କେନ୍ଦୁଝର: ଠାକୁର ଅନକୂଳ ଚନ୍ଦ୍ରଙ୍କ ସତ୍ସଙ୍ଗରୁ ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ୪ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶା ସ୍କୁଲ ଅଫ୍ ମାଇନିଂ ଇଞ୍ଜିନିୟରିଂର ଅଧ୍ୟକ୍ଷ କଳ୍ପତରୁ ତୀର୍ଥବାସୀ ପରିଡା। କଳ୍ପତରୁଙ୍କ ପୁଅ କମଳାକ୍ଷ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। କେନ୍ଦୁଝର ସଦର ଥାନା ମଇଦାନକେଲ ନିକଟସ୍ଥ ଶରଧାପୁର ଠାରେ ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଘଟଣାରୁ ପ୍ରକାଶ ଯେ କେନ୍ଦୁଝର ସ୍ଥିତ ଓଡ଼ିଶା ସ୍କୁଲ ଅଫ୍ ମାଇନିଂ ଇଞ୍ଜିନିୟରିଂର ଅଧ୍ୟକ୍ଷ କଳ୍ପତରୁ ତୀର୍ଥବାସୀ ପରିଡା, ତାଙ୍କ ପୁଅ କମଳାକ୍ଷ ଓ ଅନ୍ୟ ତିନିଜଣ ଚୈତନ୍ୟ ପ୍ରସାଦ ସାହୁ, ପ୍ରଶାନ୍ତ କୁମାର ପାତ୍ର, ରାଜେଶ କୁମାର ଗୁରୁ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ଏକ ସତ୍ସଙ୍ଗରେ କାର୍ଯ୍ୟକ୍ରମରେ ଯୋଗଦେବାକୁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଯାଇଥିଲେ। ସତ୍ସଙ୍ଗ କାର୍ଯ୍ୟକ୍ରମ ସାରି ସମସ୍ତେ ଏକ ମାରୁତି ସ୍ୱିଫ୍ଟ କାର୍ (ଓଡ଼ି ୦୨ ଏକ୍ୟୁ ୦୩୨୪)ରେ ଗତକାଲି ରାତିରେ ଘରକୁ ଫେରୁଥିଲେ। ତେବେ ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ କେନ୍ଦୁଝର ସଦର ଥାନା ଶରଧାପୁର ନିକଟରେ କାର୍ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଓଡ଼ିଶା ସ୍କୁଲ ଅଫ୍ ମାଇନିଂ ଇଞ୍ଜିନିୟରିଂର ଅଧ୍ୟକ୍ଷ କଳ୍ପତରୁ ତୀର୍ଥବାସୀ ପରିଡ଼ା, ଗାୟତ୍ରୀ ରେସିଡେନ୍ସିଆଲ କଲେଜର ଉପାଧ୍ୟକ୍ଷ ଚୈତନ୍ୟ ସାହୁ (ଘର ନିମାପଡ଼ା), ବିଏସ୍ଏନ୍ଏଲ ପ୍ରକଳ୍ପ ପରିଚାଳକ ପ୍ରଶାନ୍ତ କୁମାର ପାତ୍ର (ପଶ୍ଚିମବଙ୍ଗର ମେଦିନାପୁର), ରାଜେଶ କୁମାର ଗୁରୁ (କେନ୍ଦ୍ରାପଡ଼ା)ଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ସମୟର ପ୍ରଚଣ୍ଡ ଶବ୍ଦ ଶୁଣି ଆଖପାଖ ଲୋକେ ସେଠାରେ ପହଞ୍ଚିଥିଲେ। ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଖବର ପାଇ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଆହତ କମଳାକ୍ଷଙ୍କୁ ଉଦ୍ଧାର କରି ପ୍ରଥମେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ପଠାଯାଇଥିଲା। ସଦର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ କେନ୍ଦୁଝର ସହରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
ସତ୍ସଙ୍ଗରୁ ଫେରିବା ବେଳେ ଅଘଟଣ ଗଛରେ ପିଟିହେଲା କାର୍, ୪ ମୃତ
ମୃତକଙ୍କ ମଧ୍ୟରେ ଓଡ଼ିଶା ସ୍କୁଲ ଅଫ୍ ମାଇନିଂ ଇଞ୍ଜିନିୟରିଂର ଅଧ୍ୟକ୍ଷ
/sambad/media/post_attachments/wp-content/uploads/2018/08/kjr-accident-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)