ଭୁବନେଶ୍ବର: ଚଳିତ ଅକ୍ଟୋବରରେ ପ୍ରଥମ ଥର ପାଇଁ ୨୦ ଡିଗ୍ରି ତଳକୁ ଖସିଛି ରାଜଧାନୀର ରାତି ତାପମାତ୍ରା। ଗତକାଲି ରାତିରେ ରାଜଧାନୀ ଭୁବନେଶ୍ବର ତାପମାତ୍ରା ୧୯.୭ ଡିଗ୍ରି ରେକର୍ଡ ହୋଇଥିଲା। ଏଥିସହ କଟକର ରାତି ତାପମାତ୍ରା ୨୦.୨ ଡିଗ୍ରି ରହିଥିଲା। ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ୧୩ ‌ଡିଗ୍ରିକୁ ଖସିଥିବା ବେଳେ ଫୁଲବାଣୀ ଓ ଜି. ଉଦୟଗିରିରେ ୧୩ ଡିଗ୍ରି, କୋରାପୁଟରେ ୧୩.୮ ଡିଗ୍ରି ଓ ଦାରିଙ୍ଗବାଡ଼ିରେ ୧୪ ଡିଗ୍ରି ରାତି ତାପମାତ୍ରା ରହିଥିଲା। ଏଥିସହ କଳାହାଣ୍ଡି, କୋରାପୁଟ ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟମରୁ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Advertisment

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟରେ ଗତ ୫ ଦିନ ହେଲା ଥଣ୍ଡା ଆରମ୍ଭ ହୋଇଯାଇଛି। ଆଜି ମଧ୍ୟ ଥଣ୍ଡା ରହିଛି। ତେବେ ଆସନ୍ତାକାଲି ସୋମବାର ରାତିଠାରୁ ପାଗରେ ପରିବର୍ତ୍ତନ ଆସିବ। ସର୍ବନିମ୍ନ ତାପମାତ୍ରା କ୍ରମଶଃ ବଢ଼ିବ। ଆକଳନ କରାଯାଉଛି, ନଭେମ୍ବର ୫ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ ଡିଗ୍ରି ବଢ଼ିବ। ନଭେମ୍ବର ୧ ସୁଦ୍ଧା ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଗତକାଲି ରାଜ୍ୟକୁ ଉତ୍ତର-ପଶ୍ଚିମ ପବନ ବହୁଥିଲା। ଆଜି ସଂଧ୍ୟାରୁ ଉତ୍ତର-ପୂର୍ବ ପବନ ବହୁଛି। ତା’ ପରଦିନ ପୂର୍ବା ପବନ ଓ ପୁଣି ଉତ୍ତର-ପଶ୍ଚିମା ପବନ ବହିବାର ସମ୍ଭାବନା ରହିଛି। ନଭେମ୍ବର ୨ ଓ ୩ ତାରିଖରେ ପୂର୍ବା ପବନ ଓ ଉତ୍ତର-ପଶ୍ଚିମା ପବନ ପଶ୍ଚିମ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରରେ ପରସ୍ପର ମିଶିବାର ସମ୍ଭାବନା ରହିଛି। ଅନୁମାନ କରାଯାଉଛି, ନଭେମ୍ବର ୨ ଓ ୩ରେ ଦକ୍ଷିଣ ଉପକୂଳ, ପଶ୍ଚିମ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରରେ ପାଗ ଆଂଶିକ ମେଘୁଆ ସହିତ ହାଲୁକା ଓ ସ୍ଥାନେ ସ୍ଥାନେ ସ୍ବଳ୍ପ ବର୍ଷା ହୋଇପାରେ।

ବିଳମ୍ବରେ ଲଗାଯାଇଥିବା‌ ଧାନ ଓ ଦୀର୍ଘ ଅବଧି ଧାନ ବର୍ତ୍ତମାନ ଫୁଲ ଉଡ଼ିବା ଅବସ୍ଥାକୁ ଆସିଛି। ଗତ ୩ ସପ୍ତାହ ହେଲା ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇନାହିଁ। ଫଳ‌ରେ ଅଣ ଜଳସେଚିତ ଧାନ ଫସଲରେ ଢିପ ଓ ମଧ୍ୟମ କିସମ ଜମିରେ ପାଣିର ଅସୁବିଧା ଦେଖାଯିବ। ଦାନା ବାନ୍ଧିବାରେ ପାଣିର ସଙ୍କଟ ହେଲେ ଅମଳ କମିଥାଏ। ଯେଉଁ ସ୍ଥାନରେ ଆସନ୍ତା ସପ୍ତାହରେ ବର୍ଷା ହେବ, ସେଠି ଧାନ ଫସଲରେ ଲେଡ଼ା ପୋକର ପ୍ରାଦୁର୍ଭାବ ଦେଖାଯିବାର ସମ୍ଭାବନା ରହିଛି। ବିଶେଷ କରି ଜଳସେଚିତ ଓ ଖାଲ ଜମିରେ ତା’ର ଦମନ ପାଇଁ ପାହି ଭାଙ୍ଗିବା ସହିତ ଜଳ ନିଷ୍କାସନ କରିବା ଆବଶ୍ୟକ। ଉପଯୁକ୍ତ ଔଷଧ ପ୍ରୟୋଗ କରିବା ବି ଜରୁରି ବୋଲି କୃଷି ପରାମର୍ଶ ଦେଇ ଡ. ପଶୁପାଳକ କହିଛନ୍ତି।