ରାଜଧାନୀ ନବୀନମୟ: ବେହାଲ୍‌ ଟ୍ରାଫିକ୍‌, ଲୋକେ ନୟାନ୍ତ

ଫସିଲା ଆମ୍ବୁଲାନ୍ସ

ଭୁବନେଶ୍ବର: ନୂଆଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିମାନବନ୍ଦରରେ ଆଜି ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ହଜାର ହଜାର କର୍ମୀ ନବୀନଙ୍କୁ ସ୍ବାଗତ ଜଣାଇଛନ୍ତି। ଏଥିଲାଗି ବିମାନବନ୍ଦରରେ ପ୍ରସ୍ତୁତ ମଞ୍ଚ ଓ କର୍ମୀଙ୍କ ମୁହଁରୁ କେବଳ ନବୀନ… ନବୀନ.. ଶୁଣିବାକୁ ମିଳିଥିଲା। ମଞ୍ଚରେ ହେ ନବୀନ.. ଆମେ ତୁମ ଫ୍ୟାନ୍, ନବୀନ.. ନବୀନ.. ଗୀତ କର୍ମୀମାନଙ୍କ ମନରେ ରୋମାଞ୍ଚ ଭରିଥିଲା। ମୁଖ୍ୟମନ୍ତ୍ରୀ ଶୋଭାଯାତ୍ରାରେ ଆସିବା ପରେ କର୍ମୀମାନେ ଜୟ ନବୀନ ସ୍ଲୋଗାନ୍ ଦେଇଥିଲେ। ବିଜୁ ମହିଳା ଜନତା ଦଳ ପକ୍ଷରୁ ହୁଳହୁଳି ଦିଆଯାଇଥିଲା।

ଗରମରେ ସିଝିଲେ, ବର୍ଷାରେ ଭିଜିଲେ
ଆଜି ସକାଳୁ ପାଗ ସମ୍ପୂର୍ଣ୍ଣ ଶୁଖିଲା ଥିଲା। ଖରା ବି ହେଉଥିଲା। ଦିନ ପ୍ରାୟ ୯ଟା ବେଳକୁ ଗରମ, ଗୁଳୁଗୁଳି ଅନୁଭୂତ ହେଉଥିଲା। ସକାଳ ୮ଟା ବେଳୁ ହଜାର ହଜାର ବିଜେଡି ନେତା ଓ କର୍ମୀ ବିମାନବନ୍ଦର ନିକଟରେ ପହଞ୍ଚିବା ଆରମ୍ଭ କରିଥିଲେ। ଗୁଳୁଗୁଳି ଯୋଗୁ ସମସ୍ତେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ଦିନ ପ୍ରାୟ ୧୦ଟା ୩୦ ବେଳକୁ ପାଗ ବଦଳିଗଲା। ମେଘ ଘୋଟି ଆସିଲା। ୧୧ଟା ବେଳକୁ ଆରମ୍ଭ ହୋଇଗଲା ବର୍ଷା। କର୍ମୀମାନେ ‌ଯିଏ ଯୁଆଡ଼େ ପାରିଲେ ଧାଇଁଲେ। ଫଳରେ କିଛି ସମୟ ପାଇଁ ଜନଗହଳି ଭାଙ୍ଗିଯାଇଥିଲା। ତାହା ସତ୍ତ୍ବେ ବହୁ କର୍ମୀ ପାଖରେ ଥିବା ପ୍ଲାକାର୍ଡ ଓ ଫ୍ଲେକ୍ସକୁ ମୁଣ୍ଡ ଉପରେ ରଖି ଠିଆ ହୋଇ ରହିଲେ। ଦଳର କିଛି ବରିଷ୍ଠ ଓ ଯୁବ ନେତା ନିଜେ ଓଦା ହୋଇ କର୍ମୀଙ୍କୁ ଉତ୍ସାହିତ କରୁଥିଲେ। ଅଧଘଣ୍ଟା ପରେ ବର୍ଷା ଥମି ଯାଇଥିଲା। ପୁଣି କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିଯାଇଥିଲା।

ବରବାଦ୍ କରିଦେଲେ ବିଜୁ ପଟ୍ଟନାୟକ ପ୍ରତିମୂର୍ତି ପାର୍କ
ବିମାନବନ୍ଦରରୁ ବାହାରିବା ପରେ ରାସ୍ତାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ରହିଛି। ଏହିଠାରେ ହିଁ ନବୀନ କର୍ମୀମାନଙ୍କୁ ସମ୍ବର୍ଧିତ କରିବାର କାର୍ଯ୍ୟକ୍ରମ ରହିଥିଲା। ତେଣୁ ପ୍ରତିମୂର୍ତି ଚାରିପଟେ ଲୁହାର ବ୍ୟାରିକେଡ୍‌ କରାଯାଇଥିଲା। ମାତ୍ର ଏତେ ସଂଖ୍ୟକ ଲୋକ ଏକାଠି ହେବା ଫଳରେ ସେମାନଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଯାଇଥିଲା। ବ୍ୟାରିକେଡ୍‌କୁ ଡେଇଁ ଶତାଧିକ କର୍ମୀ ପ୍ରତିମୂର୍ତି ନିକଟକୁ ଚଢ଼ି ଯାଇଥିଲେ। ଅନେକ ସେଠାରେ ବିଜେଡି ପତାକା ଉଡ଼ାଇବା ସହିତ ନାଚି ଥିଲେ। ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ସମୀର ଦାଶ ପ୍ରମୁଖ ସେମାନଙ୍କୁ ବାରଣ କରିଥିଲେ ବି କେହି ଶୁଣି ନ ଥିଲେ। ଫଳରେ ସ୍ବାଗତ କାର୍ଯ୍ୟକ୍ରମ ଶେଷ ହେବା ବେଳକୁ କର୍ମୀଙ୍କ ଦଳାଚକଟାରେ ପାର୍କଟି ସଂପୂର୍ଣ୍ଣ ଉଜୁଡ଼ି ଯାଇଥିଲା।

ମନ କିଣିଲା ପିପିଲିର ଘୋଡ଼ା ନାଚ, ନାଗା ନାଚ ଓ ଚାନ୍ଦୁଆ ଛତା
ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଏକାଠି ହୋଇଥିଲେ ହଜାର ହଜାର ଜନସାଧାରଣ। ପିପିଲିରୁ ଆସିଥିବା କଳଘୋଡ଼ା ଓ ନାଗା ନୃତ୍ୟ ବେଶ୍‌ ଆକର୍ଷଣୀୟ ହୋଇଥିଲା। କଳାକାରଙ୍କ ଉଦ୍ଦେଶ୍ୟରେ ନବୀନ ହାତ ହଲାଇ ଉତ୍ସାହିତ କରିଥିଲେ। ପିପିଲି ଅଞ୍ଚଳରୁ ରୁପା ଛାଉଣୀ ନାଗା ନାଚ ସହ କଳଘୋଡ଼ା, ଘୋଡ଼ା ନାଚ, ଘଣ୍ଟ ମାର୍ଦ୍ଦଳ, ରଙ୍ଗ ବାଜା, ଯୋଡ଼ି ଶଙ୍ଖ ଆସିଥିଲା। ସେହିପରି ଲୋକଙ୍କ ଭିଡ଼ ଭିତରେ ଚାନ୍ଦୁଆରେ ନିର୍ମିତ ଛତାଗୁଡିକ ପିପିଲିର ପରିଚୟ ବହନ କରୁଥିଲା। ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମର ସବା ଆଗରେ ପିପିଲିରୁ ଆସିଥିବା କଳାକାରମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ। ଯାହା ଉପସ୍ଥିତ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ଅଳିଆ ସଫା କଲେ ନେତା
ସକାଳେ ଭୁବନେଶ୍ବରର ବିମାନ ବନ୍ଦରରୁ ବିଜେଡିର ବିଶାଳ ଶୋଭାଯାତ୍ରା ହୋଇଥିଲା। ସନ୍ଧ୍ୟାରେ ବିମାନ ବନ୍ଦର ନିକଟ ବିଜୁ ପଟ୍ଟନାୟକ ଛକକୁ ଝାଡ଼ୁ ମାରି ଅଳିଆ ସଫା କରିଛନ୍ତି ବିଜେଡି ନେତା। ଦଳର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରଣବ ବଳବନ୍ତରାୟ, ବିଜୁ ଯୁବ ଜନତା ଦଳର ସଭାପତି ବ୍ୟମୋକେଶ ରାୟ ଓ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ନିଜ ନିଜ ଟିମ୍ ସହ ଯାଇ ଅଳିଆ ସଫା କରିଛନ୍ତି। ବିଜେଡିର ବିଧାୟକମାନେ ହାତରେ ଝାଡୁ ଧରି ରାସ୍ତା ସଫା କରିବା ସହିତ ପଡ଼ିଥିବା ପାଣି ବୋତଲ, ପାଉଚ୍, ଜରି ଓ ପଲିଥିନ ଆଦି ସଫା କରି ପରିବେଶ ସୁରକ୍ଷା ଓ ସ୍ବଚ୍ଛତାର ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ଅଳିଆ ସଫା ପରେ ଜୟ ନବୀନ, ଜୟ ବିଜେଡି ଓ ଜୟ ଜଗନ୍ନାଥ ନାରା ଦେଇଥିଲେ ପ୍ରଣବ।

ପୁଷ୍ପାଞ୍ଜଳି ପାଇଁ ପ୍ରସ୍ତୁତ ରହିଥିଲା ଫୁଲ, ହେଲେ ବସ୍‌ରେ ଆସିଲେ ନବୀନ
ବିମାନବନ୍ଦର ବିଜୁ ପଟ୍ଟନାୟକ ପ୍ରତିମୂର୍ତି ସମ୍ମୁଖରେ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କୁ ପୁଷ୍ପାଞ୍ଜଳି ଦେବାର କାର୍ଯ୍ୟକ୍ରମ ରହିଥିଲା। ଏଥିପାଇଁ ପ୍ରତିମୂର୍ତି ସମ୍ମୁଖରେ ଏକ ପ୍ଲାଷ୍ଟିକ୍ ଟେବୁଲରେ ଫୁଲ ରଖାଯାଇଥିଲା। ସୁରକ୍ଷାକର୍ମୀଙ୍କ ବାରମ୍ବାର ବାରଣ ସତ୍ତ୍ବେ ନବୀନଙ୍କୁ ପାଖରୁ ଦେଖିବା ଲାଗି ବହୁ ସଂଖ୍ୟାରେ କର୍ମୀ ସେଠାରେ ଉପସ୍ଥିତ ଥିଲେ। ହେଲେ ନବୀନ ବିମାନବନ୍ଦରରୁ ସିଧାସଳଖ ବସ୍‌ରେ ବସି ପ୍ରତିମୂର୍ତି ନିକଟରେ ପହଞ୍ଚିଥିଲେ। ତଳକୁ ଓହ୍ଲାଇ ନ ଥିଲେ। ସେଠାରେ କର୍ମୀମାନଙ୍କୁ ସମ୍ ବୋଧିତ କରିବା ପରେ ନବୀନ ନିବାସକୁ ଫେରି ଯାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ପାଇଁ ପିଠା ଖଡ଼ିକା, ବଦଳରେ ଲାପଟପ୍ ଧରୁଛୁ
ନବୀନଙ୍କୁ ସମ୍ବର୍ଦ୍ଧନା ପାଇଁ ବହୁ ସଂଖ୍ୟାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ। ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପାଇଁ ମିସନ ଶକ୍ତି। ମୁଖ୍ୟମନ୍ତ୍ରୀ ଆସିବେ ଆମେ ତାଙ୍କୁ ସ୍ବାଗତ କରିବାକୁ ଆସିବୁ ନାହିଁ କିପରି। ପିଠା ଖଡ଼ିକା ବଦଳରେ ଆମେ ଏବେ ଲାପଟପ୍‌ ଧରୁଛୁ। ପୁରୁଷମାନଙ୍କ ବଦଳରେ ମହିଳାମାନଙ୍କୁ ଅଗ୍ରାଧିକାର ଦିଆଯାଉଛି। ମହିଳାମାନଙ୍କୁ ନବୀନବାବୁ ଆଗରେ ରଖିଛନ୍ତି ବୋଲି ସେମାନେ କହିଛନ୍ତି।

୪ଥର ବସ୍ ଉପରକୁ ଆସି ଲୋକଙ୍କୁ ଅଭିବାଦନ ଜଣାଇଲେ ନବୀନ
୨୦୧୯ ମସିହା ନିର୍ବାଚନରେ ଏକ ସ୍ବତନ୍ତ୍ର ବସ୍‌ରେ ବସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ। ଏହାର ତିନି ବର୍ଷ ପରେ ଆଜି ସେହି ବସ୍‌କୁ ପୁଣି ଦେଖିବାକୁ ମିଳିଥିଲା। ବିମାନବନ୍ଦରରୁ ସେହି ବସ୍‌ରେ ବସି ନବୀନ ନିଜ ଦଳର କର୍ମୀମାନଙ୍କ ନିକଟକୁ ଆସିଥିଲେ। ବିମାନବନ୍ଦରରୁ ଆରମ୍ଭ କରି ନବୀନ ନିବାସ ପର୍ଯ୍ୟନ୍ତ ପ୍ରବଳ ଜନ ସମାଗମ ହୋଇଥିଲା। ଏ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ମଝିରେ ମଝିରେ ବସ୍ ଉପରକୁ ଉଠି କର୍ମୀମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଉଥିଲେ। ଏଭଳି ୪ଥର ବସ୍ ଉପରକୁ ଆସିଥିଲେ ନବୀନ। କର୍ମୀମାନଙ୍କ ମଧ୍ୟରେ ନବୀନଙ୍କୁ ଦେଖିବା ଲାଗି ବେଶ୍ ଉତ୍ସାହ ଥିଲା।

ବେହାଲ୍‌ ଟ୍ରାଫିକ୍‌, ଲୋକେ ନୟାନ୍ତ, ଫସିଲା ଆମ୍ବୁଲାନ୍ସ

ଭୁବନେଶ୍ବର: ରାଜଧାନୀ‌ର ଚାରିପଟୁ ଯେଉଁ ଆଡ଼େ ଦେଖିଲେ ସୁବୁଠି ଖାଲି ମାଳମାଳ ଗାଡ଼ି। ବସ୍‌, କାର, ବୋଲେରୋ ଭଳି ଗାଡ଼ି ପଛକୁ ଗାଡ଼ିର ଲମ୍ବା ଲାଇନ୍‌। ଯିଏ ଯୁଆଡ଼େ ପାରିଲେ ମନଇଚ୍ଛା ଗାଡ଼ି ପୂରାଇଦେଲେ। ପୁଲିସ୍‌ର କିଛି ଆକଟ ରହୁ ନଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପାଇଁ ବିଶାଳ ଆୟୋଜନ କରାଯାଇଥିବା ବେଳେ ଆଜି ରାଜଧାନୀରେ ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଥିଲା। ରାଜଧାନୀରେ ଟ୍ରାଫିକ୍‌ ବ୍ୟବସ୍ଥା ଏକ ପ୍ରକାର ଭୁଶୁଡ଼ି ପଡ଼ିଥିଲା। ଫଳରେ ରାଜଧାନୀବାସୀଙ୍କୁ ତ ନାକେଦମ ହେବାକୁ ପଡ଼ିଥିଲା। ଏମିତିକି ଏଥିରୁ ଜରୁରୀକାଳୀନ ସେବା ମଧ୍ୟ ବାଦ୍‌ ପଡ଼ି ନଥିଲା। କାରଣ ଲୋକଙ୍କୁ ଗାଡ଼ି ପାର୍କିଂ ପାଇଁ କ୍ୟାପିଟାଲ ହସ୍ପିଟାଲ୍‌ ପଛପଟ ପଡ଼ିଆ, ପଳାସପଲ୍ଲୀ ସିଡିଏ ଗ୍ରାଉଣ୍ଡ, ଆଇଜିପାର୍କ ପଛ, ରାଜମହଲରୁ ଶିଶୁ ଭବନର ଉଭୟ ପାର୍ଶ୍ବ ଭଳି କିଛି ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ କରାଯାଇଥିଲା। ହେଲେ ଯାହା ଆକଳନ କରାଯାଇଥିଲା ତାଠାରୁ ଢେର ଅଧିକ ଲୋକ ସାଙ୍ଗକୁ ଗାଡ଼ି ସଂଖ୍ୟା ବି ବଢ଼ିଯାଇଥିଲା। ଯେଉଁମାନେ ପ୍ରଥମେ ଆସିଥିଲେ ‌ସେମାନେ ନିର୍ଦ୍ଧାରିତ ସ୍ଥାନରେ ଗାଡ଼ି ପାର୍କିଂ କରିଥିଲେ। ହେଲେ ପରେ ‌ଆଉ ପାର୍କିଂ ପାଇଁ ଜାଗା ମିଳିନଥିଲା। ଯିଏ ଯୁଆଡ଼େ ପାରିଲେ ଗାଡ଼ି ଛିଡ଼ା କରିଦେଲେ। ହଜାର ହଜାର ଲୋକ ଶୋଭାଯାତ୍ରାରେ ଚାଲିଲେ। ମାଳମାଳ ଗାଡ଼ି ସାଙ୍ଗକୁ ଲୋକଙ୍କ ପଦଯାତ୍ରା ଚାଲିଲା। ଫଳରେ ଟ୍ରାଫିକ୍‌ ନିୟନ୍ତ୍ରଣ କରିବା ପୁଲିସ ପାଇଁ କାଠିକର ପାଠ ହୋଇପଡ଼ିଥିଲା। ସବୁଠି ଟ୍ରାଫିକ୍ ଜାମ୍ ହୋଇଥିଲା। ବହୁ ସମୟ ଧରି ଲୋକେ ଟ୍ରାଫିକ ଜାମ୍‌ରେ ଫସି ରହିଥିଲେ। ଗାଡ଼ି ଜାମ୍‌ ଯୋଗୁଁ କିଏ ଷ୍ଟେସନକୁ ଚାଲି ଚାଲି ଯାଉଥିଲା ତ କିଏ ଦୌଡ଼ୁଥିଲା। ପୁଣି ବର୍ଷା ସମୟରେ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ସବୁଠୁ ଉଦ୍‌ବେଗର କଥା ଯେ କେତେକ ସ୍ଥାନରେ ଆମ୍ବୁଲାନ୍ସ ବି ଜାମ୍‌ରେ ଫସିରହିଥିଲା। ଜଣେ ରୋଗୀଙ୍କ ଭେଣ୍ଟିଲେଟର ପାଇଁ ଆମ୍ବୁଲାନ୍ସକୁ ଫୋନ୍‌ ଆସିଥିଲା। ରୋଗୀକୁ ଆଣିବାକୁ ଯାଇ ରାଜଭବନ-ଏଜି ଛକ ମଧ୍ୟରେ ଜାମରେ ଫସିଲା ଆମ୍ବୁଲାନ୍ସ। ସେହିପରି କ୍ୟାପିଟାଲ୍‌ ହସ୍ପିଟାଲ୍‌ ଛକରେ ଏକ ଆମ୍ବୁଲାନ୍ସ ବହୁ ସମୟ ଧରି ଜାମ୍‌ରେ ରହିଥିବା ଦେଖିବାକୁ ମଳିଥିଲା। ଉପସ୍ଥିତ ପୁଲିସ କର୍ମଚାରୀ କସରତ କରି ଜାମ୍‌ ହଟାଇବା ପରେ ଆମ୍ବୁଲାନ୍ସ ଆଗକୁ ବଢ଼ିଥିଲା। ଏହାକୁ‌ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର