ରଥଯାତ୍ରା ନୀତି ଜାରି; ପହଣ୍ଡି ଆରମ୍ଭ, ଅପରାହ୍ନ ୩ଟାରୁ ଶରଧାବାଲି ଅଭିମୁଖେ ଗଡ଼ିବ ତିନି ରଥ

ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାର୍ଷିକ ଯାତ୍ରା ‘ରଥଯାତ୍ରା’ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜଗତର ନାଥ ଶ୍ରୀଜଗନ୍ନାଥ ଏହି ଯାତ୍ରା ପାଇଁ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ମାଉସୀଙ୍କ ଘରକୁ ଯିବେ । ବଡ଼ଦାଣ୍ଡ ଏକ ଭକ୍ତିମୟ ପରିବେଶରେ ଉଛୁଳି ପଡ଼ିବ । କୋଭିଡ-୧୯ କଟକଣା ମଧ୍ୟରେ ଚଳିତ ବର୍ଷ ଘୋଷଯାତ୍ରାର ଆୟୋଜନ ହେଉଥିଲେ ମଧ୍ୟ ଭକ୍ତ ଯେଉଁଠି ଥିଲେ ବି ପୁରୀ ରଥଯାତ୍ରା ଉପରେ ନଜର ରଖିବ । ସିଂହଦ୍ୱାର ସମ୍ମୁଖରୁ ଯେତେବେଳେ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡୁଥିବ, ସେହି ସମୟରେ ଭକ୍ତମାନେ ଯେଉଁଠି ଥିଲେ ବି ମହାପ୍ରଭୁଙ୍କୁ ଦଣ୍ଡବତ କରୁଥିବେ ।

ମହାପ୍ରଭୁଙ୍କ ଏହି ୯ ଦିବସୀୟ ଯାତ୍ରା ପାଇଁ ଶ୍ରୀମନ୍ଦିରର ସେବାୟତ, ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ ଜୋରଦାର ଉଦ୍ୟମ କରୁଛନ୍ତି । ରଥଯାତ୍ରାରେ ସବୁଠାରୁ ବଡ଼ ଆକର୍ଷଣ ‘ରଥ’ ଗୁଡ଼ିକ ଗତକାଲି ଠାରୁ ସିଂହଦ୍ୱାର ସମ୍ମୁଖ ଚକଡ଼ା ଠାରେ ଅପେକ୍ଷା କରିଛନ୍ତି । ରଥରେ ଚତୁର୍ଦ୍ଧାମୂର୍ତ୍ତିମାନେ ବସିବା ପରେ ସେବାୟତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିକୁ ଟାଣି ଟାଣି ନେବେ ।

ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆଜି ଭୋର ସକାଳ ୪ଟା ୩୦ରୁ ମଙ୍ଗଳ ଆଳତୀ ନୀତି ଅନୁଷ୍ଠିତ ହୋଇଥିଲା । ସେବାୟତମାନେ ସକାଳ ୫ଟାରେ ମଇଲମ, ତଡ଼ପ ଲାଗି ଓ ରୋଷହୋମ କାର୍ଯ୍ୟ କରିଥିଲେ । ଏହା ପରେ ସାଢ଼େ ୫ଟାରେ ଅବକାଶ, ୫ଟା ୪୦ରେ ସୂର୍ଯ୍ୟ ପୂଜା, ୬ଟାରେ ଦ୍ୱାରପାଳ ପୂଜା ଓ ବେଶ କରାଯାଇଥିଲା । ସକାଳ ୬ଟା ୩୦ରୁ ୭ଟା ୩୦ଟା ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ଶେଷ ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସକାଳ ସାଢ଼େ ୮ଟାରେ ପହଣ୍ଡି ଆରମ୍ଭ ହେବାର ଥିଲା କିନ୍ତୁ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଯାଇଛି । ପୂର୍ବାହ୍ନ ୧୧ଟା ୩୦ ମଧ୍ୟରେ ପହଣ୍ଡି ଶେଷ ହେବ । ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ୩୦ ପର୍ଯ୍ୟନ୍ତ ମଦନ ମୋହନ ବିଜେ, ୧୨ଟା ୩୦ରେ ବେଶ ଶେଷ, ୧୨ଟା ୩୦ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚିତା ଲାଗି, ୧୨ଟା ୪୫ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଛେରାପହଁରା, ୨ଟାରୁ ୩ଟା ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା ନୀତି ହେବ । ଅପରାହ୍ନ ୩ଟାରୁ ରଥ ଟଣାଯିବ ।

ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ରଥଯାତ୍ରାର ଆୟୋଜନ ହେଉଥିବାରୁ କେବଳ ସୀମିତ ସେବାୟତଙ୍କ ଦ୍ୱାରା ରଥଯାତ୍ରା ହେଉଛି । ତେଣୁ ସାଧାରଣଭକ୍ତଙ୍କୁ ପୁରୀ ମନା ହୋଇଛି । ଜଗନ୍ନାଥ ଭକ୍ତଙ୍କୁ ଟେଲିଭିଜନ ମାଧ୍ୟମରେ ରଥଯାତ୍ରା ଦେଖିବାକୁ ପଡ଼ିବ । ରଥଯାତ୍ରା ପାଇଁ ପୁରୀ ସହରରେ ୬୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ସହରକୁ ୧୨ଟି ଜୋନ କରାଯିବା ସହ ସହରର ମୁଖ୍ୟ ପ୍ରବେଶ ପଥ ଓ ବଡ଼ଦାଣ୍ଡ ଛାତ ଉପରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମୁତୟନ କରାଯାଇଛି । ଚଳିତ ବର୍ଷ କରୋନା ଯୋଗୁଁ ଭକ୍ତଙ୍କୁ ପୁରୀ ମନା ହୋଇଥିବା ବେଳେ ସେବାୟତମାନେ ରଥ ଟାଣିବେ । ରବିବାର ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ଯାଏଁ ୪୮ ଘଂଟା କର୍ଫ୍ୟୁ କଟକଣା ବଳବତ୍ତର ରହିବ ।

ସମ୍ବନ୍ଧିତ ଖବର