ବାମ୍ଫିକୁ ଖସିଲା କାର୍‌ , ଉଦ୍ୟାନ ବିଭାଗ କର୍ମଚାରୀ ମୃତ

ଆଠଗଡ : ରାସ୍ତା କଡ଼ରେ ଥିବା ଏକ ବିରାଟ କୂଅ (ବାମ୍ଫି) ଭିତରକୁ କାର ସହ ଖସି ପଡି ପ୍ରାଣ ହରାଇଛନ୍ତି ଜଣେ ସରକାରୀ କର୍ମଚାରୀ। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ତିଗିରିଆ ଉଦ୍ୟାନ ବିଭାଗର କର୍ମଚାରୀ ବିଶ୍ୱଜିତ୍‌ ସାହୁ(୩୦)। ସୂଚନା ଅନୁସାରେ, ଢେଙ୍କାନଳ ସଦରଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମରେ ବିଶ୍ୱଜିତ୍‌ ସାହୁ ତିଗିରିଆ ବ୍ଲକ ଉଦ୍ୟାନ ବିଭାଗରେ କାର୍ଯ୍ୟରତ କରନ୍ତି। ସେ ଘରୁ ନିଜ କାର (ଓଆର-୦୨ଏମ-୦୧୦୫) ରେ ଅଫିସକୁ ଆସିବା ବାଟରେ ଆଠଗଡ ଥାନା ଭାଗୀରଥିପୁର ନିକଟରୁ ଜେନାପଦା ରାସ୍ତାଦେଇ ତିଗିରିଆକୁ ଆସୁଥିଲେ। ସେହି ସମୟରେ ହଠାତ୍‌ ଭାରସାମ୍ୟ ହରାଇବାରୁ ରାସ୍ତାକଡରେ ଥିବା ଏକ ବାମ୍ଫିକୁ ଖସିପଡିଥିଲା କାର। ସ୍ଥାନୀୟ ଯୁବକମାନେ ତୁରନ୍ତ ଆଠଗଡ ଦମକଳକୁ ଖବର ଦେଇଥିଲେ। ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବିଶ୍ୱଜିତ୍‌ଙ୍କୁ ଉଦ୍ଧାରକରି ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଆଠଗଡ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର୍‌କୁ ବାମ୍ଫି ଭିତରୁ ବାହାର କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଖବର ପାଇ ବିଶ୍ୱଜିତ୍‌ଙ୍କର ଗ୍ରାମର ଶତାଧିକ ଯୁବକ, ଆଠଗଡ଼ ଉଦ୍ୟାନ ବିଭାଗର ସହକର୍ମୀ ଓ ପଦସ୍ଥ ଅଧିକାରୀ ମାନେ ଆଠଗଡ ଡାକ୍ତରଖାନାରେ ପଂହଚିଥିଲେ। ଅପରାହ୍ନରେ ଶବ ବ୍ୟବଚ୍ଛେଦପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର