ନୂଆପଡ଼ା: କୁହାଯାଇଥାଏ ଦ୍ରୁତଗତି, ମହାବିପତ୍ତି। ସଡ଼କ ସୁରକ୍ଷା, ଜୀବନ ରକ୍ଷା। ରାସ୍ତାରେ ଯିବା ବେଳେ ଏହି ଦୁଇଟି ଜିନିଷ ପ୍ରତି ଧ୍ୟାନ ଦିଆଗଲେ ଜୀବନ ସୁରକ୍ଷିତ ରହିଥାଏ ଓ ପରିବାର ସୁଖମୟ ହୋଇଥାଏ। ଆଉ ଗାଡ଼ି ଚଳାଇବା ସମୟରେ ଯଦି ଚାଳକ ସତର୍କତା ପ୍ରତି ଦୃଷ୍ଟି ନରଖନ୍ତି, ତା’ହେଲେ ମରଣ ସୁନିଶ୍ଚିତ। ନୂଆପଡ଼ା ଜିଲ୍ଲାରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ରାସ୍ତକଡ଼ରେ ଥିବା ଗଛକୁ କାର୍‌ ଧକ୍କା ଦେବାରୁ ଜଣେ ମହିଳା ଓ ଶିଶୁ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କର ପରିଚୟ ଜଣାପଡ଼ି ନଥିଲେ ବି, ଏମାନେ ପଡୋଶୀ ଛତିଶଗଡ଼ର ହୋଇଥିବା ନେଇ ଚର୍ଚ୍ଚା ହେଉଛି।

Advertisment

ପ୍ରାପ୍ତ ସୂଚନା ଅନୁସାରେ ନୂଆପଡ଼ା-ବରଗଡ଼ (ବିଜୁ ଏକ୍ସପ୍ରେସ୍‌ ୱେ)ର ଜୋଙ୍କ ଥାନା ଅନ୍ତର୍ଗତ ମହାମାୟା କଲେଜ ସୁନସୁନିଆ ନିକଟରେ ଦ୍ରୁତଗାମୀ କାର (ସିଜି ୦୬ଜିଏଫ ୨୭୫୩) ଆଜି ଅପରାହ୍ନ ପ୍ରାୟ ୩ଟା ୪୫ରେ ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍‌ରେ ଜଣେ ମହିଳା ଓ ଶିଶୁଙ୍କ ସମେତ ମୋଟ ୭ ଜଣ ଯାତ୍ରୀ ଥିଲେ। ଏମାନେ ସମସ୍ତେ ବରଗଡ଼ ଜିଲ୍ଲା ପଦ୍ମପୁରରୁ ଛତିଶଗଡ଼ର ମହାସମୁନ୍ଦ ଆଡ଼କୁ ଯାଉଥିଲେ। ତେବେ କାର୍‌ର ଚାଳକ ସୁନସୁନିଆ ନିକଟରେ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି।

ଦୁର୍ଘଟଣା ସଂପର୍କିତ ସୂଚନା ପାଇ ପୁଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଛି। ପୁଲିସ ମୃତଦେହ ଗୁଡ଼ିକ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଗୁରୁତର ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି। ରିପୋର୍ଟ ଲେଖାଯିବା ବେଳକୁ ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀଙ୍କ ବାଦ‌ଦରେ ଅଧିକ ତଥ୍ୟ ଜଣାପଡ଼ି ନାହିଁ।