କାନ୍ଦୁଛନ୍ତି କ୍ୟାପ୍ସିକମ ଚାଷୀ, ବିଲରେ ୧୫ କ୍ବିଣ୍ଟାଲରୁ ଅଧିକ କ୍ୟାପ୍ସିକମ୍‌ ପଚିଲାଣି

ରାଇରଙ୍ଗପୁର: କରୋନା ପାଇଁ ରାଇରଙ୍ଗପୁର ଅଞ୍ଚଳର କ୍ୟାପ୍ସିକମ୍‌ ଚାଷୀମାନେ କାନ୍ଦିଲେଣି। ରାଜ୍ୟ ବାହାର ବଜାର ଉପରେ ନିର୍ଭରଶୀଳ ଏହି ଚାଷୀମାନେ ଏବେ ହାତଗୋଡ଼ ବାନ୍ଧି ବସିଛନ୍ତି। ଏମିତି ଜଣେ ଚାଷୀ ହେଉଛନ୍ତି ବିଶୋଇ ବ୍ଲକ ମଣଦା ଅଞ୍ଚଳର ସର୍ବେଶ୍ବର ବେହେରା। ପ୍ରାୟ ଅଢେଇ ଏକର ଜମିରେ ସେ କ୍ୟାପ୍ସିକମ୍‌ ଚାଷ କରିଥିଲେ। ଫେବ୍ରୁଆରି ଦ୍ବିତୀୟ ସପ୍ତାହରୁ ଅମଳ ଆରମ୍ଭ ହେବା ପରେ ପ୍ରତି ଦୁଇ ଦିନ ଅନ୍ତରରେ ପଶ୍ଚିମବଙ୍ଗର ପାଂଶକୁଡ଼ା, ବାଲେଶ୍ବର ଓ ବାରିପଦା ବଜାରକୁ ପଠାଉଥିଲେ କ୍ୟାପ୍ସିକମ୍‌। ସବୁ ପାଳିରେ ପ୍ରାୟ ୮ କ୍ବିଣ୍ଟାଲରୁ ଅଧିକ କ୍ୟାପ୍ସିକମ ଅମଳ କରୁଥିଲେ ସର୍ବେଶ୍ବର। ହେଲେ ଲକ୍‌ଡାଉନ୍‌ ପରଠାରୁ ସବୁ ବନ୍ଦ। ବିଲରେ ୧୫ କ୍ବିଣ୍ଟାଲରୁ ଅଧିକ କ୍ୟାପ୍ସିକମ୍‌ ପଚିଲାଣି। ଏବେ ମୋଟର ପମ୍ପ ଖରାପ ଯୋଗୁଁ ଜମିକୁ ପାଣି ବି ମାଡ଼ିପାରୁନି। କ୍ଷେତ ଉଜୁଡ଼ିଯିବା ଅବସ୍ଥାରେ। ବଜାର ବନ୍ଦ ଥିବାରୁ ଗଛ ପାଇଁ ଖାଦ୍ୟସାର ଓ କୀଟନାଶକ ବ୍ୟବସ୍ଥା କରି ହେଉନାହିଁ।

ସେହିପରି ବିଶୋଇ ବ୍ଲକ ରଳିଆବିନ୍ଧା ନିକଟସ୍ଥ ଚମ୍ବାଝରି ଗ୍ରାମର ଲାଲମୋହନ ବେହେରା ମଧ୍ୟ ଦୁଇ ଏକର ଜମିରେ କ୍ୟାପ୍ସିକମ୍ ଚାଷ କରିଥିଲେ। ଏବେ ଲାଭ ତ ଦୂର କଥା ମୂଳ ଧରିବା ବି ଅସମ୍ଭବ ହୋଇପଡ଼ିଲାଣି। ତାଙ୍କ ପରି ଏକାଧିକ ଚାଷୀଙ୍କର ବର୍ତ୍ତମାନ ସମଦଶା। କରୋନା ଫାଶରେ ବିଲରେ ପଡ଼ି ପଡ଼ି ପଚୁଛି କ୍ୟାପ୍ସିକମ। ସ୍ଥାନୀୟ ବଜାରରେ ବେଶୀ ଚାହିଦା ନ ଥିବାରୁ ଅଧା ମୂଲ୍ୟରେ ଏହା ବିକ୍ରି ହୋଇପାରୁନି। ଉଦ୍ୟାନ କୃଷି ବିଭାଗର ପ୍ରୋତ୍ସାହନରେ ଏମାନେ କ୍ୟାପ୍ସିକମ୍‌ ଚାଷ ପ୍ରତି ଆଗ୍ରହ ଦେଖାଇଥିଲେ। ଏ ସମ୍ପର୍କରେ ରାଇରଙ୍ଗପୁର ଉଦ୍ୟାନକୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ମାନସିଂ ସୋରେନଙ୍କୁ ପଚାରିବାରୁ କ୍ଷତିଗ୍ରସ୍ତ ଚାଷୀଙ୍କ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର