣ ଘଟଣା ହୋଇଗଲାଣି। ସେମାନଙ୍କ ବାଦ୍ କିଏ ଜମି, ଫ୍ଲାଟ୍ ଯୋଗାଇବା ନାଁରେ, କିଏ ଚାକିରି ଦେବା ବାହାନାରେ, କିଏ ବ୍ୟବସାୟ କରାଇବା ଆଳରେ ଲୋକଙ୍କୁ ଟାର୍ଗେଟ୍ କରି ଫସାଉଛନ୍ତି। କିଏ ଲୋଭରେ ପଡ଼ି ଠକାମିର ଶିକାର ହେଉଛି ତ କିଏ ରୋଜଗାର ଆଶାରେ ଭରସା କରି ଠକଙ୍କ ଶିକାର ହେଉଛି। ପୁଲିସ କିଛି ମାମଲାରେ ସଫଳ ହେଉଥିଲେ ବି ବହୁ ମାମଲା ଅସମାହିତ ହୋଇ ରହିଯାଉଛି।
ଭୁବନେଶ୍ବର: ଜଣେ ଡାକ୍ତରାଣୀଙ୍କ ଆକାଉଣ୍ଟରୁ ସାଇବର ଠକ ୪୯ ହଜାର ଟଙ୍କା ଉଡ଼ାଇ ନେଇଛି। ବିନା ଫୋନ୍ କଲ୍ ଓ ବିନା ଓଟିପିରେ ସାଇବର ଠକ ଡାକ୍ତରାଣୀଙ୍କ ଆକାଉଣ୍ଟରୁ ଟଙ୍କା ଲୁଟି ନେଇଥିଲେ ବି ସେ ଟେର୍ ପାଇନଥିଲେ। ପରେ ଡେବିଟ୍ ମେସେଜ୍ ଆସିବାରୁ ତାଙ୍କର ସନ୍ଦେହ ହୋଇଥିଲା ଓ ସେ ବ୍ୟାଙ୍କ ସହ ଯୋଗାଯୋଗ କରିବା ପରେ ଲୁଟ୍ର ଶିକାର ହୋଇଥିବା ଜାଣିଥିଲେ। ଏନେଇ ଡାକ୍ତରାଣୀ ଡା. କନିନିକା ପଣ୍ଡା ନୂଆପଲ୍ଲୀ ଥାନା ଓ ଭୁବନେଶ୍ବର ସାଇବର ସେଲ୍ରେ ଅଭିଯୋଗ କରିଛନ୍ତି।
ନୂଆପଲ୍ଲୀ ଏନ୍-୩ ଅଞ୍ଚଳରେ ରହୁଥିବା ଡା. ପଣ୍ଡା ଚନ୍ଦ୍ରଶେଖରପୁରସ୍ଥିତ ଏଚ୍ଡିଏଫ୍ସି ବ୍ୟାଙ୍କ୍ର କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି। ଗତ କିଛିଦିନ ତଳେ ସେ ଅନ୍ଲାଇନ୍ରେ କିଛି ଜିନିଷ କିଣାକିଣି କରିଥିଲେ। ଏହାର କିଛିଦିନ ପରେ ତାଙ୍କ ମୋବାଇଲକୁ ପ୍ରାୟ ୬୦ହଜାରରୁ ଊର୍ଦ୍ଧ୍ବ ଟଙ୍କା ବାକି ପଡ଼ିଛି ବୋଲି ଏକ ମେସେଜ୍ ଆସିଥିଲା। ଏତେ ଟଙ୍କାର ଜିନିଷ କିଣିନଥିବାରୁ ବାକି ଟଙ୍କାର ପରିମାଣ କେମିତି ଏତେ ବଢ଼ିଲା ବୋଲି ବୁଝିବା ପାଇଁ ସେ ବ୍ୟାଙ୍କ୍କୁ ଯାଇ ଷ୍ଟେଟମେଣ୍ଟ୍ ବାହାର କରିଥିଲେ। ୮ତାରିଖ ୨ଟି ପର୍ଯ୍ୟାୟରେ ୧୪ହଜାର ଟଙ୍କା, ୯ତାରିଖ ୨ଟି ପର୍ଯ୍ୟାୟରେ ୨୧ହଜାର ଓ ୧୦ତାରିଖରେ ୧୪ହଜାର ଟଙ୍କା କଟିଯାଇଥିବା ଜଣାପଡ଼ିଥିଲା।
ପେଟିଏମ୍ ଜରିଆରେ ସ୍ଥାନାନ୍ତର ହୋଇଥିବା ସମସ୍ତ ଟଙ୍କା ନୋଏଡ଼ାସ୍ଥିତ ଏକ ବ୍ୟାଙ୍କ୍ ଆକାଉଣ୍ଟ୍କୁ ଯାଇଥିବା ଜଣାପଡ଼ିଛି। ଡା. ପଣ୍ଡା ତାଙ୍କ କ୍ରେଡିଟ୍ କାର୍ଡରେ ଏତେ ଟଙ୍କାର ଜିନିଷ କିଣିନଥିବା ଓ ପେଟିଏମ୍ ଜରିଆରେ କାହା ସହିତ ଅର୍ଥ କାରବାର କରିନଥିବା କହିଛନ୍ତି। ତେଣୁ ସାଇବର ଠକର ଏଭଳି କାରନାମାକୁ ନେଇ ପୁଲିସର ମୁଣ୍ଡ ବି ଘୁରାଇ ଦେଇଥିବା ଜଣାପଡ଼ିଛି।
କୋକାକୋଲା କମ୍ପାନି ଫ୍ରାଞ୍ଚାଇଜ୍ ନାଁରେ ୧୭ଲକ୍ଷ ଚଳୁ
ବର୍ଷକ ପରେ ଧୂର୍ତ୍ତ ଗିରଫ
ଭୁବନେଶ୍ବର: କୋକାକୋଲା କମ୍ପାନିର ଫ୍ରାଞ୍ଚାଇଜ୍ କରାଇ ଦେବାକୁ କହି ୬ଜଣଙ୍କୁ ଚୂନ ଲଗାଇଥିବା ଜଣେ ଧୂର୍ତ୍ତକୁ ଆଜି ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲା ଢେଙ୍କାନାଳ ସଦର ଥାନା ଅଞ୍ଚଳର ବିଶ୍ବନାଥ ନାୟକ(୪୧)। ୬ ଜଣଙ୍କଠାରୁ ୧୭ ଲକ୍ଷ ଟଙ୍କା ଠକି ସେ ପୁଲିସ ଆଖିରେ ଧୂଳି ଦେଇ ବର୍ଷେ ହେଲା ଲୁଚକାଳି ଖେଳୁଥିଲା।
ପୁଲିସ ସୂଚନା ଅନୁଯାୟୀ ବିଶ୍ବନାଥ ନୂଆପଲ୍ଲୀ ଏନ୍-୩ ଅଞ୍ଚଳରେ ରୁହେ। ଜାଲ୍ ଭୋଟର୍ ପରିଚୟ ପତ୍ର ଓ ପ୍ୟାନ୍ କାଡ୍ କରାଇ ନିଜକୁ ଆକାଶ ଦାସ ବୋଲି ପରିଚୟ ଦେଉଥିଲା। ନିଜକୁ କୋକାକୋଲା କମ୍ପାନିର ଏରିଆ ମ୍ୟାନେଜର ବୋଲି କହୁଥିଲା। ସ୍ଥାନୀୟ ଅଞ୍ଚଳର ସୌମ୍ୟ ରଂଜନ ଖଣ୍ଡେଇଙ୍କୁ କୋକାକୋଲା ଫ୍ରାଞ୍ଚାଇଜ୍ କରାଇଦେବ ବୋଲି ସେ କହିଥିଲା। କୋକାକୋଲା କମ୍ପାନିର ପରିଚୟ ପତ୍ର ସହିତ ଅନ୍ୟାନ୍ୟ ନକଲି କାଗଜପତ୍ର ଦେଖାଇ ସୌମ୍ୟଙ୍କୁ ଫସାଇଥିଲା। ଧୂର୍ତ୍ତ ବିଶ୍ବ ଓରଫ୍ ନିକଲି ଆକାଶ କଥାରେ ଭାସିଯାଇ ସୌମ୍ୟ ଲକ୍ଷେ ୭୦ହଜାର ଟଙ୍କା ଗଣିଦେଇଥିଲେ।
ଜୟଦେବବିହାର ଅଞ୍ଚଳରେ ଫ୍ରାଞ୍ଚାଇଜ୍ ଦେବ ଠକ ବିଶ୍ବ ସୌମ୍ୟଙ୍କୁ ପ୍ରତିଶ୍ରୁତି ଦେଇଥିଲା। ସେହିଭଳି ସ୍ଥାନୀୟ ଅଞ୍ଚଳର ସୂର୍ଯ୍ୟକାନ୍ତ ପଣ୍ଡା, ଆଲୋକ କୁମାର ନାୟକ, ମନୋରଂଜନ ମାଝୀ, ଜ୍ଞାନ ରଂଜନ ଖଣ୍ଡେଇ ଓ ପ୍ରୀତମ କୁମାର ପଣ୍ଡାଙ୍କୁ ମଧ୍ୟ ବିଶ୍ବ ଜାଲରେ ଫସାଇଥିଲା। ସମସ୍ତଙ୍କୁ କୋକାକୋଲା କମ୍ପାନିର ଫ୍ରାଞ୍ଚାଇଜ୍ ଦେବାକୁ କହି ୧୭ଲକ୍ଷରୁ ଅଧିକ ଟଙ୍କା ନେଇଯାଇଥିଲା। ଟଙ୍କା ପାଇବା ପରେ ଧୂର୍ତ୍ତ ବିଶ୍ବ ସମସ୍ତଙ୍କୁ ଭୂଆଁ ବୁଲାଇବାରେ ଲାଗିଥିଲା। କିଛି ଦିନ ପରେ ସେମାନେ ଠକାମିର ଶିକାର ହୋଇଥିବା ଜାଣିବା ପରେ ଏକାଠି ହୋଇ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ତଦନ୍ତ କରିବା ବେଳକୁ ବିଶ୍ବ ନୂଆପଲ୍ଲୀ ଛାଡ଼ି ପାର୍ ହୋଇଯାଇଥିଲା। ବର୍ଷେ ହେଲା ପୁଲିସ ତାକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିଫଳ ହୋଇଥିଲା। ତେବେ ଗତକାଲି ବିଶ୍ବ ଓରଫ ନକଲି ଆକାଶ ନୂଆପଲ୍ଲୀସ୍ଥିତ ଘରକୁ ଆସିଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା।