କେନାଲରେ ୪୦ଫୁଟ ତଳକୁ ଖସିଲା କାର୍: ଜଣଙ୍କ ମୃତଦେହ ମିଳିଲା, ୨ଜଣ ବଂଚିଗଲେ

କେନାଲ ପାଣିରେ ବହୁ ଖୋଜାଖୋଜି ପରେ ମିଳିଲା କାର 

ଜୟପୁର: ଆଜି ଅପରାହ୍ନ ସାଢ଼େ ୪ଟା ବେଳେ କୋରାପୁଟ ଜିଲ୍ଲା ଜୟପୁର ବାଇପାସ ରୋଡ଼ର ଲକ୍ଷ୍ମୀନଗର ସମ୍ମୁଖରେ ଗୋଟିଏ କାର ଦ୍ରୁତଗତିରେ ହାତୀଶାଳ ଆଡରୁ ଗାନ୍ଧୀଛକ ଆଡ଼କୁ ଆସୁଥିଲା। ଅଚାନକ ଭାବେ କାର ଚାଳକ ଜଣକ ଭାରସାମ୍ୟ ହରାଇଥିଲେ। କାରଟି  ବାମ ପଟକୁ ବୁଲି ଯିବା ସହ ରାସ୍ତା ପାର୍ଶ୍ବରେ ଥିବା ଗୋଟିଏ ସ୍କୁଟି ଏବଂ ଗଛକୁ ଧକ୍କା ଦେଇ ୪୦ଫୁଟ ଉପରକୁ କାରଟି ଉଡ଼ି କେନାଲ ମଧ୍ୟକୁ ଖସି ପଡ଼ିଥିଲା। ତେବେ ଭାଗ୍ୟବଶତଃ ଦୁଇ ଜଣ ବଂଚିଯାଇଥିଲେ ହେଁ ଚାଳକ ଜଣକ କାର ମଧ୍ୟରେ ରହି ଯାଇଥିଲେ। ଏହି ଖବର ପ୍ରଚାର ହେବା ପରେ ଶହ ‌ଶହ ଲୋକେ ଘଟଣାସ୍ଥଳରେ ସେଠାରେ ରୁଣ୍ଡ ହୋଇଯାଇଥିଲେ। ସୂଚନା ପାଇ ଟାଉନଥାନା ଆଇଆଇସି ବାଲେଶ୍ବର ଗିଦ୍ଧି,‌ ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର, ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ନେଇ ପହଂଚିଥିଲେ। ରବି ପାଇଁ ସଂପ୍ରତି ପାଣି ଛଡାଯାଇଥିବାରୁ ମୁଖ୍ୟ କେନାଲରେ ପାଣି ଭର୍ତ୍ତି ରହିଥିଲା।  ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ସ୍କୁବା ଡାଇଭ୍ ସାହାଯ୍ୟ ନେଇ ବହୁ ଖୋଜାଖୋଜି କରିବା ପରେ କାରର ପତ୍ତା ମିଳିଥିଲା।

ମିଳିଥିବା ସୂଚନା ମୁତାବକ, ଏକ  ମୋବାଇଲ କଂପାନିରେ ବିକ୍ରୟ ବିଭାଗରେ ଆରଏସଓ  ଗଦାଧର ସାହୁ, ପ୍ରପୁଲ୍ଲ ମଲ୍ଲୀକ, ଓ ୱିଲଫୁଲ କଂପାନୀରେ କାର୍ଯ୍ୟକରୁଥିବା ସୁରେଶ ତିନି ଜଣ ମିଶି ବୈପାରୀଗୁଡା ଓ ଲମତାପୁଟ ଯାଇଥିଲେ। ଲମତାପୁଟ ଯାଇ ତିନି ଜଣ ଅପରାହ୍ନରେ ଫେରୁଥିଲେ। ହାତୀଶାଳ ଛକରୁ ବାଇପାସ ଦେଇ ଏମାନେ ଗାନ୍ଧୀ ଛକରେ ବାହାରୁଥିଲେ। ସୁଇଫଟଡିଜାଇର କାର ନଂ ଓଡି୧୦ଇ ୮୩୭୯କୁ ଗଦାଧର ସାହୁ ଚଳାଉଥିବା ବେଳେ ପ୍ରପୁଲ୍ଲ ଓ ସୁରେଶ କାର ମଧ୍ୟରେ ବସିଥିଲେ। ତେବେ କାର କେନାଲରେ ଖସିବା ପରେ ଦୁହେଁ ବାହାରି ପହଁରି ବାହାରକୁ ପଳାଇ ଆସିଥିଲେ।

ତେବେ ପାଣି ଅଧିକା ଥିବା ଏବଂ କାର ଭିତରରେ ଦୀର୍ଘ ସମୟ ଧରି ରହିଯିବାରୁ ଗଦାଧରଙ୍କର ମୃତ୍ୟୁ ହୋଇଥିବା ପୁଲିସ ସଂଦେହ କରୁଛି। ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ମରଶରୀରକୁ କାର ମଧ୍ୟରୁ ବାହାରକୁ ବାହାର କରିଥିଲେ। ଶବବ୍ୟାବଛେଦ ପାଇଁ ଜୟପୁର ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ‌ନିଆଯାଇଥିବା କହିଛନ୍ତି ଟାଉନଥାନା ଆଇଆଇସି ଶ୍ରୀ ଗିଦ୍ଧୀ। କାରଟି ଅତ୍ୟନ୍ତ ଦ୍ରୁତ ଗତିରେ ଆସି ଅଚାନକ ଭାବେ ବାମ ପଟକୁ ବୁଲି ଆସିଥିଲା। ମୁଁ ମୋ ସ୍କୁଟି ରଖି ସାଙ୍ଗ ମାନଙ୍କ ସହ ଠିଆ ହୋଇକଥା ହେଉଥିଲି। ମୋ ସ୍କୁଟି ଉପରେ କାରଟି ଚଢ଼ି ଯାଇ ଉପରକୁ ଉଡ଼ିଯାଇଥିଲା ବୋଲି କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ଟି.ଚୈତନ୍ୟ। ସଂଧ୍ୟା ହେବାରୁ ମୁଖ୍ୟ କେନାଲ ମଧ୍ୟରୁ କାରକୁ କଡ଼ା ଯାଇନଥିଲା।

ଏହି ଘଟଣା ପାଇଁ ରବି ପାଇଁ ମୁଖ୍ୟ କେନାଲରେ ପାଣି ଛାଡିବା ବନ୍ଦ କରାଯାଇଛି। ଆସନ୍ତାକାଲି କାର ମୁଖ୍ୟ କେନାଲରୁ ବାହାର କରିବା ପରେ ହିଁ ପାଣି ଛଡାଯିବ ବୋଲି ସୂଚନା ମିଳିଛି। ମୃତ ଗଦାଧରଙ୍କ ଘର ଜଗତସିଂହପୁରରେ ବୋଲି ସୂଚନା ମିଳିଛି। ସେ ବିବାହିତ । ସ୍ଥାନୀୟ ପାରାବେଢ଼ାରେ ଘର ଭଡ଼ା କରି ରହୁଥିବା ସୂଚନା ମିଳିଛି। ଆସନ୍ତାକାଲି ଶବ ବ୍ୟବଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଟାଉନଥାନା ଆଇଆଇସି।

ବାଇପାସ୍ ରୋଡ଼ରେ ଜବରଦଖଲ ଏବଂ ଶତାଧିକ ଗ୍ୟାରେଜ୍, ବିଭିନ୍ନ ଦୋକାନ ଯୋଗୁଁ ଏଭଳି ଛୋଟ ବଡ଼ ଦୁର୍ଘଟଣା ଏହି ରାସ୍ତାରେ ନିୟମିତ ପାଲଟିଛି। ପୁଲିସଓ ପ୍ରଶାସନ ଏ ଦିଗରେ ଦୃଷ୍ଟି‌ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର