ମାହାଙ୍ଗା : ରଖିଲେ ହରି ମାରିବ କିଏ...? ଏଭଳି ଏକ ଘଟଣାର ନିଚ୍ଛକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଥାନା ନିକଟସ୍ଥ କୁଆଁପାଳ -ତ୍ରିବେଣୀଶ୍ବର ପଟ୍ଟାମୁଣ୍ତାଇ କେନାଲ ବନ୍ଧରେ। କେନାଲର ଗଭୀର ଉଛୁଳା ପାଣିରେ ଖସିପଡିଲା କାର। ହେଲେ ଉପସ୍ଥିତ ବୁଦ୍ଧି ବଳରେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଗଲେ ଦମ୍ପତି ଓ ୩ ବର୍ଷର ଶିଶୁ ସନ୍ତାନ। ଏଭଳି ଏକ ଲୋମଟାଙ୍କୁରା ଘଟଣା ମାହାଙ୍ଗା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଲାଇ ଦେଇଛି।
ଖବରଟି ଏହିପରି: ଯାଜପୁର ଜିଲ୍ଲା ବାଲିପଡିଆ ଗ୍ରାମର ବିଜୟ ପଣ୍ତା(୩୫) ଆଜି ଦିନ ପ୍ରାୟ ସାଢ଼େ୧୧ଟା ବେଳେ ସ୍ତ୍ରୀ ଦେବସ୍ମିତା(୨୩) ଓ ୩ ବର୍ଷର ପୁଅ ବିଶ୍ବପ୍ରକାଶଙ୍କ ସହିତ ନିଜ କାର୍ (ଓଆର୦୨ବି.ଏଲ-୬୦୩୧)ରେ କଟକରୁ ଗୋପୀନାଥପୁର-କୁଆଁପାଳ ପଟ୍ଟାମୁଣ୍ତାଇ କେନାଲ ବନ୍ଧ ରାସ୍ତା ଦେଇ ଗାଁକୁ ଫେରୁଥିଲେ। କୁଆଁପାଳ ନିକଟସ୍ଥ ଜଳେଶ୍ବରପୁରଠାରେ ରାସ୍ତାରେ ପଡିଥିବା ମେଣ୍ଟାଲ ଯୋଗୁଁ କାର୍ଟି ହଠାତ୍ ଭାରସାମ୍ୟ ହରାଇ କେନାଲର ୧୫ ଫୁଟରୁ ଉର୍ଦ୍ଧ୍ବ ଗଭୀର ଉଛୁଳା ପାଣିକୁ ଖସି ପଡିଥିଲା। କାର୍ ଚଳାଉଥିବା ବିଜୟ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ଗାଡିର ଆଗ କାଚ ଭାଙ୍ଗି ବାହାରକୁ ବାହାରି ଆସିଥିଲେ। କାର୍ ଭିତରେ ରହିଯାଇଥିବା ସ୍ତ୍ରୀ ଓ ପୁଅକୁ ବଞ୍ଚାଇବା ପାଇଁ ଯାଇଥିଲେ ମଧ୍ୟ ପାଇ ନଥିଲେ। ଫଳରେ ନିଜ ପୁଅ ଓ ସ୍ତ୍ରୀକୁ ବଞ୍ଚାଇବା ପାଇଁ ଜୋର୍ରେ ଚିତ୍କାର ଛାଡିଥିଲେ ବିଜୟ। କେନାଲରେ ଗାେଧାଉଥିବା ସ୍ଥାନୀୟ କେତେକ ବାସିନ୍ଦା ସହାୟତା ପାଇଁ ଆଗେଇ ଆସିଥିଲେ। ଦେବସ୍ମିତା ନିଜେ ପାଣିରେ ବୁଡି ଯାଉଥିଲେ ସୁଦ୍ଧା ପୁଅ ଯେପରି ପାଣିରେ ନବୁଡିବ ସେଥିପାଇଁ ତାକୁ ଟେକି ଧରିଥିଲେ। ଏହା ଦେଖିବା ପରେ ବିଜୟ ପାଣିକୁ ଡେଇଁ ପୁଅକୁ ଉଦ୍ଧାର କରି ସ୍ଥାନୀୟ ଲୋକଙ୍କ ସହାୟତାରେ କେନାଲ କୂଳକୁ ନେଇ ଆସିଥିଲେ। କିନ୍ତୁ ଗାଡି ଭିତରେ ଥିବା ତାଙ୍କ ସ୍ତ୍ରୀ ଦେବସ୍ମିତା ପାଣି ପିଇ ଉବୁଟୁବୁ ହେବା ସହ ୨୦ ଫୁଟ ତଳକୁ ପାଣି ସ୍ରୋତରେ ଭାସି ଯାଇଥିଲେ। ଏହାପରେ କିଛି ଯୁବକଙ୍କ ସହିତ ବିଜୟ ମିଶିକରି ଦେବସ୍ମିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନାଲ ଉପରକୁ ଆଣିଥିଲେ। ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଆହତ ମା’ ଓ ପୁଅକୁ କୁଆଁପାଳ ନିଆଯାଇ ଚିକିତ୍ସା କରାଯାଇଥିଲା। ସମେସ୍ତ ସୁସ୍ଥ ଥିବା ପ୍ରକାଶ। ଖବର ପାଇ କୁଆଁପାଳ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି କେନାଲ ମଧ୍ୟରେ ବୁଡି ଯାଇଥିବା କାରକୁ ଗ୍ରାମବାସୀଙ୍କ ସହାୟତାରେ ରଶି ଦ୍ବାରା ଟାଣି କେନାଲ ଉପରକୁ ଉଠାଇଥିଲେ।