ପୁରୀ: ଆଗେ ଆଗେ ବଡ଼ ଭାଇ ପଛେ ଚାନ୍ଦମୁହିଁ,ଶେଷେ ଗଲେ କାଳିଆ ଗୋସେଇଁ.. ବଡ଼ଦାଣ୍ଡେ ଗହଳ ଲଗାଇ। ରଥାରୁଢ଼ ଶ୍ରୀଜିଉ ଶ୍ରୀମନ୍ଦିରରୁ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି। ଭକ୍ତ ମେଳରେ ଗହଳ ଚହଳ ଲଗାଇ ମହାପ୍ରଭୁ ମାଉସୀ ଘରକୁ ଯାଉଛନ୍ତି। କାଳିଆ ମହାପ୍ରଭୁ ଆଜି ରତ୍ନବେଦିରୁ ଜନ୍ମବେଦିକୁ ଯିବା ଲାଗି ବ୍ୟାକୁଳ କି ? ତାହା ହୋଇ ନ ଥିଲେ ଆଜି ସେ ସମସ୍ତ ନୀତିକାନ୍ତି ସହଳ ସହଳ  ଶେଷ କରାଇ ନେଇଥାନ୍ତେ କି? ନିର୍ଦ୍ଧାରିତ ସମୟ ପୂର୍ବରୁ  ନୀତିକାନ୍ତି ଶେଷ ହୋଇ ରଥଟଣା ଆରମ୍ଭ ହୋଇଛି। ଅପରାହ୍ଣ ୪ଟା ସମୟରେ  ରଥଟଣା କାର୍ଯ୍ୟ ଆରମ୍ଭ ହେବ ବୋଲି  ପ୍ରଶାସନ-ସେବାୟତଙ୍କ ପକ୍ଷରୁ  ସ୍ଥିର କରାଯାଇଥିଲେ  ହେଁ ପ୍ରାୟ ଦେଢ଼ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଛି ରଥଟଣା।

Advertisment

ଅପରାହ୍ଣ ପ୍ରାୟ ୨ଟା ୩୦ ସମୟରେ ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ ପ୍ରଥମେ ଟଣାଯାଇଥିଲା । ଜଗତରନାଥ ଶ୍ରୀ ଜଗନ୍ନାଥ ପ୍ରଥମେ ବଡ଼ ଭାଇଙ୍କୁ ମାଉସୀ ଘରକୁ  ପଠାଇ ତା’ପରେ ଭଉଣୀ ସୁଭଦ୍ରାଙ୍କୁ ସଜ କରି ବାହାର କରିଥିଲେ। ତାଳଧ୍ୱଜ ଶ୍ରୀଗୁଣ୍ଡିଚା ଅଭିମୁଖେ  ଗଡ଼ିବା ପରେ ଅପରାହ୍ଣ ପ୍ରାୟ ୩ଟା ୧୫ ସମୟରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥର ଟଣାକାର୍ଯ୍ୟ ଆରମ୍ଭ ହୋଇଥିଲା।  ଯଦିଓ  ତୁହାକୁ ତୁହା ବର୍ଷା ଜାରି ରହିଛି, ଭକ୍ତ ଶ୍ରଦ୍ଧାଳୁ  କିନ୍ତୁ ଆଦୌ ବିଚଳିତ ହୋଇନାହାନ୍ତି। ପୂର୍ଣ୍ଣ ଉତ୍ସାହର ସହିତ ଶ୍ରୀଜିଉମାନଙ୍କ ରଥ ଭିଡ଼ି ନେଉଛନ୍ତି।

publive-image

ଭାଇ-ଭଉଣୀଙ୍କୁ ପଠାଇ ସାରିବା ପରେ ଗୁଣ୍ଡିଚା ଅଭିମୁଖେ ବାହାରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଅପରାହ୍ଣ ପ୍ରାୟ ୪ଟା ୧୫ ମିନିଟ  ସମୟରେ ନନ୍ଦିଘୋଷ ରଥଟଣା ଆରମ୍ଭ ହୋଇଛି । ରଥ ଓ ପଥ ପ୍ରସ୍ତୁତ ଥିଲା, କେବଳ ଅପେକ୍ଷା ଥିଲା ଶ୍ରୀଜଗନ୍ନାଥଙ୍କ ଆଜ୍ଞାକୁ। ମହାପ୍ରଭୁଙ୍କ ଆଜ୍ଞା ପରେ ଗଡ଼ିଥିିଲା ନନ୍ଦିଘୋଷ। ବଡ଼ଦାଣ୍ଡରେ  ନନ୍ଦିଘୋଷ ଗଡ଼ୁଥିବା ବେଳେ ମନେହେଉଥିଲା ସତେ ଯେମିତି ଜନସମୁଦ୍ରର ଉତ୍ତାଳ ତରଙ୍ଗକୁ କାଟି ପ୍ରକାଣ୍ଡେ ତରୀରେ ଅବତୀର୍ଣ୍ଣ  ହୋଇ ଆଗେଇ ଆସୁଛନ୍ତି ରଥାରୁଢ଼ ଶ୍ରୀଜଗନ୍ନାଥ।

ବଡ଼ଦାଣ୍ଡ ପାଲଟି ଯାଇଛି ଜନସମୁଦ୍ର। ଭକ୍ତ-ଶ୍ରଦ୍ଧାଳୁଙ୍କ ଜୟ ଜୟ କାର ସହ ଘଣ୍ଟ ଘଣ୍ଟା,ଝାଞ୍ଜମୃଦଙ୍ଗ ଆଦି ବାଦ୍ୟଧ୍ୱନୀରେ ପ୍ରକମ୍ପିତ ହେଉଛି। ରଥର ଘୁଁ ଘୁଁ ଘର୍ଘର ନାଦ ସହ ଡ଼ାହୁକମାନଙ୍କର କୌତିକିଆ  ଡ଼ାକ  ଭିତରେ ସୃଷ୍ଟି ହୋଇଛି ଭାବମୟ ପରିବେଶ। ଅତ୍ୟନ୍ତ ଶୃଙ୍ଖଳିତ ଭାବେ ରଥଟଣା କାର୍ଯ୍ୟ ଜାରି ରହିଛିି। ରଥର ଚତୁଃପାର୍ଶ୍ୱରେ ପୁଲିସ ପକ୍ଷରୁ କର୍ଡନ  କରାଯାଇଛି, ଯାହା ଫଳରେ ରଥଟଣାରେ ବିଭ୍ରାଟ ଦେଖାଯାଇ ନାହିଁ। ଅତ୍ୟନ୍ତ ଶାନ୍ତି-ଶୃଙ୍ଖଳାର ସହ ଜାରି ରହିଛିି ରଥଟଣା କାର୍ଯ୍ୟ।