ଡିଭାଇଡର୍‌ରେ ପିଟି ହୋଇ କାର୍‌ ଚୂରମାର୍‌ ୩ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

ବାଲୁଗାଁ: ୧୬ ନମ୍ବର ଜାତୀୟ ରାଜପଥର ବାଲୁଗାଁ ବାଇପାସ୍‌ ନୂଆଗଡ଼ ଓଭରବ୍ରିଜ୍‌ ନିକଟରେ ମଙ୍ଗଳବାର ସଂଧ୍ୟା ପ୍ରାୟ ୬ଟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଜାମସେଦପୁରରୁ ବିଶାଖାପାଟଣା ଯାଉଥିବା ଏକ କାର୍‌ ଡିଭାଇଡର୍‌ରେ ପିଟି ହୋଇଯିବାରୁ ୩ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ, ଝାଡ଼ଖଣ୍ଡ ଜାମସେଦ୍‌ପୁର ଅଞ୍ଚଳର ସୂର୍ଯ୍ୟନାରାୟଣ ରାଜୁ (୫୦), ଆର୍‌ ଆଶିଷ ରାଜୁ (୨୦) ଓ ବିଭିଏନ୍‌ ରାଜୁ (୩୫)। ଆହତ ବ୍ୟକ୍ତିଜଣଙ୍କ ହେଲେ, ଭି. ରାଜେନ୍ଦ୍ର କୁମାର(୫୦)। ବାଲୁଗାଁ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରିଥିଲେ। ଆହତ ବିଭିଏନ୍‌କୁ ଚିକିତ୍ସା ଲାଗି ବାଲୁଗାଁ ଡାକ୍ତରଖାନାରେ ଭର୍ତି କରାଯାଇଛି। ପୁଲିସ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଏନେଇ ନମ୍ବର ୨୧/୧୮ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ୪ଜଣ ଏକ ଟାଟା ନେକ୍ସନ୍‌ (ଜେଏଚ୍‌-୦୫ବିଏକ୍ସ ୩୬୩୬) କାର୍‌ରେ ଏକ ବ୍ୟବସାୟିକ କାମରେ ଜାମସେଦ୍‌ପୁରରୁ ବିଶାଖାପାଟଣା ଯାଉଥିଲେ। ଗାଡ଼ିଟି ୧୬ନଂ ଜାତୀୟ ରାଜପଥର ବାଲୁଗାଁ ବାଇପାସ୍‌ କରୁଥିବା ବେଳେ ଚାଳକ ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ଡିଭାଇଡର୍‌ ଉପରକୁ ଚଢ଼ିଯାଇ ଲୁହା ଗାର୍ଡୱାଲ୍‌ ମଧ୍ୟରେ ପଶି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍‌ଟି ସଂପୂର୍ଣ୍ଣ ଚୂରମାର୍‌ ହୋଇଯାଇଥିଲ। ଏଥିରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର