ନୀଳଗିରି(ଦିଲ୍ଲୀପ ସ୍ବାଇଁ): ଯାହା କେବେ କେହି କଳ୍ପନା କରି ନଥିଲେ, ସେମିତି କା‌ମ କରି‌‌ ଦେଖାଇଛନ୍ତି ଜଣେ ଶିକ୍ଷିତ ଯୁବଚାଷୀ। ସେ ପାହାଡ଼ିଆ ମାଟିରେ କ୍ୟାପ୍‌ସିକମ୍‌ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସେହିପରି ଫଳ ଓ ପରିବା ଚାଷ କରି ମଧ୍ୟ ସଫଳ ହୋଇଛନ୍ତି।

Advertisment

ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍‌ ଅଧୀନ ରମଦା ଗାଁ’ର ସୁରତ କୁମାର ନାୟକ (୩୮) ୨୦୦୯ରେ ଆଇଟିଆଇ ଶିକ୍ଷା ଶେଷ କରିଥିଲେ। ପ‌ରେ ସେ ଚାକିରି ଆଶା ନେଇ ବିଭିନ୍ନ କମ୍ପାନିରେ ସାକ୍ଷାତକାର ଦେଇଥିଲେ ଏବଂ କାମ କରିଥିଲେ। ହେଲେ ଆଶାନୁରୂପ ରୋଜଗାର ହେଲାନି। ଏପରି ସମୟରେ ସେ ସଫଳ ଚାଷୀମାନଙ୍କର କାହାଣୀ ଶୁଣି ଚାଷ କରିବାକୁ ଆଗ୍ରହ ପ୍ରକାଶ କଲେ। ଚାକିରି ଛାଡ଼ି ଗାଁ’କୁ ଚାଲିଆସିଲେ। ନିଜ ଗାଁ’ଠାରୁ ଦୂର ନୀଳଗିରି ବ୍ଲକ୍‌ ପୋଡ଼ାଶୂଳ ଅଞ୍ଚଳର ୧୯ ଏକର ଜମି ୧୫ ବର୍ଷ ପାଇଁ ଲିଜ୍‌ରେ ନେଇ ସେଠାରେ ଚାଷ କରିବାକୁ ପ୍ରସ୍ତତ ହେଲେ। କିନ୍ତୁ ପାହାଡ଼ିଆ ଜମିରେ କି ଚାଷ କରିବେ, ସେକଥା ଭାବି ପାରିଲେନି। ସୁରତ ଚିନ୍ତାରେ ଥିବା ବେଳେ ନିଜ ଅଞ୍ଚଳରେ ମହରଗ ଥିବା କ୍ୟାପ୍‌ସିକମ୍‌ ଚାଷ କରିବାକୁ ମନସ୍ଥ କଲେ। ସେ ପ୍ରତାପ ଚନ୍ଦ୍ର ପାତ୍ରଙ୍କ ସହଯୋଗକ୍ରମେ ପ୍ରଥମେ ୫ ଏକର ଜମିରେ କ୍ୟାପ୍‌ସିକମ୍‌ ଚାଷ କଲେ। ଭଲ ଅମଳ ହେଲା। ହାତକୁ ଦି’ ପଇସା ଆସିଲା।

ସିଜିନ୍‌ରେ ପ୍ରତିଦିନ ୨ରୁ ୩ କୁଇଣ୍ଟାଲ୍‌ କ୍ୟାପ୍‌ସିକମ୍‌ ଅମଳ ହେଉଥିବା ବେଳେ ବର୍ଷା ଋତୁରେ ୫ କୁଇଣ୍ଟାଲ୍‌ରୁ ୬ କୁଇଣ୍ଟାଲ୍‌ ପର୍ଯ୍ୟନ୍ତ ଅମଳ ହୋଇଥାଏ। ଯାହା ବାଲେଶ୍ବର, ମୟୂରଭଞ୍ଜ ଓ ଭଦ୍ରକ ବଜାରକୁ ରତ୍ପାନୀ କରାଯାଏ। କ୍ୟାପ୍‌ସିକମ୍‌ କିଲୋ ପ୍ରତି ୨୦ରୁ ୨୫ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ସୁରତଙ୍କ ବାର୍ଷିକ ଆୟ ୧୫ ଲକ୍ଷ ଟଙ୍କା ଛୁଇଁଯାଏ। ସେ କେବଳ କ୍ୟାପ୍‌ସିକମ୍‌ ଚାଷ କରନ୍ତି ନାହିଁ, ପିଜୁଳି ଚାଷ ଏବଂ ପନିପରିବା ଚାଷ କରି ମଧ୍ୟ ସଫଳ ହୋଇଛନ୍ତି। ସୁରତ ନିଜେ ରୋଜଗାରକ୍ଷମ ହେବା ସହ ସ୍ଥାନୀୟ ଅଞ୍ଚଳର ୪୦ରୁ ୫୦ ଜଣଙ୍କୁ ମଧ୍ୟ ରୋଜଗାରକ୍ଷମ କରିପାରିଛନ୍ତି। ଆଗାମୀ ଦିନରେ ଅଧିକରୁ ଅଧିକ କ୍ୟାପ୍‌ସିକମ୍‌ ସହ ପିଜୁଳି ଓ ପରିବା ଚାଷ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।

publive-image

ଏପରି ସମୟରେ ସୁରତ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ତା‌ଙ୍କ ପରିଶ୍ରମ ଦେଖି ଲୋକେ ପ୍ରଶଂସାରେ ପୋତିପକାଉଛନ୍ତି। ଯେଉଁମାନେ ଚାକିରି ପଛରେ ଗୋଡ଼ାଇ ଗୋଡ଼ାଇ ନିରାଶ ହେଉଛନ୍ତି, ସେମାନଙ୍କୁ ରୋଜଗାରକ୍ଷମ ହେବା ନେଇ ଦିଗ ଦେଖାଇଛନ୍ତି। ଅନେକ ଯୁବକ ତାଙ୍କଠାରୁ ଚାଷ ବାବଦ ବିଭିନ୍ନ ପରାମର୍ଶ ନେବା ଆରମ୍ଭ କଲେଣି ବୋଲି ସୁରତ ‘ସମ୍ବାଦ’କୁ ହସହସ ମୁହଁରେ କହିଛନ୍ତି।