ଦୁର୍ଘଟଣାରେ ଜଳିଗଲା କାର୍‌, ଚାଳକ ମୃତ

ବେତନଟୀ: ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ବେତନଟୀ ଉପକଣ୍ଠ ତୁଳସୀଚୌରା ନିକଟସ୍ଥ ପେଟ୍ରୋଲ୍‌ ପମ୍ପ୍‌ ପାଖରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଥିବା ବେଳେ ଭିତରେ ଥିବା ଚାଳକ ପ୍ରାଣ ହରାଇଛନ୍ତି। ବାଲେଶ୍ବରରୁ ବାରିପଦା ପଟକୁ ଯାଉଥିବା ଆଇ-୧୦ କାର୍‌(ଓଡି-୦୧ଟି-୧୭୧୭) ସାମ୍ନାକୁ ଦୁଇଜଣ ପଥଚାରୀ ଚାଲିଆସିବାରୁ ସେମାନଙ୍କୁ ବଞ୍ଚାଇବାକୁ ଯାଇ ଗାଡ଼ି ଚାଳକ ଭାରସାମ୍ୟ ହରାଇ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ପେଟ୍ରୋଲ ପମ୍ପର ପାଚେରିକୁ ଧକ୍କା ଦେଇଥିଲେ। ଫଳରେ କାର୍‌ଟି ଓଲଟି ପଡ଼ିବା ସହ ଇଞ୍ଜିନ୍‌ରେ ନିଆଁ ଲାଗିଯାଇଥିଲା। ଭିତରେ ଚାପିହୋଇ କାର୍‌ ଚାଳକଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ବେତନଟୀ ଥାନା ଭାରପ୍ରାପ୍ତ ଅଧିକାରୀ ବଳରାମ ମହାରଣା ଓ ବେତନଟୀ ଦମକଳ ବାହିନୀ ପହଞ୍ଚି କାର୍‌ ଭିତରୁ ମୃତଦେହ ଉଦ୍ଧାର କରିଛନ୍ତି। ମୃତକ ହେଲେ; ରେମୁଣାର ଅଭିମନ୍ୟୁ ନାଥଙ୍କ ପୁଅ ଗଣେଶ ଚନ୍ଦ୍ର (୩୩)। ସେ କୃଷ୍ଣଚନ୍ଦ୍ରପୁର ଡାକ୍ତରଖାନାରେ ଷ୍ଟାଫ୍‌ନର୍ସ ଚାକିରି କରିଥିବା ତାଙ୍କ ପତ୍ନୀଙ୍କୁ ଭେଟିବା ପାଇଁ ଯାଉଥିଲେ।

ସମ୍ବନ୍ଧିତ ଖବର