ବୃଦ୍ଧବ୍ୟକ୍ତିଙ୍କୁ ଧକ୍କା ଦେଇ ଇଲେକ୍ଟ୍ରି ଖୁଣ୍ଟ ଭାଙ୍ଗିଲେ କାର ଚାଳକ

ବାଲିପାଟଣା : ଭୁବନେଶ୍ୱର ଉପକଣ୍ଠ ସରଦେଇପୁର ବାଲିପାଟଣା ରାସ୍ତାର ମଧୁବନ ଛକଠାରେ କାର ଦୁର୍ଘଟଣାଗ୍ରସ୍ତ ହୋଇଛି | ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଧକ୍କା ଦେବା ପରେ ଇଲେକ୍ଟ୍ରି ଖୁଣ୍ଟ ଭାଙ୍ଗିଦେଇଛନ୍ତି କାର ଚାଳକ | ଦୁର୍ଘଟଣାରେ ଗାରେଡିପାଞ୍ଚଣର ରାଧାକୃଷ୍ଣ ପରିଡା (୭୫) ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି | ତାଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦିଆଯାଇଛି | କାର ଚାଳକ ମଧ୍ୟ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି |

ସୂଚନାରୁ ପ୍ରକାଶ, ଆଜି ଦିନ ୧୧.୩୦ ସମୟରେ ବାଲିପାଟଣା ଛକ ଅଭିମୁଖେ ଏକ ନାଲି ରଙ୍ଗର କ୍ରେଟା ଗାଡି ନମ୍ବର ଓଡି ୦୨ ଏଏକ୍ସ ୨୦୫୬ ଯାଉଥିଲା | ରାଧାକୃଷ୍ଣ ଆଖଣ୍ଡଳମଣି ମନ୍ଦିରରୁ ପୂଜା ସାରି ଘରକୁ ଫେରୁଥିବା ବେଳେ ହଠାତ କାର ତାଙ୍କୁ ଧକ୍କା ଦେବାରୁ ସେ ରାସ୍ତାରେ ଛିଟିକି ପଡିଥିଲେ | ଦୁର୍ଘଟଣା ପରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି | ବୃଦ୍ଧଙ୍କୁ ଧକ୍କା ଦେବା ପରେ ଗାଡ଼ି ରାସ୍ତା କଡ଼ ଇଲକ୍ଟ୍ରି ଖୁଣ୍ଟକୁ ଧକ୍କା ଦେଇ ରାସ୍ତା କଡ଼କୁ ପଶିଯାଇଥିଲା | ଖୁଣ୍ଟ ଭାଙ୍ଗିବା ସମୟରେ ତାରରେ ବିଦ୍ୟୁତ ସଂଯୋଗ ଥିବାରୁ ପ୍ରଥମେ ଲାଇନ କଟା ଯାଇଥିଲା। ଏହା ପରେ ଖୁଣ୍ଟକୁ ରାସ୍ତାରୁ ହଟା ଯାଇଛି | ଗାଡ଼ି ଚାଳକଙ୍କ ନାମରେ ଥାନାରେ ଅଭିଯୋଗ ଦିଆଯିବ ବୋଲି ବିଦ୍ୟୁତ ବିଭାଗ ଯନ୍ତ୍ରୀ ମଦନ ମୋହନ ଜେନା ସୂଚନା ଦେଇଛନ୍ତି | ବାଲିପାଟଣା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି |

ସମ୍ବନ୍ଧିତ ଖବର