ପୋଖରୀରେ ପଶିଗଲା କାର୍‌, ଯୁବକଙ୍କ ମୃତ୍ୟୁ

ହରିପୁର: ଗାଁ ପୋଖରୀରେ ପଶିଗଲା କାର୍‌। ସେଥିରୁ ବାହାରି ନପାରି ବୁଡ଼ିଯାଇ ଜୀବନ ହରାଇଲେ ଯୁବକ। ମୃତ ଯୁବକ ହେଲେ କୁଆଖିଆ ଥାନା ମୁଗୁପାଳ ପଞ୍ଚାୟତ ଗଣାବାଗ ଗ୍ରାମର ଗଦାଧର ସାହୁ (୨୮)। ସେ ‌ବ୍ୟବସାୟୀ ତ୍ରିଲୋଚନ ସାହୁଙ୍କ ସାନପୁଅ। ଆଜି ଅପରାହ୍‌ଣ ପ୍ରାୟ ଗୋଟାଏ ୩୦ ମିନିଟ ସମୟରେ କାର୍‌ (ଓଆର‌୍‌-୦୨ବିଏନ୍‌-୯୩୫୩)ଟିକୁ ନିକଟସ୍ଥ ଘରକୁ ଚଳାଇ ନେଉଥିବାବେଳେ ନିୟନ୍ତ୍ରଣ ହରାଇବାରୁ ଗଭୀର ପୋଖରୀ ଭିତରକୁ ପଶିଯାଇଥିଲା। ଏହି ସମୟରେ କୁଆଖିଆରୁ ସେହି ବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତି କାର୍‌ ବୁଡ଼ିଯାଉଥିବାର ଦେଖି ଗାଁ ଲୋକଙ୍କୁ ଡାକ ପକାଇଥିଲେ। ଗାଁ ଲୋକ ପହଞ୍ଚିଲାବେଳକୁ ପୋଖରୀର ଗଭୀର ପାଣିରେ କାର୍‌ ସହ ଗଦାଧର ସଂପୂର୍ଣ୍ଣ ବୁଡ଼ିଯାଇଥିଲେ।

ଲୋକମାନେ ସାହସର ସହିତ ପାଣିରେ ପଶି ପ୍ରଥମେ ଗାଡ଼ିଟିକୁ ଠାବ କରିଥିଲେ। ଟ୍ରାକ୍ଟର ଯୋଗେ ଗାଡ଼ିଟିକୁ ବାହାର କରିବା ସହ ଗଦାଧରଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ରସୁଲପୁର ଅଗ୍ନିଶମ ବାହିନୀ ଓ କୁଆଖିଆ ପୁଲିସ ପହଞ୍ଚିଥିଲେ। ସେତେବଳକୁ ଗାଁ ଲୋକେ ତାଙ୍କୁ ହରିପୁର ଡାକ୍ତରଖାନା ଓ ସେଠାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ସନ୍ଧ୍ୟାରେ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା।

ସେ ହରିପୁର ହାଟରେ ପୂଜା ସାମଗ୍ରୀ ବ୍ୟବସାୟ କରୁଥିଲେ। ମୁଗୁପାଳ ପଞ୍ଚାୟତର ଯୁବନେତା ଭାସ୍କର ସାହୁ, ଦିଲୀପ ଦାଶ, ରମେଶ ସାହୁ, ବାବୁ ସାହୁ ପ୍ରଭୃତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଯାଜପୁର ପୁଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ୫୩/୨୧ରେ ରୁଜୁ କରିଛି ବୋଲି କୁଆଖିଆ ଥାନାଧିକାରୀ ମନୋଜ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।ଏଠାରେ ସୂଚନା ଥାଉକି ଏହି ପୋଖରୀଟି ଖୋଳାହେବା ବର୍ଷ ସ୍ଥାନୀୟ ଜଣେ ବୃଦ୍ଧା ବୁଡ଼ିଯାଇ ପ୍ରାଣ ହରାଇଥିଲେ। ଏହି ଗଭୀର ପୋଖରୀଟି ରାସ୍ତାକଡ଼କୁ ଲାଗିଥିବା ବେଳେ ପୋଖରୀହୁଡ଼ା ନଷ୍ଟ ହୋଇ ସମାନ ହୋଇଯାଇଛି।

ସମ୍ବନ୍ଧିତ ଖବର