ଦୁବାଇରୁ ଆସିବ ୨୧ ହଜାର କୋଟି ପୁଞ୍ଜି

ନିବେଶକ ସମ୍ମିଳନୀକୁ ବିପୁଳ ସମର୍ଥନ, ୧୫୦ରୁ ଅଧିକ କଂପାନି ଭାଗନେଲେ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପ୍ରଥମଥର ଲାଗି ଦୁବାଇରେ ଆୟୋଜନ କରାଯାଇଥିବା ନିବେଶକ ସମ୍ମିଳନୀରେ ରାଜ୍ୟ ସରକାର ୨୧ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିବାରେ ସଫଳ ହୋଇଛନ୍ତି। ଏହି ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୧୯,୦୦୦ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରାଜ୍ୟର ଭିତ୍ତିଭୂମି, ଆତିଥେୟତା, ଲଜିଷ୍ଟିକ୍ସ, ରସାୟନ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ପୁଞ୍ଜିନିବେଶ କରିବାକୁ ନିବେଶକମାନେ ପ୍ରସ୍ତାବ ଦେଇଛନ୍ତି। ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ସମସ୍ତ କଂପାନି ଓ ସେମାନଙ୍କ ପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶା ଆମନ୍ତ୍ରଣ କରିଛନ୍ତି ଏବଂ ସବୁପ୍ରକାର ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଫିକି ଓ ୟୁଏଇରେ ଥିବା ଭାରତର ଦୂତାବାସର ଯୁଗ୍ମ ସହ‌ଯୋଗିତାରେ ରାଜ୍ୟ ସରକାର ଆୟୋଜନ କରିଥିବା ଏହି ନିବେଶକ ସମ୍ମିଳନୀରେ ୟୁଏଇ ଓ ମଧ୍ୟ ପ୍ରାଚ୍ୟ ରା‌ଷ୍ଟ୍ରଗୁଡ଼ିକର ୧୫୦ରୁ ଅଧିକ କଂପାନି ଅଂଶଗ୍ରହଣ କରିଥିଲେ। ଲୁଲୁ ଗ୍ରୁପ୍, ଏନ୍‌ବିଟିସି ଗ୍ରୁପ୍, ସରାଫ୍‌ ଗ୍ରୁପ୍, ଟ୍ବେଣ୍ଟି ଫୋର୍ଟିନ୍ ହୋଲ୍‌ଡିଂ, ତାବଲେଜ୍‌ ଗ୍ରୁପ୍, ଶୋଭା ଗ୍ରୁପ୍, ଆରବ ଆଣ୍ଡ୍ ଇଣ୍ଡିଆ ସ୍ପାଇସେସ୍‌ ଏଲ୍‌ଏଲ୍‌ସି ଓ ଡିପି ୱାର୍ଲଡ୍‌ ଭଳି ଏହି ଅଂଚଳରେ କାରବାର କରୁଥିବା ପ୍ରମୁଖ କଂପାନି ସମ୍ମିଳନୀରେ ଭାଗ ନେଇଥିଲେ। ଖଣିଜ ଓ ଧାତବ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ୍ସ, ରସାୟନ, ପ୍ଲାଷ୍ଟିକ୍, ଭାରି ଶିଳ୍ପ, ସ୍ବଚ୍ଛ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ, ଇଲେକ୍ଟ୍ରିକାଲ୍ ଉପକରଣ, ଇଲେକ୍ଟ୍ରୋନିକ୍ସ, ଲଜିଷ୍ଟିକ୍ସ, ରିଅଲ ଇଷ୍ଟେଟ୍‌ ଓ ଆତିଥେୟତା ଭଳି କ୍ଷେତ୍ରରେ କାରବାର କରୁଥିବା କଂପାନିଗୁଡ଼ିକ ସମ୍ମିଳନୀରେ ଭାଗ ନେଇଥିଲେ।

ଓଡ଼ିଶାରେ ନିବେଶ ପାଇଁ ଥିବା ସୁଯୋଗ ସଂପର୍କରେ ବଖାଣିଲେ ମୁଖ୍ୟମନ୍ତ୍ରୀ
ନଭେମ୍ବର ୩୦ରୁ ଡିସେମ୍ବର ୪ ବିଶ୍ବସ୍ତରୀୟ ନିବେଶକ ସମ୍ମିଳନୀ ପାଇଁ ଆମନ୍ତ୍ରଣ

ଓଡ଼ିଶାରେ ନିବେଶ ପାଇଁ ରହିଥିବା ସୁଯୋଗ ସମ୍ପର୍କରେ ନିବେଶକମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶାରେ ପୁଞ୍ଜିନିବେଶ ଲାଗି ବ୍ୟାପକ ସୁଯୋଗ ରହିଛି। ଭାରତର ୯୬% କ୍ରୋମାଇଟ, ୯୨% ନିକେଲ, ୫୩% ବକ୍ସାଇଟ୍, ୪୫% ମାଙ୍ଗାନିଜ, ୩୫% ଲୁହାପଥର ଓ ୨୩% କୋଇଲା ଓଡ଼ିଶାରେ ରହିଛି। ସେଥିପାଇଁ ଇସ୍ପାତ, ଷ୍ଟେନଲେସ୍ ଷ୍ଟିଲ୍, ଫେରୋ ଆଲଏଜ୍, ଆଲୁମିନା ଓ ଆଲୁମିନିୟମ କ୍ଷେତ୍ରର ପ୍ରମୁଖ ସଂସ୍ଥାଗୁଡ଼ିକ ଓଡ଼ିଶାରେ କାରଖାନା ସ୍ଥାପନ କରିଛନ୍ତି। ୪୮୦ କିଲୋମିଟର ଲମ୍ବା ବେଳାଭୂମି ଥିବାରୁ ବନ୍ଦର ସ୍ଥାପନ ଲାଗି ଓଡ଼ିଶା ଏକ ଉପଯୁକ୍ତ ସ୍ଥାନ ଭାବେ ଉଭା ହୋଇଛି। ମାନବ ସମ୍ବଳ କ୍ଷେତ୍ରରେ ଓଡ଼ିଶା ବହୁ ଆଗରେ। ଭାରତର ଶ୍ରେଷ୍ଠ ୧୦୦ ଶିଳ୍ପ ତାଲିମ ପ୍ରତିଷ୍ଠାନ ମଧ୍ୟରେ ଓଡ଼ିଶାର ୧୧ଟି ଅନୁଷ୍ଠାନର ନାମ ରହିଛି। ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରି ପ୍ରକ୍ରିୟା ନିବେଶକମାନଙ୍କ କାର୍ଯ୍ୟକୁ ସହଜ କରିଛି। ରାଜ୍ୟରେ ୧୨୦୦ରୁ ଅଧିକ ଷ୍ଟାର୍ଟଅପ୍ ସଂସ୍ଥା ରହିଛନ୍ତି। ୫-ଟି ଅଧୀନରେ ମଧ୍ୟ ଶିଳ୍ପ ଓ ଭିତ୍ତିଭୂମି ବିକାଶ ଲାଗି ବହୁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନିବେଶକାରୀଙ୍କୁ ଜଣାଇଥିଲେ।

ଏହି ଅବସରରେ ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ବିଶ୍ବସ୍ତରୀୟ ନିବେଶକ ସମ୍ମିଳନୀ ମେକ୍ ଇନ୍ ଓଡ଼ିଶା ୨୦୨୨ ଭୁବନେଶ୍ବରରେ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସେଥିରେ ଅଂଶଗ୍ରହଣ କରିବା ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉପସ୍ଥିତ ନିବେଶକମାନଙ୍କୁ ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିଥିଲେ।

ଦୁବାଇ ନିବେଶକ ସମ୍ମିଳନୀରେ ଜେଏସ୍‌ଡବ୍ଲୁ ସିମେଣ୍ଟ୍‌ର ପରିଚାଳନା ନିର୍ଦେଶକ ପାର୍ଥ ଜିନ୍ଦଲ, ଆଦାନି ପୋର୍ଟସ୍‌ ଆଣ୍ଡ୍‌ ଏସ୍‌ଇଜେଡ୍‌ ଲିମିଟେଡ୍‌ର ସିଇଓ କରନ ଆଦାନି, ପାରାଦୀପ ଫସଫେଟ୍ ଲିମିଟେଡ୍‌ର ଅଧ୍ୟକ୍ଷ ସରୋଜ ପୋଦାର, ହିଣ୍ଡାଲ୍‌କୋର ପରିଚାଳନା ନିର୍ଦେଶକ ସତୀଶ ପାଇ, ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍‌ର ସିଇଓ ଦିଲ୍ଲୀପ ଓମେନ୍, ବେଦାନ୍ତ ଲିମିଟେଡ୍‌ର ସିଇଓ ରାହୁଲ ଶର୍ମା, ଇମ୍ଫାର ପରିଚାଳନା ନିର୍ଦେଶକ ଶୁଭ୍ରକାନ୍ତ ପଣ୍ଡା, ଆଇଓସିଏଲ୍‌ର ନିର୍ଦେଶକ ସୁଜୟ ଚୌଧୁରୀ, ଡିଏନ୍ ହୋମ୍‌ସର ସିଏମ୍‌ଡି ଜଗଦ୍ଦୀଶ ନାୟକ, ବି-ୱାନ୍ ବିଜନେସ୍ ହାଉସ୍‌ର ପରିଚାଳନା ନିର୍ଦେଶକ ଭବତୋଶ ସାହୁ, ରୁଚିର ମୁଖ୍ୟ ଶରତ ସାହୁ, ଟାଟା ଷ୍ଟିଲ୍ ଏସ୍‌ଇଜେଡ୍‌ର ପରିଚାଳନା ନିର୍ଦେଶକ ପ୍ରଶାନ୍ତ ମଲ୍ଲିକ, ଟାଟା ଷ୍ଟିଲ୍‌ର ଉପସଭାପତି ଚାଣକ୍ୟ ଚୌଧୁରୀ ଓ ଏସାର୍‌ ମିନ୍‌ମେଟ୍‌ର ସିଇଓ ଓ ଏମ୍‌ଡି ଶଶି ଶେଖର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଇମ୍ଫାର ଏମ୍‌ଡି ତଥା ଫିକିର ବରିଷ୍ଠ ଉପସଭାପତି ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି ଯେ ରାଜ୍ୟର ବିକାଶ ପାଇଁ ପୁଞ୍ଜିନିବେଶ ଆକୃଷ୍ଟ କରିବା ଉପରେ ଗୁରୁତ୍ବ ଓ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବ ଯୋଗୁଁ କୃଷି ପ୍ରଧାନ ରାଜ୍ୟ ଭାବେ ପରିଗଣିତ ହେଉଥିବା ଓଡ଼ିଶା ଏକ ଶିଳ୍ପ ହବ୍‌ରେ ରୂପାନ୍ତରିତ ହୋଇପାରିଛି। ସେହିପରି, ଏସାର ମିନ୍‌ମେଟ୍‌ର ଶ୍ରୀ ମହାନ୍ତି କହିଛନ୍ତି ଯେ ଓଡ଼ିଶାରେ ଆମେ ୧୪ ନିୟୁତ ଟନ୍‌ର ସର୍ବବୃହତ ପେଲେଟ୍ କମ୍ପ୍ଲେକ୍ସ ସ୍ଥାପନ କରୁଛୁ ଯାହାର ବେନିଫିକେସନ ପ୍ଲାଣ୍ଟ୍‌ ପ୍ଲାଣ୍ଟ୍‌ କେନ୍ଦୁଝରରେ, ପେଲେଟ୍‌ ପ୍ଲାଣ୍ଟ୍‌ ପାରାଦୀପରେ ରହିବ ଓ ପରିବହନ ପାଇଁ ଏକ ସ୍ଲରି ପାଇପ୍‌ଲାଇନ୍ ଜରିଆରେ ତାହା ଯୋଡ଼ି ହୋଇରହିବ।

ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାର ୫୦୦୦ କୋଟି ଡଲାରର ଅଧିକ ମୂଲ୍ୟର ନିବେଶ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଧାତବ ଓ ଖଣିଜ ଡାଉନ୍‌ଷ୍ଟ୍ରିମ୍, ରସାୟନ ଓ ପେଟ୍ରୋକେମିକାଲ୍ସ, ବୟନ ଓ ପୋଷାକ, ଖାଦ୍ୟ ପ୍ରକ୍ରିୟାକରଣ, ଇଏସ୍‌ଡିଏମ୍, ଲଜିଷ୍ଟିକ୍ସ ଓ ସବୁଜ ଶକ୍ତି କ୍ଷେତ୍ର‌ ଲାଗି ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଆକୃଷ୍ଟ କରିବା ଲାଗି ପ୍ରଥମ ଥର ପାଇଁ ଓଡ଼ିଶା ପକ୍ଷରୁ ଦୁବାଇରେ ନିବେଶକ ସମ୍ମିଳନୀ ଆୟୋଜନ କରାଯାଇଛି। ଏହାକୁ ନେଇ ନିବେଶକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ସମ୍ମିଳନୀରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ରାଜ୍ୟର ବହୁ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର