ନିଶ୍ଚିନ୍ତକୋଇଲି: କଟକ-କେନ୍ଦ୍ରାପଡ଼ା ରାସ୍ତାର ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ତହସିଲ୍ ଛକ ନିକଟରେ ଏକ କାର୍ ଧକ୍କା ଦେବାରୁ ପାଣିଭାର ନେଇ ଯାଉଥିବା ଦୁଇଜଣ କାଉଡ଼ିଆ ପ୍ରାଣ ହରାଇଛନ୍ତି। ମୃତ କାଉଡ଼ିଆ ଜିଗ୍ନିପୁର ପଞ୍ଚାୟତ ବଶପଦା ଗ୍ରାମର ଚିନ୍ମୟୀ ବେହେରା(୨୨) ଓ ଝାରପଡ଼ା ଗ୍ରାମର ଜ୍ୟୋତିରଞ୍ଜନ ରାଉତ(୨୬) ବୋଲି ଜଣାପଡ଼ିଛି। ଦୁର୍ଘଟଣାରେ ତିନିଜଣ କାର୍ ଆରୋହୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ପ୍ରକାଶ ଯେ ନିଶ୍ଚିନ୍ତକୋଇଲି ବ୍ଲକ୍ ବଶପଦା ଗ୍ରାମର ଚିନ୍ମୟୀ ବେହେରା ଓ ଝାରପଡ଼ା ଗ୍ରାମର ଜ୍ୟୋତିରଞ୍ଜନ ରାଉତ(୨୬) ବରପଡ଼ାରୁ ପାଣିଭାର ନେଇ ଜିଗ୍ନିପୁରସ୍ଥିତ ଏକ ଶୈବପୀଠକୁ ଯାଉଥିଲେ। ରାତି ପ୍ରାୟ ସାଢ଼େ ୧୦ଟାରେ ନିଶ୍ଚିନ୍ତକୋଇଲି ତହସିଲ୍ ଛକ ନିକଟରେ ଉଭୟଙ୍କୁ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିବା ଏକ କାର୍ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ଦୁଇଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିଶ୍ଚିନ୍ତକୋଇଲି ଡାକ୍ତରଖାନାକୁ ନେଇଥିଲେ।
ସେଠାରେ ଡାକ୍ତର ଚିନ୍ମୟୀଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଆହତ ଜ୍ୟୋତିରଞ୍ଜନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ମଧ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୩ଜଣ କାର୍ ଆରୋହୀ ମଧ୍ୟ ଆହତ ହୋଇଛନ୍ତି। ଏ ସମ୍ପର୍କରେ ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ଲୋକମାନେ ତହସିଲ୍ ଛକ ନିକଟରେ ପହଞ୍ଚି କଟକ- କେନ୍ଦ୍ରାପଡ଼ା ରାସ୍ତାକୁ ଅବରୋଧ କରିଛନ୍ତି। ପୁଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଆନ୍ଦୋଳନ ଜାରି ରହିଥିବା ସୂଚନା ମିଳିଛି।