କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ପ୍ରେମିକାଙ୍କ ଆଖି ଆଗରେ ଚାଲିଗଲା ପ୍ରେମିକଙ୍କ ଜୀବନ

ବଲାଙ୍ଗୀର/କଣ୍ଟାମାଳ: ବଲାଙ୍ଗୀର ଖର୍ଲିକାନୀ ନିକଟରେ ଏକ ମାରୁତି ସ୍ୱିଫ୍ଟ କାର ଓ ଘରୋଇ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ କାର୍‌ ଚାଳକ ଶ୍ରୀତମ ସାହୁଙ୍କ ମୃତ୍ୟୁ ଘଟିଥିବା ବେଳେ କାର୍‌ ଚୂରମାର ହୋଇଯାଇଛି। ଦୁର୍ଘଟଣା ପରେ ଏକ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଶ୍ରୀତମ କାର୍‌ ଚଳାଉଥିବା ବେଳେ ତାଙ୍କ ସାଙ୍ଗରେ ଥିଲେ ତାଙ୍କ ପ୍ରେମିକା। ଆଉ ପ୍ରେମିକାର ଆଖି ଆଗରେ ଶ୍ରୀତମଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ପୂରା ଘଟଣାଟି ଏମିତି, ବୌଦ୍ଧ ଜିଲ୍ଲା ରୁଣ୍ଡିମହୁଲ ଗାଁର ଶ୍ରୀତମ ସାହୁ ନିକଟସ୍ଥ ଏକ ଗାଁର ଜଣେ କଲେଜ ପଢୁଆ ଝିଅକୁ ପ୍ରେମ କରୁଥିଲେ। ଝିଅ ଜଣକ ବଲାଙ୍ଗୀର ସହରର ଏକ ଗାର୍ଲସ ହଷ୍ଟେଲରେ ରହି କଲେଜରେ ପାଠ ପଢୁଥିଲେ। ଶ୍ରୀତମ ଅନେକ ସମୟରେ ନିଜ କାର (ଓଡି ୧୫ୟୁ-୫୬୪୧)ରେ ବଲାଙ୍ଗୀର ଆସି ପ୍ରେମିକାଙ୍କୁ ସାଂଗରେ ନେଇ ବୁଲାବୁଲି କରୁଥିଲେ। କିଛି ଦିନ ପରେ ଉଭୟେ ନିଜ ନିଜ ପରିବାର ଲୋକଙ୍କୁ ବୁଝାଇ ବାହା ହେବେ ବୋଲି ନିଷ୍ପତ୍ତି ନେଇଥିଲେ। ସବୁଥର ଭଳି ଆଜି ମଧ୍ୟ ଶ୍ରୀତମ କାର ଯୋଗେ ପ୍ରେମିକାକୁ ଭେଟିବା ପାଇଁ ଆସିଥିଲେ। କଲେଜ ଆସିବା ବାହାନାରେ ପ୍ରେମିକା ଜଣକ କାରରେ ବସି ଶ୍ରୀତମ ସହିତ ବୁଲିବାକୁ ବାହାରିଥିଲେ। ହଠାତ୍‌ ଜାତୀୟ ରାଜପଥ-୨୬ ବଲାଙ୍ଗୀର-ଟିଟିଲାଗଡ଼ ରାସ୍ତାର ଖର୍ଲିକାନୀଠାରେ ସାମ୍ନା ପଟୁ ଆସୁଥିବା ଏକ ଘରୋଇ ବସ୍‌ ସହ କାର୍‌ର ଜୋରରେ ଧକ୍କା ହୋଇଥିଲା।

ଚାଳକ ପଟକୁ କାର୍‌ ଚେପା ହୋଇଯାଇଥିଲା। ସାମାନ୍ୟ ଆହତ ହୋଇଥିବା ପ୍ରେମିକା ସଂଗେ ସଂଗେ ଆମ୍ବୁଲାନ୍ସ ଡାକି ଗୁରୁତର ଶ୍ରୀତମଙ୍କୁ ହସପିଟାଲ ନେଇଥିଲେ। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଶ୍ରୀତମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରେମିକାଙ୍କ ମୁଣ୍ଡ ଉପରେ ସତେ ଯେମିତି ଚଡ଼କ ପଡ଼ିଯାଇଥିଲା। ସେ ନିଜକୁ ସମ୍ଭାଳି ନେଇ ଶ୍ରୀତମଙ୍କ ଘର ଲୋକଙ୍କୁ କଲ୍‌ କରି ଦୁର୍ଘଟଣା ସଂପର୍କରେ ଜଣାଇଥିଲେ। ତାପରେ ଲୋକଲଜ୍ଜା ଭୟରେ ମୋବାଇଲକୁ ସ୍ୱିଚ୍‌ଅଫ୍‌ କରି ନିଜର ହଷ୍ଟେଲକୁ ଚାଲି ଯାଇଥିଲେ। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ସେପଟେ ମୃତ ଶ୍ରୀତମଙ୍କ ମାମୁ ଗୁପ୍ତେଶ୍ବର ସାହୁ ପ୍ରେମ ସଂପର୍କର ଖୁଲାସା କରିଛନ୍ତି। ଏପରିକି କାରରେ ଦୁଇ ଲକ୍ଷ ଟଙ୍କା ଧରି ଶ୍ରୀତମ ବାହାରିଥିଲେ। ସେହି ଦୁଇ ଲକ୍ଷ ଟଙ୍କା କିଏ ନେଲା ବୋଲି ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ଦୁର୍ଘଟଣା ପରେ ଘରୋଇ ବସଟି ଘଟଣାସ୍ଥଳରୁ ଫେରାର ମାରିଥିଲା। ସଦର ପୁଲିସ ବସକୁ ଜବତ କରିବା ସହିତ ଚାଳକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

ସମ୍ବନ୍ଧିତ ଖବର