ସୁନ୍ଦରଗଡ଼: ଚଳନ୍ତା କାର୍‌ରେ ନିଆଁ ଲାଗିଛି। ଅଳ୍ପ ସମୟ ମଧ୍ୟରେ କାର୍‌ଟି ପୋଡ଼ି ପାଉଁଶ ହୋଇଯାଇଛି। କାର୍‌ର ଚାଳକ ନିଆଁରେ ପୋଡ଼ିଯାଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯିବା ପରେ ମେଡିକାଲରେ ଭର୍ତ୍ତି କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ବିଲେଇଗଡ଼ ଗ୍ରାମରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ କାର୍‌ ମାଲିକ ଦାରାସିଂହ ବାଗ କଳାହାଣ୍ଡିସ୍ଥିତ ପାୱାର ଗ୍ରିଡ଼ରେ ଇଞ୍ଜିନିୟର ରୂପେ କାର୍ଯ୍ୟରତ ଅଛନ୍ତି। ସେ ଗତ ମେ’ ମାସ ୨୩ ତାରିଖରେ ତାଙ୍କ ବିବାହ ପାଇଁ ନିଜ ଗ୍ରାମ ବିଲେଇଗଡ଼ ଆସିଥିଲେ। ଆଜି କୌଣସି ଏକ କାମରେ ନିଜ କାର୍‌ (ଓଡି୧୫ଏନ୍‌ ୪୪୨୨) ଧରି  ବାହାରି ଥିବା ବେଳେ ଏଭଳି ଅଘଟଣର ସାମ୍ନା କରିଥିଲେ। ସେ ଘରୁ ଗାଡ଼ି ବାହାର କରି ରାସ୍ତାଉପରକୁ ନେଇ କି ଆସୁଥିବା ବେଳେ ହଠାତ୍ ଗାଡ଼ିରେ ନିଆ ଲାଗିଯିବାରୁ ସେ କୌଶଳକ୍ରମେ ଗାଡ଼ିରୁ ନିକଟସ୍ଥ ଏକ ଚାଷ ଜମିକୁ ଡେଇଁ ପଡ଼ିଥିଲେ। ତାଙ୍କ ମୁହଁ ଆଉ ହାତରେ ନିଆଁ ଲାଗିଛି। ଗାଡ଼ିରେ ନିଆଁ ଏତେ ଜୋରରେ ଲାଗିଯାଇଥିଲା ଯେ ସେ ମଧ୍ୟ ଗୁରୁତର ହୋଇଯାଇଛନ୍ତି। ଏହି ଅଘଟଣରେ ତାଙ୍କ ଗାଡ଼ି ସମ୍ପୂର୍ଣ ନଷ୍ଟ ହେଇଯାଇଛି। ତାଙ୍କୁ ପ୍ରଥମେ ସୁନ୍ଦରଗଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତରିତ କରାଯାଇଛି।